ଭାଇ ନୁହେଁ ଭଗବାନ

ଅଜୟ କୁମାର ପଟ୍ଟନାୟକ

ମୋ ଭାଇ ଆଉ ମୋ ଗହଣରେ ନାହାନ୍ତି। ଏପରି ଦୁଃଖଦ ସମୟ ଯେ ମୋ ଜୀବନରେ ଘଟିବ ତାହା କେବେ ମୁଁ ସ୍ବପ୍ନରେ ଭାବି ନ ଥିଲି। ସମ୍ବାଦର ସମ୍ପାଦକଙ୍କର ଉକ୍ତି ସତରେ ଶତପ୍ରତିଶତ ସତ – ‘‘ଭାଗ୍ୟରେ ଥିଲେ ଏମିତି ସହଯୋଗୀ ମିଳନ୍ତି” – ସେହିପରି ଭାଗ୍ୟରେ ଥିଲେ ଏମିତି ଭାଇ ମିଳନ୍ତି। ଯଦିଓ ଆମେ ପା‌ଞ୍ଚ ବର୍ଷ ସାନବଡ଼ ତଥାପି ମୋର ଉଚ୍ଚଶିକ୍ଷା, ଚାକିରିରେ ନିଯୁକ୍ତି ପାଇଁ ତାଙ୍କର ଅବଦାନକୁ ମୁଁ କେବେ ଭୁଲିପାରିବି ନାହିଁ।

ସମ୍ବାଦ ପ୍ରକାଶନର ଶୁଭାରମ୍ଭ ସମୟରେ ଏ–୩୬୪, ସହିଦ୍‌ ନଗରରେ ଅଫିସ୍‌ ଚାଲୁଥିବାବେଳେ ମୁଁ ବାଣୀବିହାରର ପିଏମ୍ଆଇଆର୍ ଛାତ୍ର ହିସାବରେ ମୋର ସ୍ନାତକୋତ୍ତର ଶିକ୍ଷା ୧୯୮୫ ମସିହାରେ ଆରମ୍ଭ କରି ଭାଇଙ୍କ ପାଖରେ ଆସି ରହୁଥିଲି। ମୋର ହଷ୍ଟେଲରେ ରହିବାର ଅସୁବିଧା ହେବ ଉପଲବ୍ଧି କରି ନିଜେ ଘରୁ ରୋଷେଇ କରି ମୋର ଖାଇବା, ପିଇବା ଏବଂ ପାଠପଢ଼ାର ଯତ୍ନ ସେ ନେଇଥିଲେ। ବିବାହରେ ସେ ଯୌତୁକ ପାଇଥିବା ପ୍ରଥମ ବାଜାଜ୍ ସ୍କୁଟରଟିକୁ ମଞ୍ଚେଶ୍ବର ରେଲୱେ କଲୋନିରୁ ବାଣୀବିହାର ଯିବା ଆସିବା କରିବା ପାଇଁ ସେ ମୋତେ ଦେଇ ନିଜେ ଲୁନା ଓ ମଟରସାଇକେଲ୍‌ରେ ଏ–୬୨, ନୟାପଲ୍ଲୀ ସମ୍ବାଦ ଭବନକୁ ଯିବା ଆସିବା କରୁଥିଲେ। ଏହିଥିରୁ ତାଙ୍କର ସାନଭାଇ ପ୍ରତି କେତେ ସ୍ନେହ, ଭଲପାଇବା ଓ ମଣିଷ ପରି ମଣିଷଟିଏ ଗଢ଼ିବା ପାଇଁ ଅବଦାନକୁ କେବେ ବି ଭୁଲିହେବ ନାହିଁ। ସେତେବେଳର ସମ୍ବାଦରେ କାର୍ଯ୍ୟ କରୁଥିବା ବିତ୍ତ ଅଧିକାରୀ ପ୍ରଭୁଜିତ୍ ମହାନ୍ତି ଏବଂ ଏବେକାର ସମ୍ବାଦରେ ଥିବା ଧରମୁ ଏବଂ ସୁବାସ ଚନ୍ଦ୍ର ସ୍ବାଇଁ ଏ ସବୁର ମୁକସାକ୍ଷୀ ଅଛନ୍ତି। ସମ୍ବାଦ ପ୍ରକାଶନର ନିଉଜ୍ ପ୍ରିଣ୍ଟ୍ର ଦୈନିକ ଅଭାବ ପୂରଣ କରିବା ପାଇଁ, ପ୍ରତିଦିନ ପ୍ରକାଶନରେ ଆଞ୍ଚ୍‌ ନ ଆଣିବା ପାଇଁ, ଆଉ ତାକୁ ରାଜ୍ୟର ପ୍ରଥମ ଅଗ୍ରଣୀ ଖବରକାଗଜ ଭାବରେ ଗଢ଼ି ତୋଳିବାରେ ତାଙ୍କର ଭୂମିକାକୁ ଏବଂ ତାଙ୍କର ସଂଗ୍ରାମକୁ ମୁଁ ନିଜେ ଆଖି ଆଗରେ ଦେଖିଛି, ଯାହାକୁ ଆଜି ବି ସମସ୍ତେ ସ୍ବୀକାର କରୁଛନ୍ତି। ଏହା ମୋ ପାଇଁ ଓ ମୋ ପରିବାର ପାଇଁ ଗର୍ବ ଓ ଗୌରବର ବିଷୟ।

ମୋର ବାପାମାଆଙ୍କର ଆମେ ଦୁଇ ଭାଇ ଥିଲୁ। ଆଜିକି ପ୍ରାୟ ୫୮ ବର୍ଷ ହେଲା ଏକ ଯୌଥ ପରିବାରରେ ରହିଆସିଅଛୁ। ମୋର ପୁଅଝିଅ ତାଙ୍କୁ ‘ବାବା’ ବୋଲି ଡାକୁଥିଲାବେଳେ ମୋତେ ‘ଦାଦା’ ବୋଲି ଡାକନ୍ତି। ସବୁଦିନ ପାଇଁ ମୁଁ ‘ଦାଦା’ ହୋଇ ରହିଗଲି। ମୋର ସାମାନ୍ୟ ଅସୁବିଧାକୁ ସେ ଟିକିଏ ବି ସହିପାରନ୍ତି ନାହିଁ। ଘରର ସମସ୍ତ କଥା ସେ ବୁଝିଥାନ୍ତି। ଏ ପର୍ଯ୍ୟନ୍ତ ମୋତେ ଘରର କୌଣସି ଦାୟିତ୍ବ ଦେଇ ନ ଥିଲେ। ଆମ ଯୌଥ ପରିବାରର ଚଳଣି ଦେଖି ପାଖ ପେଡ଼ାଶୀ ଆଶ୍ଚର୍ଯ୍ୟ ହୁଅନ୍ତି ଯେ କିଭଳି ଏମାନେ ଏମିତି ଏକ ଯୌଥ ପରିବାରରେ ଦୀର୍ଘଦିନ ଧରି ଚଳି ଆସୁଛନ୍ତି। ଆଉ ତାହା ସମ୍ଭବ ହୋଇଛି କେବଳ ମୋ ଭାଇଙ୍କର ମୁରବିପଣିଆ, ନିଃସ୍ବାର୍ଥପର ତ୍ୟାଗ, ସ୍ନେହ ଓ ନିଜକୁ ଜଳାଞ୍ଜଳି ଦେଇ ଅନ୍ୟକୁ ଗଢ଼ି ତୋଳିବାର ନିଷ୍ଠା ଯୋଗୂଁ। ପରିବାର ପ୍ରତି ତାଙ୍କର ତ୍ୟାଗକୁ ଛାଡ଼ି ଅନ୍ୟ ଯେଉଁସବୁ ମହତ୍ କାର୍ଯ୍ୟ ସେ କରିଯାଇଛନ୍ତି, ସେ ସିଆର୍‌ପି ଛକରେ ହନୁମାନ ମନ୍ଦିର ହେଉ, ପ୍ରିୟଦଶିର୍ନୀ ମାକେର୍ଟରେ ଗଣେଶ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ହେଉ, ଆମ ନିଜ ଗ୍ରାମରେ ସାଇ ମନ୍ଦିର ପ୍ରତିଷ୍ଠା ହେଉ, ଗ୍ରାମଦେବତୀଙ୍କ ମନ୍ଦିର ହେଉ – ତାଙ୍କର ଏସବୁ ଅବଦାନକୁ କେହି ଭୁଲିପାରିବେ ନାହିଁ। ତାଙ୍କର ଆଶୀର୍ବାଦରୁ ମୁଁ ଆଜି ଯୁଗ୍ମ ଶ୍ରମ କମିଶନର ଭାବରେ ଶ୍ରମ କାର୍ଯ୍ୟାଳୟରେ କାର୍ଯ୍ୟରତ ଏବଂ ମୋର ଝିଅ ଜଣେ ଡାକ୍ତର ହିସାବରେ ନିଯୁକ୍ତି ପାଇ ପାରିଛି। ଏତଦ୍‌ବ୍ୟତୀତ, ଭାଇଙ୍କର ପୁଅବୋହୂ ମଧ୍ୟ ଡାକ୍ତର ବୃତ୍ତିରେ ନିଯୁକ୍ତ ହୋଇ ନିଜ ନିଜର କାର୍ଯ୍ୟସ୍ଥଳୀରେ କାର୍ଯ୍ୟରତ। ଏସବୁ ମୋ ଭାଇଙ୍କର ନିଷ୍ଠା ଓ ତ୍ୟାଗର ଫଳ।

ମାତ୍ର ଦୁଃଖ ଓ ପରିତାପର ବିଷୟ ଯେ ଯେଉଁ ଦେବୋପମ ଦରଦୀ ମଣିଷ ଜଣକ ସମସ୍ତଙ୍କ ଦୁଃଖ ଲାଘବ କରୁଥିଲେ, ବିପଦଆପଦ କାଳରେ ସହକର୍ମୀଠୁ ନେଇ ସାଧାରଣ ମଣିଷ ଯାଏ ସମସ୍ତଙ୍କ ପାଖରେ ଛିଡ଼ା ହେଉଥିଲେ; ସେ ଆଜି ଆମ ସମସ୍ତଙ୍କୁ ଛାଡ଼ି ଇହଲୀଳା ତ୍ୟାଗ କରିଗଲେ। ତାହା ଏବେ ବି ବିଶ୍ବାସ ହେଉନାହିଁ। ଯିଏ ଲକ୍ଷ୍ମଣ ଭଳି ଭାଇର କୌଣସି ସାମାନ୍ୟ ଅସୁବିଧା ହେଲେ ବିଶଲ୍ୟକରଣୀ ପରି ପାହାଡ଼ ଉଠେଇ ଆଣି ତାର ଦୁଃଖ ଲାଘବ କରୁଥିଲେ; ମାତ୍ର ମୁଁ ହତଭାଗା ରାମଚନ୍ଦ୍ର ପରି ଭାଇଙ୍କୁ ଆରୋଗ୍ୟ ଲାଭ କରାଇ ନ ପାରି ଆଜି ହରେଇ ବସିଥିବାରୁ ଦୁଃଖ ଓ ଗ୍ଳାନିରେ ହନ୍ତସନ୍ତ ହେଉଛି। ପ୍ରତି ମୁହୂର୍ତ୍ତରେ ତାଙ୍କର ସବୁ କଥା ମନେ ପଡ଼ୁଛି। ତାଙ୍କ କଥା ଭାବିଲେ ହୃଦୟରେ କୋହ ଆସୁଛି ଏବଂ ଆଖିରେ ଲୁହ ଆସୁଛି। ସେ ମୋ ପାଇଁ ଭାଇ ନ ଥିଲେ; ସାକ୍ଷାତ ରାମଚନ୍ଦ୍ରଙ୍କ ପରି ଭଗବାନ ଥିଲେ। ଜଗନ୍ନାଥଙ୍କ ପାଖରେ ଗୁହାରି କରୁଛି କି ଆଗାମୀ ଜନ୍ମରେ ସେ ମୋର ବଡ଼ ଭାଇ ହୋଇ ଜନ୍ମ ହୋଇ ତାଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବା ମୋ ଉପରେ ସେମିତି ସଦା ରଖନ୍ତୁ। ତାଙ୍କର ଅମର ଆତ୍ମାର ସଦ୍‌ଗତି ହେଉ, ପ୍ରଭୁ ଜଗନ୍ନାଥ ତାଙ୍କୁ ତାଙ୍କ ପାଖରେ ଭଲରେ ରଖନ୍ତୁ – ଏହାହିଁ ମୋର ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା।

ସମ୍ବାଦର ସମ୍ପାଦକ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ, ସମ୍ବାଦ‌େର ତାଙ୍କର ସମସ୍ତ ସହକର୍ମୀ, ସୋଆ ୟୁନିଭରସିଟିର ପ୍ରତିଷ୍ଠାତା ଶ୍ରୀ ମନୋଜ ନାୟକ, ସମ୍ ହସ୍‌ପିଟାଲ୍‌ର ଡାକ୍ତରବନ୍ଧୁ ଓ ମୋର ସାଙ୍ଗସାଥୀ, ଯେଉଁମାନେ ନିଷ୍ଠାପର ଉଦ୍ୟମ କରି ଆମକୁ ସମବେଦନା ଜଣେଇଛନ୍ତି, ସମସ୍ତଙ୍କ ପାଖରେ ମୁଁ କୃତଜ୍ଞ। ସେମାନଙ୍କର ସ୍ନେହ, ଆଶୀର୍ବାଦ ମୋ ପ୍ରତି ଏବଂ ଆମ ପରିବାର ପ୍ରତି ସବୁବେଳେ ଏହିଭଳି ରହିଥିବ ବୋଲି ମୋର ଆଶା ଓ ବିଶ୍ବାସ।

ଯୁଗ୍ମ ଶ୍ରମ କମିଶନର

ସମ୍ବନ୍ଧିତ ଖବର