ଜଣେ ଅନନ୍ୟ ଦରଦୀ ମଣିଷ

ବୈଜୟନ୍ତୀ କର

ପ୍ରାୟ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଘରକୁ ଫେରିବା ସମୟରେ ବିଜୟ ବାବୁ ମୋ ଅଫିସ୍‌ କକ୍ଷକୁ ଆସନ୍ତି। ତାଙ୍କୁ ଦେଖିବା କ୍ଷଣି ଆମେ ସମସ୍ତେ ଠିଆ ହୋଇଯାଉ। ଶ୍ରଦ୍ଧାରେ ‘ବସ’, ‘ବସ’ ବୋଲି କହି ସେ ମୋ ସାମ୍ନା ଚେୟାରକୁ ଟାଣି ଆଣି ବସିପଡ଼ନ୍ତି। ଆମମାନଙ୍କୁ ଆମ ପରିବାରର ହାଲଚାଲ କଥା ପଚାରନ୍ତି। ଅଫିସଠୁ ନେଇ ରାଜ୍ୟ ଯାକ ସବୁ ବିଷୟରେ ଗପନ୍ତି। ମୁଁ ଯେହେତୁ ମାନବ ସମ୍ବଳ ବିକାଶ ବିଭାଗରେ କାମ କରେ, ତେଣୁ କେଉଁ ସହକର୍ମୀର ଦରମା କାହିଁକି କଟିଯାଇଛି? ବା କାହାର ପ୍ରମୋସନ କାହିଁକି ହୋଇପାରିନାହିଁ?; ଏପରି କେତେ କ’ଣ ଅଭିଯୋଗ ଧରି ସେ ଆସିଥାଆନ୍ତି। ତାଙ୍କ ଅନୁରୋଧକୁ ଆଡ଼େଇ ଦେବା ସମ୍ଭବ ହେବନାହିଁ ବୋଲି ଜାଣି ବହୁ ସହକର୍ମୀ ନିଜ ସମସ୍ୟା ତାଙ୍କୁ ହିଁ କହିଥାଆନ୍ତି; ସମସ୍ତଙ୍କର ତାଙ୍କ ଉପରେ ଅଗାଧ ଭରସା। ସୁତରାଂ, ସେ ସାଜନ୍ତି ସମସ୍ତଙ୍କର ବାର୍ତ୍ତାବହ। କେବଳ ସେତିକି ନୁହେଁ, ସମସ୍ତଙ୍କର ଯାବତୀୟ ବ୍ୟକ୍ତିଗତ ଅସୁବିଧାକୁ ନିଜର ବୋଲି ମଣି ତା’ର ସମାଧାନ କରିବା ଦିଗରେ ସେ ଅକୁଣ୍ଠ ଭାବେ ଲାଗିପଡୁଥିଲେ।

ତେବେ, ସମସ୍ତ ଖବର ବୁଝୁଥିବା ଏହି ଅସାଧାରଣ ଭାବେ ସାଧାରଣ ମଣିଷ ଜଣକ ଯେ ହଠାତ୍‌ ଏମିତି ତରତର ହୋଇ ଅଫେରା ରାଇଜକୁ ଚାଲିଯିବେ, ତାହା ଏବେ ବି ସହଜରେ ବିଶ୍ବାସ କରି‌ ହେଉନାହିଁ। ମନକୁ ଯେତେ ବୁଝେଇଲେ ବି ବୁଝେଇ ହେଉନାହିଁ ଯେ ତାଙ୍କୁ ଆଉ ସଶରୀରେ ଦେଖିବାକୁ ପାଇବୁ ନାହିଁ। କରୋନା ମହାମାରୀର ମୁକାବିଲା କରିବାକୁ ଆମମାନଙ୍କୁ ସାହସ ଦେଉଥିବା ମଣିଷ ଜଣକ ଯେ ନିଜେ ସେଥିରେ ଆକ୍ରାନ୍ତ ହୋଇ ଅଦମ୍ୟ ଲଢ଼େଇ କରି ଶେଷରେ ହାରିଯିବେ, ଏକଥା ଭାବିଲେ ଖୁବ୍‌ କଷ୍ଟ ଲାଗୁଛି। ବିଜୟ ବାବୁଙ୍କ ଅବର୍ତ୍ତମାନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଯେକୌଣସି ସହକର୍ମୀ, ବନ୍ଧୁଙ୍କଠାରୁ ଶୁଣିବାକୁ ମିଳୁଛି ‌େସ କିଭଳି କେଉଁ ଢଙ୍ଗରେ ସମସ୍ତଙ୍କୁ ସାହାଯ୍ୟ କରିଛନ୍ତି। ସେ ସବୁ ଅସରନ୍ତି।

ବିଜୟ ବାବୁ ଥିଲେ ଶ୍ରୀ ଶ୍ରୀ ହନୁମାନଜୀଙ୍କର ପରମ ଭକ୍ତ। ‌େସ ଥିଲେ ଅପରାଜେୟ। ଅସମ୍ଭବକୁ ସମ୍ଭବ କରିବାର ଦକ୍ଷତା ତାଙ୍କ ପାଖରେ ଯେମିତି ଥିଲା, ସେମିତି ଅନ୍ୟ କାହାଠାରେ କ୍ବଚିତ ଥାଇପାରେ ଅବା! ସେ ଥିଲେ ଦରିଦ୍ର ଓ ନିଃସ୍ବଙ୍କର ବନ୍ଧୁ। ସମ୍ବାଦ ଭବନରେ କାର୍ଯ୍ୟ କରୁଥିବା ଛୋଟରୁ ବଡ଼ ସବୁ ସହକର୍ମୀଙ୍କର ସେ ଥିଲେ ଅତି ଆପଣାର ବିଜୟ ସାର୍। ଯାବତୀୟ ଅସୁବିଧାରେ ‌େଖାଜା ପଡ଼େ ବିଜୟବାବୁଙ୍କୁ। କାହାର ଦେହ ଖରାପ ସେ ହସ୍‌ପିଟାଲ ଯିବ, କାହା ପିଲାର କେଉଁ କଲେଜରେ ଆଡ୍‌ମିସନ ହେବ, କିଏ ଝିଅ ବାହାଘର କରିବ, କାହାର ଘର ତିଆରିରେ ପଇସା ଆବଶ୍ୟକ; ଏମିତି ଅନେକ ସମସ୍ୟାର ସମାଧାନ କେବଳ ସେ। ସମସ୍ତଙ୍କର ଦୃଢ଼ ବିଶ୍ବାସ ବିଜୟ ବାବୁଙ୍କୁ କହିଲେ ସବୁ ସମସ୍ୟା ଟଳିଯିବ। ସେ ଥିଲେ ଅତ୍ୟନ୍ତ ସରଳ ଓ ସ୍ପଷ୍ଟବାଦୀ। ଭ୍ରାତୃପ୍ରତିମ ବନ୍ଧୁଟିଏ ଭଳି ସମସ୍ତଙ୍କ ଉପକାର କରୁଥିବା ଦରଦୀ ମଣିଷ। ସେ ଯେ ଏତେ ଶୀଘ୍ର ଛାଡ଼ି ଚାଲିଯିବେ ତାହା କେବଳ ମୁଁ କାହିଁକି, ‘ସମ୍ବାଦ’ ପରିବାରର କୌଣସି ସଦସ୍ୟ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ଧର୍ମପତ୍ନୀ, ଏକମାତ୍ର ପୁତ୍ର, ପୁତ୍ରବଧୂ, ଛୋଟ ନାତୁଣୀ ସହ ତାଙ୍କ ସାନ ଭାଇଙ୍କ ପରିବାରକୁ ନେଇ ବରମୁଣ୍ଡା ପଟ୍ଟନାୟକ ନିବାସରେ ବିଜୟ ବାବୁ ରଚିଥିଲେ ସୁଖର ସଂସାର। ଯିଏବି ତାଙ୍କ ପରିବାରର ସଂସ୍ପର୍ଶରେ ଆସିଥିବ ସେ ଅନୁଭବ କରିଥିବ ସମ‌ସ୍ତେ କେତେ ଶୃଙ୍ଖଳିତ ଓ ସୁବ୍ୟବହାରରେ ଅଭ୍ୟସ୍ତ। ସେଠି ଛୋଟବଡ଼ର ବିଚାର ନାହିଁ। ସମସ୍ତଙ୍କ ପ୍ରତି ସ୍ନେହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର। ଏହା ବିଜୟ ବାବୁଙ୍କ ବ୍ୟକ୍ତିତ୍ବର ଏକ ଉଜ୍ଜ୍ବଳ ଦିଗ।

ବିଜୟ ବାବୁଙ୍କ ପରି ମହାନ ବ୍ୟକ୍ତିତ୍ବଙ୍କର ଆତ୍ମା ବୈକୁଣ୍ଠରେ ସ୍ଥାନ ପାଇବ ନିଶ୍ଚୟ; ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଏହା ହିଁ ମୋର ପ୍ରାର୍ଥନା।

-ଡିଜିଏମ୍‌(ଏଚ୍‌ଆର୍‌), ସମ୍ବାଦ, ଭୁବନେଶ୍ୱର

ସମ୍ବନ୍ଧିତ ଖବର