ନୂଆଦିଲ୍ଲୀ: ଭାରତର ଯୁବପିଢ଼ି ପ୍ରତିଦିନ ନୂଆନୂଆ ଇତିହାସ ସୃଷ୍ଟି କରୁଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁବପିଢ଼ିଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇବାରେ ଲାଗିଛି। । ସମ୍ପ୍ରତି ଏମଥ୍ରିଏମ ହୁରନ ଇଣ୍ଡିଆ ୨୦୧୫ ଶ୍ରେଷ୍ଠ ୧୦ଜଣ ଧନୀ ତାଲିକା ପ୍ରକାଶ କରିଛି। ଏଥର ସବୁଠାରୁ କମ ବୟସର ଯୁବକଙ୍କର ଷ୍ଟାର୍ଟଅପ୍ ଅନଲାଇନ୍ ଗ୍ରୋସରି ଡେଲିଭରି ପ୍ଲାଟଫର୍ମ ଜେପ୍ଟୋ ବିଜୟୀ ହୋଇଛି।
ରିପୋର୍ଟ ଅନୁଯାୟୀ, ଦେଶରେ ବର୍ତ୍ତମାନ ୩୫୦ ରୁ ଅଧିକ କୋଟିପତି ଅଛନ୍ତି, ଯାହା ଗତ ୧୩ ବର୍ଷ ମଧ୍ୟରେ ଛଅ ଗୁଣ ବୃଦ୍ଧି ପାଇଛି। ଗତ ଦୁଇ ବର୍ଷ ମଧ୍ୟରେ ପ୍ରତି ସପ୍ତାହରେ ଜଣେ ନୂତନ କୋଟିପତି ଯୋଡା ହେଉଛନ୍ତି। ଯାହା ଭାରତୀୟ ଅର୍ଥନୀତିରେ ପରିବର୍ତ୍ତନ ଏବଂ ବିକାଶର ବର୍ଦ୍ଧିତ ଭୂମିକାକୁ ପ୍ରତିଫଳିତ କରୁଛି।
ଏହି ତାଲିକାରେ ସବୁଠାରୁ ଯୁବ କୋଟିପତି ହେଉଛନ୍ତି ଜେପ୍ଟୋର ସହ-ପ୍ରତିଷ୍ଠାତା କୈବଲ୍ୟ ଭୋହରା (୨୨) ଏବଂ ଆଦିତ୍ୟ ପାଲିଚା (୨୩)। କୈବଲ୍ୟ ଓ ଆଦିତ୍ୟଙ୍କର ସମ୍ପତ୍ତି ଯଥାକ୍ରମେ ୪,୪୮୦ କୋଟି ଏବଂ ୫,୩୮୦ କୋଟି ଟଙ୍କା ଥିବାର ଆକଳନ କରାଯାଇଛି।
୨୦୨୧ମସିହାରେ ଜେପ୍ଟୋ ପ୍ରତିଷ୍ଠିତ ହୋଇଥିଲା। ଏହାର ବ୍ୟବସାୟ ମେଟ୍ରୋ ସହରଗୁଡ଼ିକରେ ଦ୍ରୁତ ଗତିରେ ଆଗକୁ ବୃଦ୍ଧି ପାଇବାରେ ଲାଗିଛି।
କୈବଲ୍ୟ ଭୋହରା ଜେପ୍ଟୋର ସହ-ପ୍ରତିଷ୍ଠାତା ଏବଂ ସିଟିଓ। ସେ ବ୍ୟବସାୟରେ କ୍ୟାରିଅର କରିବା ପାଇଁ ୧୮ ବର୍ଷ ବୟସରେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ତାଙ୍କର କମ୍ପ୍ୟୁଟର ବିଜ୍ଞାନ ପ୍ରୋଗ୍ରାମ ଛାଡି ବ୍ୟବସାୟ ଦିଗରେ ଆଗକୁ ବଢ଼ିଥିଲେ। ସେ ଆଦିତ୍ୟ ପାଲିଚାଙ୍କ ସହିତ ମିଶି ୨୦୨୧ରେ ଜେପ୍ଟୋ ପ୍ରତିଷ୍ଠା କରିଥିଲେ। ଜେପ୍ଟୋର ଲକ୍ଷ୍ୟ ୧୦ ମିନିଟ୍ ମଧ୍ୟରେ ଗ୍ରୋସରି ସାମଗ୍ରୀ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା। ଇତିମଧ୍ୟରେ ଜେପ୍ଟୋ ଭାରତୀୟ ବଜାରରେ ନିଜର ଭଲ ପରିଚୟ ସୃଷ୍ଟି କରି ପାରିଛି।
ଆଦିତ୍ୟ ପାଲିଚା ହେଉଛନ୍ତି ଜେପ୍ଟୋର ସହ-ପ୍ରତିଷ୍ଠାତା ଏବଂ ସିଇଓ। ଆଦିତ୍ୟ ବି ଏହି ଷ୍ଟାର୍ଟଅପ୍ ଆରମ୍ଭ କରିବା ପାଇଁ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଛାଡ଼ି ଦେଇଥିଲେ। ଦୁଇସାଙ୍ଗଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠା ଜେପ୍ଟୋକୁ ସଫଳତାର ଉଚ୍ଚତାରେ ପହଞ୍ଚାଇଛି। ଦୁହିଁଙ୍କ ସଫଳତା ଭାରତୀୟ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/07/untitled-22-1-2025-10-07-14-17-03.jpg)