ବ୍ୟକ୍ତିିତ୍ବ ଓ କୃତିତ୍ବର ଶିଖରସ୍ପର୍ଶୀ ରାଜନେତା ‘ଉଚ୍ଚତମ ପଟ୍ଟନାୟକ’

ଜନ୍ମ ଦିବସ ଅବସରରେ ଅନନ୍ୟ ଓ ଅଦମନୀୟ ବ୍ୟକ୍ତିତ୍ବ ସ୍ବର୍ଗତ ବିଜୁୁ ପଟ୍ଟନାୟକଙ୍କୁ ‘ସମ୍ବାଦ’ର ଶ୍ରଦ୍ଧାଞ୍ଜଳି।

ନିଜର ଶାରୀରିକ ଉଚ୍ଚତା ସହିତ ତାଳ ଦେଇ ଆପଣା ବ୍ୟକ୍ତିିତ୍ବ ଓ କୃତିତ୍ବର ଉଚ୍ଚତାକୁ ଶିଖରସ୍ପର୍ଶୀ କରିବାରେ ବୋଧହୁଏ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତୁଲ୍ୟ ରାଜନେତା ଆମ ଇତିହାସରେ ବା ବର୍ତ୍ତମାନରେ ଦୃଶ୍ୟମାନ ହୁଅନ୍ତି ନାହିଁ। କେବଳ ସେତିକି ନୁହେଁ, ଜଣେ ସ୍ବପ୍ନଦ୍ରଷ୍ଟା ଭାବେ ଓଡ଼ିଆ ଜାତି ଲାଗି ସ୍ବପ୍ନର ଉଡ଼ାଣ ଭରିବା ଓ ତାକୁ ବାସ୍ତବତାରେ ପରିଣତ କରି ସ୍ବପ୍ନ ଯେ ଅଳୀକ ନୁହେଁ, ତାହା ପ୍ରମାଣ କରିପାରିଥିବା ସେ ହେଉଛନ୍ତି ଏକମାତ୍ର ନେତା। ଜଣେ ଜନନେତା ଭାବେ ଲୋକପ୍ରିୟତାର ଶୀର୍ଷରେ ନିଜକୁ ସ୍ଥାପନ କରି ଜୀବଦ୍ଦଶାରେ କିଂବଦନ୍ତୀ ହୋଇ ପାରିଥିବା ଭାରତର ମୁଷ୍ଟିମେୟ ଜନନାୟକଙ୍କ ମଧ୍ୟରେ ‌ସେ ଅନ୍ୟତମ।

ଆଜି ତାଙ୍କର ପବିତ୍ର ଜନ୍ମ ଦିବସ। ଏହି ଅବସରରେ ସେହି ଅନନ୍ୟ ଓ ଅଦମନୀୟ ବ୍ୟକ୍ତିତ୍ବ ସ୍ବର୍ଗତ ବିଜୁୁ ପଟ୍ଟନାୟକଙ୍କ ପାଇଁ ‘ସମ୍ବାଦ’ର ଶ୍ରଦ୍ଧାଞ୍ଜଳି।

ସ୍ବର୍ଗତ ବିଜୁ ପଟ୍ଟନାୟକ ପ୍ରକୃତରେ ଥିଲେ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ବ। ଆଜିର ପିଢ଼ି, ଯାହା ମଧୢରୁ ଅଧିକା˚ଶଙ୍କ ଜନ୍ମ ବିଜୁ ବାବୁଙ୍କ ପରଲୋକ ଗମନ ପରେ ହୋଇଥିବ, ସେମାନେ ହୁଏ’ତ ବିଶ୍ବାସ କରିପାରିବେ ନାହିଁ ଯେ ଏହି ମାଟିରେ ଜନ୍ମିତ ଜଣେ ରାଜନେତା ଓ ଜନନେତା ନିଜର ଅଦମ୍ୟ ଦୁଃସାହସ ବଳରେ ଏକ ଈର୍ଷଣୀୟ ବିଶ୍ବ ସ୍ତରୀୟ ଉଚ୍ଚତା ହାସଲ କରିପାରିଥିଲେ।

ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର କଥା। ନାଜୀମାନଙ୍କ ଆକ୍ରମଣରୁ ରୁଷିଆକୁ ରକ୍ଷା କରିବା ପାଇଁ ମିତ୍ରପକ୍ଷ ତରଫରୁ ବିଜୁ ପଟ୍ଟନାୟକ ରୁଷିଆକୁ ଯୁଦ୍ଧାସ୍ତ୍ର ଯୋଗାଇ ଦିଅନ୍ତି। ଆନ୍ତର୍ଜାତିକ କ୍ଷେତ୍ରରେ ଚମକ ସୃଷ୍ଟି କରିଥିବା ଏହା ଥିଲା ତାଙ୍କର ପ୍ରଥମ କାର୍ଯ୍ୟ। ସେତେବେଳକୁ ସେ ବ୍ରିଟିସ ଶାସନାଧୀନ ଭାରତରେ ‘ରୟାଲ ଇଣ୍ଡିଆନ୍ ଏୟାର ଫୋର୍ସ’ରେ ଉଚ୍ଚ ପଦରେ କାର୍ଯ୍ୟରତ। ସୁତରା˚, ସମଗ୍ର ଭାରତର ନଜର ପଡ଼ିଥିଲା ଏହି ଦୁଃସାହସୀ ତରୁଣ ତୁର୍କୀଙ୍କ ଉପରେ।

ସେମିତି ୧୯୪୨ ମସିହାରେ ମିଳେ ତାଙ୍କ ସାହସିକତା ତଥା ଦେଶପ୍ରେମର ଏକ ଅନବଦ୍ୟ ଦୃଷ୍ଟାନ୍ତ। ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ ସମଗ୍ର ଦେଶ ‘ଭାରତ ଛାଡ଼’ ଆନ୍ଦୋଳନରେ ବ୍ୟାପୃତ ହୁଏ। ଅତି ଶୀଘ୍ର ଗାନ୍ଧୀଜୀଙ୍କ ସମେତ ବଡ଼ ବଡ଼ ନେତାଙ୍କୁ ଗିରଫ କରିନିଆଯାଏ। ଏବେ ଆନ୍ଦୋଳନ ଲାଗି ଏକ ଘଡ଼ିସନ୍ଧି କ୍ଷଣ ଉପନୀତ ହୋଇଯାଏ। ସମସ୍ତଙ୍କ ମନରେ ପ୍ରଶ୍ନ ନେତୃତ୍ବ ବିନା ଆନ୍ଦୋଳନ ଚାଲିବ କେମିତି? ସେହି ସମୟରେ ବିଜୁବାବୁ ଅଦମ୍ୟ ସାହସ ପ୍ରଦର୍ଶନ କରି ବ୍ରିଟିସ ବାୟୁସେନାର ବିମାନରେ ଅତ୍ୟନ୍ତ ଗୋପନୀୟ ଭାବେ ଅଚ୍ୟୁତ ପଟ୍ଟବର୍ଦ୍ଧନ, ପଟ୍ଟାଭି ସୀତାରାମେୟା, ଅରୁଣା ଆସଫ୍‌ ଅଲ୍ଲୀ ଏବ˚ ଜୟପ୍ରକାଶ ନାରାୟଣଙ୍କ ଭଳି ତୁଙ୍ଗ ନେତାମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଦେଶ ସାରା ‘ଭାରତ ଛାଡ଼’ ଆନ୍ଦୋଳନକୁ ଉଜ୍ଜୀବିତ ରଖିବାରେ ସାହାଯ୍ୟ କରନ୍ତି। କିନ୍ତୁ ଏଥିରେ ସେ ଧରା ପଡ଼ନ୍ତି ଏବ˚ ରାଜଦ୍ରୋହ ଅପରାଧରେ ଦଣ୍ତିତ ହୋଇ ଜେଲ୍‌ ମଧୢ ଭୋଗନ୍ତି। ଏକ ହଜାର ଦିନର ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗିଲା ପରେ ଦେଶର ସ୍ବାଧୀନତା ସମୟରେ ଖଲାସ ହୁଅନ୍ତି। ତାଙ୍କ ଅଦମନୀୟ ବ୍ୟକ୍ତିତ୍ବ ଆଗରେ ସମଗ୍ର ଦେଶର ମଥା ନତ ହୋଇଯାଏ।

ତା’ପରେ ଇଣ୍ତୋନେସିଆର ସ୍ବାଧୀନତା ଆନ୍ଦୋଳନ କାଳରେ ସେ ପୁଣି ଥରେ ତାଙ୍କର ସେହି ଦୁଃସାହସର ପରିଚୟ ଦିଅନ୍ତି। ଇଣ୍ତୋନେସିଆର ଏକ ବିପର୍ଯ୍ୟୟର କ୍ଷଣରେ ସେ ଦେଶର ଜାତୀୟ ନେତା ମହମ୍ମଦ ହଟ୍ଟା ଏବ˚ ସାହରିୟରଙ୍କୁ ଏକ ପ୍ରାସାଦ ଭିତରେ ଗୃହବନ୍ଦୀ କରି ଡଚ୍‌ ସୈନ୍ୟମାନେ ଯେତେବେଳେ ଘେରି ରହିଥାଆନ୍ତି, ସେତେବେଳେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ମନେ ପକାନ୍ତି ଅଦ୍ବିତୀୟ ବିଜୁ ବାବୁଙ୍କୁ। ବିଜୁ ପଟ୍ଟନାୟକ ତାଙ୍କୁ ନିରାଶ କରନ୍ତି ନାହିଁ। ସେ ଏକ ବିମାନ ଚଳାଇ ଯାଇ ସେହି କୋଠା ଛାତ ଉପରୁ ଏ ଦୁଇ ନେତାଙ୍କୁ ଉଠାଇ ଆଣି ଅପୂର୍ବ କୌଶଳ ଓ ସାହସିକତାର ପ୍ରମାଣ ଦିଅନ୍ତି। ଏହା ଇଣ୍ତୋନେସିଆର ସ୍ବାଧୀନତା ପ୍ରାପ୍ତିରେ ସହାୟକ ହୁଏ। ସେଥିପାଇଁ ଇଣ୍ତୋନେସିଆ ସରକାର ସେ ଦେଶର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଭୂମିପୁତ୍ର’ ଉପାଧିରେ ବିଜୁ ବାବୁଙ୍କୁ ଭୂଷିତ କରିଥିବା ବିଷୟ ସର୍ବଜନଜ୍ଞାତ।

ସ୍ବାଧୀନତା ପରବର୍ତ୍ତୀ କାଳରେ ଯେତେବେଳେ ଜାମ୍ମୁ କାଶ୍ମୀର ପାକିସ୍ତାନରେ ମିଶିବ କି ଭାରତରେ ମିଶିବ ସେ ନେଇ ତତ୍କାଳୀନ ଜାମ୍ମୁ କାଶ୍ମୀରର ମହାରାଜା ହରି ସି˚ହଙ୍କ ମତାମତ ନିର୍ଣ୍ଣାୟକ ଥିଲା, ସେହି ଘଡ଼ିସନ୍ଧି କ୍ଷଣରେ ବିଜୁବାବୁ ଦେଶର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ଭି.କେ. କୃଷ୍ଣମେନନ୍‌ଙ୍କୁ ସାଙ୍ଗରେ ନେଇ ରାଜା ହରି ସି˚ହଙ୍କ ନିକଟରେ ପହଞ୍ଚାଇ ନଥିଲେ ହୁଏତ ଜାମ୍ମୁ କଶ୍ମୀର ପାକିସ୍ତାନକୁ ଚାଲି ଯାଇଥାନ୍ତା। ଏ ବିଷୟକୁ କ’ଣ ନଜରଅନ୍ଦାଜ କରାଯାଇପାରେ?

୧୯୬୨ରେ ଚୀନ ଭାରତ ଉପରେ ଆକ୍ରମଣ କରିବା ସମୟରେ ଭାରତର ବାୟୁସେନା ଦୁର୍ବଳ ଥିଲା। ଲଦାଖ ଭଳି ଦୁର୍ଗମ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସୈନ୍ୟବାହିନୀକୁ ଖାଦ୍ୟ ଏବ˚ କମ୍ବଳ ଯୋଗାଇବା ପାଇଁ କୌଣସି ବିମାନ ଚାଳକ ସାହସ କରୁନଥିଲେ। ସେତିକି ବେଳେ ବିଜୁବାବୁ ଅତୁଳନୀୟ ସାହସ ଓ ଦକ୍ଷତାର ପ୍ରଦର୍ଶନ କରି ନିଜର ଡାକୋଟା ବିମାନ ଜରିଆରେ ଏହି ଦୁଃସାଧୢ କାର୍ଯ୍ୟଟି ସ˚ପାଦନ କରିଥିଲେ।

୧୯୬୫ ମସିହାରେ ପାକିସ୍ତାନ ଭାରତ ବିରୋଧରେ ଯୁଦ୍ଧ ଘୋଷଣା କଲା। ସେ ସମୟରେ ପାକିସ୍ତାନର ରାଷ୍ଟ୍ରପତି ଆୟୁବ ଖାଁ ପ୍ରାୟ ସବୁ ଇସ୍‌ଲାମୀୟ ରାଷ୍ଟ୍ରର ସମର୍ଥନ ହାସଲ କରିପାରିଥିଲେ ଏବ˚ ଇଣ୍ତୋନେସିଆ ନୌବାହିନୀକୁ ଭାରତ ବିରୋଧରେ ନିୟୋଜିତ କରାଇବାରେ କୂଟନୈତିକ ସଫଳତା ମଧ୍ୟ ହାସଲ କରିଥିଲେ। ସେଇ ସମୟରେ ଇଣ୍ତୋନେସିଆର ନୌବାହିନୀ ଅତ୍ୟନ୍ତ ଶକ୍ତିଶାଳୀ ଥିଲା। ସୁତରା˚, ଏ ସମସ୍ୟାର ସମାଧାନ ପାଇଁ ବିଜୁବାବୁଙ୍କର ସାହାଯ୍ୟ ଲୋଡ଼ାଗଲା। ବିଜୁବାବୁ ତତ୍‌କ୍ଷଣାତ୍‌ ରାଜି ହେଲେ। ସେତେବେଳର ଅତ୍ୟନ୍ତ ବିପଜ୍ଜନକ ପରିବେଶରେ ବିଜୁ ବାବୁ ଅନୌପଚାରିକ ଭାବେ ସପତ୍ନୀକ ଏକ ପର୍ଯ୍ୟଟକ ଦ˚ପତି ଭାବରେ ଇଣ୍ତୋନେସିଆ ଯାଇ ରାଷ୍ଟ୍ରପତି ସୁକର୍ଣ୍ଣଙ୍କୁ ସାକ୍ଷାତ କରି ପ୍ରଭାବିତ କରିପାରିଥିଲେ। ଇଣ୍ତୋନେସିଆର ସ୍ବାଧୀନତାରେ ବିଜୁ ବାବୁଙ୍କ ଅବଦାନର ପ୍ରତିଦାନ ସ୍ବରୂପ ଇଣ୍ତୋନେସିଆ ପାକିସ୍ତାନକୁ ସହାୟତା ଦେବାରୁ ଓହରିଗଲା।

ସ୍ବର୍ଗତ ବିଜୁ ବାବୁ ପ୍ରକୃତରେ ଥିଲେ ଝଡ଼ର ଇଗଲ୍‌। ତାଙ୍କର ସାହସିକତାର ପ୍ରମାଣ ସେହି ସମୟରେ ସାରା ବିଶ୍ବ ଦେଖିଥିଲା। ପରବର୍ତ୍ତୀ କାଳରେ ରାଜନୈତିକ ଜୀବନରେ ତାଙ୍କର ବେସାଲିସ ମନୋଭାବରେ ଏହି ସାହସିକତା ବାରମ୍ବାର ପ୍ରଦର୍ଶିତ ହୋଇଛି। ସାହସିକତାର ଉଡ଼ାଣରେ ସେ ଯେଉଁ ଉଚ୍ଚତା ଛୁଇଁଥିଲେ ତାକୁ ସ୍ପର୍ଶ କରିବା ହୁଏ’ତ ଅନ୍ୟ ଯେ କୌଣସି ରାଜନେତା ଓ ଜନନେତାଙ୍କ ପକ୍ଷରେ ଅସମ୍ଭବ।

ସମ୍ବନ୍ଧିତ ଖବର