ଚୀନ୍ର ଜଣେ କୋଟିପତି ମହିଳା ବଜାରର ମାନ୍ଦାବସ୍ଥା ଯୋଗୁଁ ବର୍ଷକ ଭିତରେ ନିଜ ସମ୍ପତ୍ତିର ପ୍ରାୟ ଅର୍ଦ୍ଧେକ ହରାଇବା ପରେ ଏକ ଦାତବ୍ୟ ଅନୁଷ୍ଠାନକୁ ନିଜ ମୋଟ ସମ୍ପତ୍ତିର ଅର୍ଦ୍ଧାଧିକ ଦାନ କରିଦେଇଛନ୍ତି। ଏକଦା ଏସିଆର ସବୁଠୁ ଧନୀ ମହିଳାର ମାନ୍ୟତା ହାସଲ କରିଥିବା ଚୀନ୍ର ୪୨ ବର୍ଷିଆ ଉଦ୍ୟୋଗୀ ୟାଙ୍ଗ ହୁଇୟାନ୍ ୮୨.୬ କୋଟି ଡଲାର ବା ପାଖାପାଖି ୬,୮୩୦ କୋଟି ଟଙ୍କା ଦାନ କରି ନିଜର ମହାନତା ପ୍ରକାଶ କରିଛନ୍ତି। ତେବେ ତାଙ୍କର ଏହି ବଦାନ୍ୟତା ପଛରେ ସେୟାର ବଜାରର ମାନ୍ଦାବସ୍ଥା ଦାୟୀ ବୋଲି ଆଲୋଚନା ହେଉଛି। ଚୀନ୍ରେ ଏକଦା ବେସରକାରୀ ଭାବେ ଜାଗାବାଡ଼ି ବିକାଶ ବ୍ୟବସାୟରେ ଶୀର୍ଷରେ ଥିବା ହୁଇୟାନ୍ଙ୍କୁ କିଛି ବର୍ଷ ହେଲା ସେଠାରେ କୋଠାବାଡ଼ି ନିର୍ମାଣ କ୍ଷେତ୍ରରେ ଦେଖାଦେଇଥିବା ଘୋର ସଂକଟର ମୁକାବିଲା କରିବାକୁ ପଡ଼ିଛି। ଫଳରେ ହଜାର ହଜାର କୋଟି ଟଙ୍କାର ମାଲିକାଣୀ ଥିବା ହୁଇୟାନ୍ଙ୍କୁ ଗତ ବର୍ଷକ ଭିତରେ ମୋଟ ସମ୍ପତ୍ତିର ପ୍ରାୟ ଅଧାଅଧି ଭାଗ ହରାଇଛନ୍ତି।
ଏଭଳି ପରିସ୍ଥିତିରେ ଅନ୍ୟ ପୋଖତ ବ୍ୟବସାୟୀମାନେ ସ୍ବାଭାବିକ ଭାବେ ସ୍ଥିତିରେ ସୁଧାର ଆଣିବା ପାଇଁ ସଂସ୍ଥାରେ ବିଭିନ୍ନ ଖର୍ଚ୍ଚକାଟ ବ୍ୟବସ୍ଥା କରିଥାନ୍ତି। ମାତ୍ର ହୁଇୟାନ୍ ନିଜ ସମ୍ପତ୍ତିର ୫୫ ପ୍ରତିଶତ ଅର୍ଥାତ୍ ୮୨୬ ନିୟୁତ ଡଲାର ତାଙ୍କ ଭଉଣୀଙ୍କ ଦ୍ବାରା ସ୍ଥାପିତ ଏକ ଦାତବ୍ୟ ଅନୁଷ୍ଠାନକୁ ଦାନ କରିଦେଇଛନ୍ତି। ଏହାକୁ ସେ ନଗଦ ଅର୍ଥ ଆକାରରେ ନଦେଇ ତାଙ୍କ କମ୍ପାନିର ସମମୂଲ୍ୟର ସେୟାର ଦାନ କରିଦେଇଛନ୍ତି ଏବଂ ଆଗାମୀ ୧୦ ବର୍ଷ ଭିତରେ ଉକ୍ତ ସେୟାର ବିକ୍ରି ହୋଇପାରିବ ନାହିଁ ବୋଲି ମଧ୍ୟ ଶପଥପାଠ କରିଛନ୍ତି। ପ୍ରତିବର୍ଷ ଏହି ସେୟାରରୁ ମିଳିବାକୁ ଥିବା ଲାଭରେ ଉକ୍ତ ଦାତବ୍ୟ ଅନୁଷ୍ଠାନ ବିଜ୍ଞାନ, ଶିକ୍ଷା, ସଂସ୍କୃତି, ସ୍ବାସ୍ଥ୍ୟସେବା ଓ ବାର୍ଦ୍ଧକ୍ୟ ସେବାରେ ବିନିଯୋଗ କରିବ ବୋଲି ସେ ଆଶା ରଖିଛନ୍ତି।