ଓଡ଼ିଶାରେ ଆନୁଷ୍ଠାନିକ ଭାବେ ଆଧୁନିକ ଚିତ୍ରକଳାର ପ୍ରସାର ପୂର୍ବରୁ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ବିନା ଜଣେ ଯୁଗସ୍ରଷ୍ଟା ଶିଳ୍ପୀ ପାଲଟିଥିଲେ ଶିଳ୍ପୀଗୁରୁ ବିମ୍ବାଧର ବର୍ମା। ୧୯୦୧ ଅଗଷ୍ଟ ୨୧ରେ କଟକ ଜିଲ୍ଲା କୁସୁପୁର ଗ୍ରାମରେ ସେ ଜନ୍ମ ହୋଇଥିଲେ। ତାଙ୍କର ପ୍ରକୃତ ନାମ ବିମ୍ବାଧର ଜେନା, କିନ୍ତୁ ସେ ନିଜ ସାଙ୍ଗିଆ ବଦଳାଇ ‘ବର୍ମା’ରଖିଥିଲେ। ପିଲାବେଳେ ମା’ ଝୋଟି ଓ ମୁରୁଜ ଆଙ୍କୁଥିବାର ଦେଖି ସେ ଚିତ୍ର କରିବା ପାଇଁ ଅନୁପ୍ରାଣିତ ହୋଇଥିଲେ। ଏହା ପରେ ଜଣେ ବଙ୍ଗାଳୀ ମୂର୍ତ୍ତିକାରଙ୍କୁ ଅନୁକରଣ କରି ସେ ମାଟି ମୂର୍ତ୍ତି ତିଆରି କରିବା ଶିଖିଥିଲେ। ବିମ୍ବାଧର ଏଭଳି ଜଣେ ବିରଳ ବ୍ୟକ୍ତିତ୍ବ ଯାହାଙ୍କ ଠାରେ ଚାରୁକଳା ଓ ସାରସ୍ବତ ପ୍ରତିଭା ଏକୀଭୂତ ହୋଇଥିଲା।
ଜୀବନରେ ବହୁ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଥିଲେ ବି ସେ ଆଜୀବନ ଚିତ୍ରକଳା ଓ ସାହିତ୍ୟ ସାଧନା ଅବ୍ୟାହତ ରଖିଥିଲେ। ସେ ଥିଲେ ଜଣେ ଖାଣ୍ଟି ଓଡ଼ିଆ କଳାକାର। ‘ପଲ୍ଲୀବଧୂ’, ‘ଲାବଣ୍ୟବତୀ’, ‘ଦେବଦାସୀ’, ‘ଗୋଧୂଳି’, ‘ପ୍ରସାଧନ’, ‘ଗୋପିକା’, ‘ନବବଧୂର ପ୍ରସାଧନ’, ‘ରାଗିଣୀ’, ‘ଶକୁନ୍ତଳା’, ‘ବାଲିରଥ’, ‘ମେଘଦୂତ’, ‘ସାଧବ ଝିଅ’ ଆଦି ତାଙ୍କର କେତେକ ସାର୍ଥକ କୃତି। ସେ ବାଲ ଗଙ୍ଗାଧର ତିଳକ, ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ ପ୍ରମୁଖଙ୍କ ପ୍ରତିମା ଗଢ଼ି ପ୍ରଶଂସିତ ହୋଇଥିଲେ। ତାଙ୍କର ଏକମାତ୍ର ପ୍ରକାଶିତ ଉପନ୍ୟାସ ‘ପତିପତ୍ନୀ’ ଓଡ଼ିଶା ସାହିତ୍ୟର ଏକ ଅମୂଲ୍ୟ ସମ୍ପଦ। ମାତ୍ର ୫୩ ବର୍ଷ ବୟସରେ ୧୯୫୩ ଡିସେମ୍ବର ଆଜି ଦିନରେ ଏହି ମହାନ ଶିଳ୍ପୀଙ୍କର ପରଲୋକ ହୋଇଥିଲା।