ଅଧିକାଂଶ ଗାଡ଼ିରେ ଯାତ୍ରୀ ହେଉନାହାନ୍ତି
ଠିକ୍ ଭାବେ ଯୋଜନା ପ୍ରସ୍ତୁତ ହୋଇନଥିଲା
ଚିହ୍ନଟ ରୁଟ୍ରେ ଗାଡ଼ି ଚାଲୁନାହିଁ
ଭୁବନେଶ୍ବର : ବିଜୁ ଗାଁ ଗାଡ଼ି ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଇନାହିଁ। ଅପ୍ରଭାବୀ ଯୋଜନା, ସମନ୍ବୟର ଅଭାବ, ଯାତ୍ରୀ ସଂଖ୍ୟା ବିଚାରକୁ ନିଆନଯିବା ଓ ଅପରେଟରମାନଙ୍କ ଦୃଷ୍ଟିକୋଣରୁ ପ୍ରୋତ୍ସାହନ ଯୋଜନା ପ୍ରସ୍ତୁତ କରାଯାଇନଥିବାରୁ ଏହି ଯୋଜନାର ବାସ୍ତବିକ ଓ ଆର୍ଥିକ ଲକ୍ଷ୍ୟ ହାସଲ ହୋଇପାରିନାହିଁ ବୋଲି ମହାଲେଖା ନିୟନ୍ତ୍ରକ ଓ ମହାସୀମକ୍ଷକ (ସିଏଜି) ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଗତକାଲି ବିଧାନସଭାରେ ଉପସ୍ଥାପନ ହୋଇଥିବା ‘ରାଜସ୍ବ କ୍ଷେତ୍ର ଓ ଆର୍ଥିକ କ୍ଷେତ୍ର ପ୍ରତିବେଦନ’ ସମ୍ପର୍କିତ ରିପୋର୍ଟରେ ବିଜୁ ଗାଁ ଗାଡ଼ି ଯୋଜନା କାର୍ଯ୍ୟକାରିତାରେ ରହିଥିବା ତ୍ରୁଟିଗୁଡ଼ିକୁ ସିଏଜି ଧରିଛନ୍ତି। ଏହି ଯୋଜନାକୁ ଠିକ୍ ଭାବେ ପ୍ରସ୍ତୁତ କରାଯାଇନଥିଲା। ଗାଡ଼ି ସଂଖ୍ୟା କମ୍ ରହିବା କାରଣରୁ ଯୋଜନାର ପ୍ରକୃତ ଲକ୍ଷ୍ୟ ହାସଲ ହୋଇପାରିନଥିଲା। ପ୍ରୋତ୍ସାହନ ରାଶି ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରିବା ବେଳେ ଯାତ୍ରୀମାନଙ୍କ ସଂଖ୍ୟା ଓ ଅପରେଟରମାନଙ୍କ ଆବଶ୍ୟକତା ବିଚାରକୁ ନିଆଯାଇନଥିଲା।
ଏହି ଯୋଜନାର ଅଡିଟ୍ରୁ ଜଣାପଡ଼ିଛି ଯେ ଗ୍ରାମ ପଞ୍ଚାୟତରୁ ବ୍ଲକ୍ ମୁଖ୍ୟ କାର୍ଯ୍ୟାଳୟ ଓ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାତ୍ରୀ ପରିବହନ ସୁବିଧା ପ୍ରଦାନ କରିବା ଲାଗି ୨୦୧୩ ସେପ୍ଟେମ୍ବରରେ ଏହି ଯୋଜନା ଆରମ୍ଭ କରାଯାଇଥିଲା ଯାହାର ନାମକୁ ୨୦୧୪ ଫେବ୍ରୁଆରିରେ ପରିବର୍ତ୍ତନ କରି ବିଜୁ ଗାଁ ଗାଡ଼ି ଯୋଜନା ରଖାଯାଇଥିଲା। ଏହି ଯୋଜନାର ଲକ୍ଷ୍ୟ ଥିଲା ତିନିଟି ପର୍ଯ୍ୟାୟରେ ରାଜ୍ୟର ୧୧୮ଟି ବ୍ଲକ୍କୁ ଯାତ୍ରୀ ପରିବହନ ସଂଯୋଗ ପ୍ରଦାନ କରିବା। ପ୍ରଥମ ବର୍ଷରେ ୧୦୦୦ଟି ଗାଡ଼ି ଚଲାଇବାର ଲକ୍ଷ୍ୟ ଥିଲା। କିନ୍ତୁ ସେହିବର୍ଷ ମାତ୍ର ୩୨୬ଟି ଗାଡ଼ି ଏହି ସ୍କିମ୍ ଅଧୀନରେ ଚଳାଚଳ କରିଥିଲା। ଦ୍ବିତୀୟ ବର୍ଷରେ ଗାଡ଼ି ସଂଖ୍ୟା ଆଉ କିଛି ବଢ଼ି ୫୫୬ରେ ପହଞ୍ଚିଥିଲା ଯାହା ବାସ୍ତବିକ ଲକ୍ଷ୍ୟ ୨୦୦୦ ହଜାର ଗାଡ଼ି ଠାରୁ ବହୁତ କମ୍। ୨୦୧୪-୧୫ ଆର୍ଥିକ ବର୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ସ୍କିମ୍ର ସମୀକ୍ଷା କରାଯାଇଥିଲା। ୨୦୧୪-୧୫ରେ ଏହି ଯୋଜନାରେ ୩୨୬ଟି ଗାଡ଼ି ଯୋଡ଼ି ହୋଇଥିଲା। ୨୦୧୫-୧୭ରେ ସେହି ସଂଖ୍ୟା ୫୦୧, ୨୦୧୬-୧୭ରେ ୫୮୩, ୨୦୧୭-୧୮ରେ ୫୬୧ ଓ ୨୦୧୮-୧୯ରେ ୫୫୬କୁ ବୃଦ୍ଧି ପାଇଥିଲା। ଏହି ଯୋଜନାର ପ୍ରଚାର କରିବା ଲାଗି ସୁଧ ଛାଡ଼ ପାଇଁ ଯେଉଁ ବ୍ୟୟବରାଦ କରାଯାଇଥିଲା ସେଥିରୁ ୧.୨୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ଯୋଜନାର ପ୍ରଚାର ଲାଗି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ) ଗୁଡ଼ିକୁ ଟଙ୍କା ଦିଆଯାଇନାହିଁ। ସେହିପରି, ୫୧ଟି ଗାଡ଼ିର ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ଯାତ୍ରୀ ଅଭାବ ଯୋଗୁଁ ୨୪ଟି ଗାଡ଼ିର ମାଲିକ ଗାଡ଼ିକୁ ଚଲାଇବା ଲାଗି ଆଗ୍ରହ ଦେଖାଉନାହାନ୍ତି। ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି ଯେ ଏହି ଯୋଜନା ପ୍ରସ୍ତୁତ କରିବା ବେଳେ କେଉଁ ବ୍ଲକ୍ରେ କେତେ ଗାଡ଼ି ଦରକାର ତାହା ବିଚାରକୁ ନିଆଯାଇନଥିଲା। ତେଣୁ ପ୍ରତି ଗାଡ଼ି ପାଇଁ ସୁଧ ଛାଡ଼ ବାବଦରେ ଯେତିକି ଟଙ୍କା ଖର୍ଚ୍ଚ ହେବା କଥା ତାହା ହୋଇପାରିନଥିଲା। ସ୍ଥାନୀୟ ଲୋକମାନେ ଉପକୃତ ନହେବାରୁ ଏହି ଯୋଜନାରେ ଅଧିକରୁ ଅଧିକ ଗାଡ଼ି ଯୋଡ଼ିବାରେ ପରିବହନ ବିଭାଗ ଓ ଆର୍ଟିଓଗୁଡ଼ିକ ବିଫଳ ହୋଇଥିଲେ।
୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଏହି ଯୋଜନାର ନଥିପତ୍ରଗୁଡ଼ିକୁ ଯାଞ୍ଚ କରାଯାଇଥିଲା। ଗାଡ଼ିଗୁଡ଼ିକୁ ବିଜିଜିୱାଇ ପର୍ମିଟ୍ ଜାରି କରାଯାଇଥିଲା କିମ୍ବା ସମୟ ଓ ଷ୍ଟପେଜ୍ ଷ୍ଟେସନ୍ ଉଲ୍ଲେଖ ନକରି ପର୍ମିଟ୍ ଜାରି କରାଯାଇଥିଲା। ଫଳରେ ଗାଡ଼ି ଚଳାଚଳ ପ୍ରଭାବୀ ହୋଇପାରିନଥିଲା। ଏହି ଯୋଜନାରେ ବିଜିଜିୱାଇ ରୁଟ୍ ଚିହ୍ନଟ କରାଯାଇନଥିଲା ଯାହା ଫଳରେ ନିର୍ଦିଷ୍ଟ ରୁଟ୍ରେ ଗ୍ରାମ୍ୟ ସଂଯୋଗୀକରଣ ହୋଇପାରିନଥିଲା। ଏହା ଦ୍ବାରା ରାସ୍ତା ଶୁଳ୍କ ଓ ପର୍ମିଟ୍ ଫି’ ବାବଦରେ ୬୭.୯୧ ଲକ୍ଷ ଟଙ୍କା ଅନିୟମିତ ଭାବେ ଛାଡ଼ କରାଯାଇଥିଲା। ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ଚିହ୍ନଟ ସବୁ ରୁଟ୍ରେ ଏହି ଯୋଜନାର ଗାଡ଼ି ଚାଲି ପାରିନଥିଲା। ଗାଡ଼ି ଅପରେଟରମାନଙ୍କ ମଧ୍ୟରେ ସଚେତନତାର ଅଭାବ, ବିଏଲ୍ସିଗୁଡ଼ିକୁ ଦ୍ବାରା ନିୟମିତ ସାର୍ଟିଫିକେଟ୍ ଜାରି କରାନଯିବା, ଆର୍ଟିଓଗୁଡ଼ିକ ଦ୍ବାରା ପ୍ରସ୍ତାବ ଦାଖଲ କରାନଯିବା ଯୋଗୁଁ ଏହି ଯୋଜନାରେ ସୁଧ ରିହାତି ବାବଦରେ ଅତି ନଗଣ୍ୟ ଟଙ୍କା ବ୍ୟୟ ହୋଇଥିଲା। ୨୧ଟି ଆର୍ଟିଓ ଅଧୀନରେ ଚାଲୁଥିବା ୪୮୧ଟି ଗାଡ଼ିର ଯାଞ୍ଚ କରାଯିବାରୁ ସେଥିରୁ କେବଳ ୨୪୫ଟି ଗାଡ଼ିର ବୈଧ ପର୍ମିଟ୍ ଥିବା ଜଣାପଡ଼ିଥିଲା। ତିନିଟି ଆର୍ଟିଓ ଅଧୀନରେ ଚାଲୁଥିବା ୧୬୯ଟି ଗାଡ଼ିକୁ ବିଜିଜିୱାଇ ପର୍ମିଟ୍ ଦିଆଯାଇନଥିଲା କିନ୍ତୁ ତାହା ଏହି ସ୍କିମ୍ ଅଧୀନରେ ଚାଲୁଛି ବୋଲି ଦର୍ଶାଯାଇଥିଲା। ସେମାନଙ୍କୁ ତ୍ରୁଟିପୂର୍ଣ୍ଣ ଭାବେ ଆର୍ଥିକ ପ୍ରୋତ୍ସାହନ ରାଶି ଦିଆଯାଇଥିଲା। ଏହି ତ୍ରୁଟି ପାଇଁ ସରକାର ୨୧.୯୬ ଳକ୍ଷ ଟଙ୍କାର ଟିକସ ରାଜସ୍ବ ହରାଇଛନ୍ତି।
ଏହି ସ୍କିମ୍ରେ ଓଡ଼ିଶା ରାଜ୍ୟ ପରିବହନ ନିଗମ (ଓଏସ୍ଆର୍ଟିସି) ତରଫରୁ ମଧ୍ୟ ଅନେକ ତ୍ରୁଟି ରହିଥିବା ସିଏଜି ଧରିଛନ୍ତି। ୨୦୧୪ ଫେବ୍ରୁଆରିରୁ ୨୦୧୭ ମାର୍ଚ୍ଚ ମଧ୍ୟରେ ଏହି ଯୋଜନାରେ ପାଇଁ ଓଏସ୍ଆର୍ଟିସିର କର୍ପୋରେଟ୍ କାର୍ଯ୍ୟାଳୟ ୪୭ଟି ବସ୍ ଆବଣ୍ଟନ କରିଥିଲେ। ୩୧ଟି ରୁଟ୍ରେ ଏହି ବସ୍ଗୁଡ଼ିକୁ ଚଲାଇବାର ଯୋଜନା ଥିଲା। କିନ୍ତୁ ଅଡିଟ୍ ବେଳେ ଜଣାପଡ଼ିଥିଲା ଯେ ୩୧ଟି ବସ୍ ନିଜ ରୁଟ୍ରେ ଚାଲୁନଥିଲା। ଚିହ୍ନଟ ହୋଇନଥିବା ରୁଟ୍ରେ ବସ୍ ଚଲାଇବା ଲାଗି ଓଏସ୍ଆର୍ଟିସିର ୟୁନିଟ୍ଗୁଡ଼ିକ ସାମୟିକ ପର୍ମିଟ୍ ନେଇଥିଲେ। ଆୟ କମ୍ ରହିବା, ସଡ଼କର ଖରାପ ସ୍ଥିତି ଓ ଯାତ୍ରୀ ଅଭାବ ଯୋଗୁଁ ୟୁନିଟ୍ଗୁଡ଼ିକ ସାମୟିକ ପର୍ମିଟ୍ ନେଇଥିବା କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Biju-Gaon-Gadi-Yojana.jpg)