ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧୀ ଟିକା ବାହାର କରିବାକୁ ବିଶ୍ବର ଅନେକ ଗବେଷକ ଦୌଡ଼ରେ ଅଛନ୍ତି। ଏ ନେଇ ଏକ ଶୁଭଙ୍କର କଥା କହିଛନ୍ତି ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ବିଲ୍ ଗେଟ୍ସ। ସେ କହିଛନ୍ତି କି ୨୦୨୧ ଗ୍ରୀଷ୍ମ ସୁଦ୍ଧା କୋଭିଡ୍-୧୯ ଟିକା ଉପଲବ୍ଧ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ଟିକା ତୁଳନାରେ କୋଭିଡ୍-୧୯ ଟିକା ଦ୍ରୁତ ଅଗ୍ରଗତିର ସହ ବିଶ୍ବ ବଜାରକୁ ଆସିବ ।
କୋଭିଡ-୧୯ ବିରୋଧୀ ଲଢ଼େଇରେ ଭାରତର ଅନୁସନ୍ଧାନ ଏବଂ ଟିକା ଉତ୍ପାଦନ କ୍ଷମତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଗେଟ୍ସ ପୁନର୍ବାର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତର ଲୋକଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଭାରତ ଅନେକ ପଦକ୍ଷେପ ନେଇଥିବାରୁ ଏହା ଅତ୍ୟନ୍ତ ପ୍ରେରଣାଦାୟକ। ବର୍ତ୍ତମାନ ଭାରତର ଅନୁସନ୍ଧାନ ଏବଂ ଉତ୍ପାଦନ କରୋନା ମୁକାବିଲା ପାଇଁ ବେଶ୍ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହେବ।
ଗେଟ୍ସଙ୍କ ଅନୁଯାୟୀ, ସମ୍ବେଦନଶୀଳ ଏବଂ ନିର୍ଦ୍ଦିଷ୍ଟ ନିଦାନ ପ୍ରକ୍ରିୟା ବିକାଶ ପାଇଁ ସମୟ ଆସିଛି। ସେ ଆହୁରି ବି କହିଛନ୍ତି ଯେ କୋଭିଡ୍-୧୯ ବିଶ୍ବ ଅର୍ଥନୀତି ଉପରେ ଖରାପ ପ୍ରଭାବ ପକାଇ ଏହାକୁ ଗଭୀର ଅର୍ଥନୈତିକ ଅବସାଦକୁ ଠେଲି ଦେଇଛି।
ଉଲ୍ଲେଖଯୋଗ୍ୟ, ଏବେ ସୁଦ୍ଧା ବିଶ୍ବରେ ସମୁଦାୟ ୪୦.୩ ମିଲିୟନ୍ କରୋନା ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି। ସେଥିମଧ୍ୟରୁ ୭.୬ ମିଲିୟନ୍ ଆକ୍ରାନ୍ତ ଭାରତର। ବିଶ୍ବରେ ଏବେ ସୁଦ୍ଧା ୧.୧୨ ମିଲିୟନ୍ ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ଆମ ଦେଶ ଭାରତରେ ପ୍ରାୟ ୧୧୫ ହଜାର ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି।