ପ୍ଲାଷ୍ଟିକ୍‌ ପଦାର୍ଥ ଉପରେ ଆମର ଚରମ ନିର୍ଭରଶୀଳତା ଏବେ ଆମ ପାଇଁ ଉତ୍କଟ ସମସ୍ୟା ହୋଇ ଦେଖା ଦେଇଛି। ଏଥିରୁ ନିସ୍ତାର ପାଇବା ପାଇଁ ବୈଜ୍ଞାନିକମାନେ ପ୍ଲାଷ୍ଟିକ୍‌ର ନୂଆନୂଆ ବିକଳ୍ପ ଉଦ୍ଭାବନ କରିବା ପ୍ରୟାସ ଜାରି ରଖିଛନ୍ତି। ଏହି କ୍ରମରେ ଏକ ନୂତନ ଧରଣର ସ୍ବୟଂ ଜୈବବିଘଟନଶୀଳ ପଦାର୍ଥ ଆଶ୍ବସ୍ତି ଆଣିଛି। ଫୋନ୍‌ ଖୋଳ ଠାରୁ ଆରମ୍ଭ କରି ଗାଡ଼ିମୋଟର ଯନ୍ତ୍ରାଂଶ ଯାଏ ବହୁଳ ଭାବେ ବ୍ୟବହୃତ ହେଉଥିବା ଥର୍ମୋପ୍ଳାଷ୍ଟିକ୍‌ ପଲିୟୁରେଥିନ୍‌ (ଟିପିୟୁ) ନାମକ ପ୍ଳାଷ୍ଟିକ୍‌ ସହିତ ‘ବାସିଲସ୍‌ ସବ୍‌ଟିଲିସ୍‌’ ପ୍ରଜାତିର ବୀଜାଣୁର ମିଶ୍ରଣରେ ଏହି ନୂଆ ବିଘଟନଶୀଳ ପ୍ଳାଷ୍ଟିକ୍‌ ପ୍ରସ୍ତୁତ କରାଯାଇଛି। ଉକ୍ତ ବୀଜାଣୁର ପ୍ରଜନନକ୍ଷମ କୋଷ (ସ୍ପୋର୍‌) ସହିତ ଟିପିୟୁକୁ ପ୍ରାୟ ୧୩୫ ଡିଗ୍ରି ସେଲସିଅସ୍ ତାପମାତ୍ରାରେ ମିଶାଯାଇଥାଏ।

Advertisment

ବିଘଟନକାରୀ ବୀଜାଣୁର ସ୍ପୋର୍‌ଗୁଡ଼ିକ ସହ ସେଥିରେ ସେମାନଙ୍କର ବୃଦ୍ଧି ପାଇଁ ଆବଶ୍ୟକ ପୋଷକ ମଧ୍ୟ ମିଶାଯାଇଥାଏ। ବର୍ତ୍ତମାନ ସୁଦ୍ଧା ପ୍ଲାଷ୍ଟିକକୁ ସଂପୂର୍ଣ୍ଣ ବିଘଟିତ କରିବା ପାଇଁ ମାଟିରେ କିମ୍ବା କମ୍ପୋଷ୍ଟ ଗଦାରେ ଅନୁକୂଳ ବିପାଚକ (ଏଞ୍ଜାଇମ୍‌) ମିଶାଯାଉଛି, ଯହିଁରେ ପ୍ରଚୁର ପରିମାଣର ବିଘଟନକାରୀ ଅଣୁଜୀବ ରହିଥାନ୍ତି। ତେବେ ଏହି ନୂତନ ଧରଣର ପ୍ଳାଷ୍ଟିକ୍‌ର ବିଶେଷତ୍ବ ହେଲା, କୌଣସି ବାହ୍ୟ ବିପାଚକ ବିନା ଏହା ଆପେ ବିଘଟିତ ହୋଇପାରିବ। ଏପରିକି ଉକ୍ତ ପ୍ଲାଷ୍ଟିକ୍‌ ଅବ୍ୟବହୃତ ହୋଇ ପଡ଼ି ରହିବାର ୫ ମାସ ଭିତରେ ଏହାର ୯୦ ପ୍ରତିଶତ ବିଘଟନ ହୋଇପାରିବ। ଖାଲି ସେତିକି ନୁହେଁ, ଟିପିୟୁରେ ସ୍ପୋର୍‌ ମିଶ୍ରଣ ଦ୍ବାରା ତାହା ୩୦ ପ୍ରତିଶତ ଅଧିକ ଶକ୍ତ ମଧ୍ୟ ହୋଇପାରୁଛି।