ସାଂପ୍ରଦାୟିକ ସଦ୍ଭାବନାର ଭିନ୍ନ ଉଦାହରଣ : ଟଙ୍କା ଆଦାୟ କରି ହିନ୍ଦୁ ମନ୍ଦିରର ପୁନଃ ନିର୍ମାଣ କଲେ ମୁସ୍ଲିମ୍
ବୀରଭୁମ୍ : ପଶ୍ଚିମବଙ୍ଗର ବୀରଭୁମ୍ରେ ସାଂପ୍ରଦାୟିକ ସଦ୍ଭାବନାର ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି । ଏଠାରେ ରହୁଥିବା ମୁସ୍ଲିମ୍ମାନେ ଟଙ୍କା ଆଦାୟ କରି ଭାଙ୍ଗି ଯାଇଥିବା କାଳୀ ମନ୍ଦିରର ପୁନଃ ନିର୍ମାଣ କରିଛନ୍ତି । ଦୁଇ ବର୍ଷ ତଳେ ରାସ୍ତାକୁ ଚଉଡ଼ା କରିବା ପାଇଁ ସେଠାରେ ଥିବା କାଳୀ ମନ୍ଦିରକୁ ଭାଙ୍ଗି ଦିଆଯାଇଥିଲା । କିନ୍ତୁ ଏବେ ମୁସ୍ଲିମ୍ ଭାଇମାନେ ମିଶି ଏହାକୁ ପୁଣି ଥରେ ଠିଆ କରିଛନ୍ତି । ଅକ୍ଟୋବର ୨୭ରେ ମନ୍ଦିରର ଉଦ୍ଘାଟନ କରାଯାଇଥିବା ବେଳେ ଏହାକୁ ସ୍ଥାନୀୟ ମସ୍ଜିଦ୍ର ମୌଲବୀ ଆସି ଉଦ୍ଘାଟିତ କରିଥିଲେ ବୋଲି ଜଣା ପଡ଼ିଛି ।

ମିଳିଥିବା ସୂଚନା ମୁତାବକ, ମୌଲବୀ ନଶିରୁଦ୍ଦିନ ମଣ୍ଡଲ ଓ ମୁସ୍ଲିମ୍ ସମୁଦାୟର ସଦସ୍ୟ ମିଶି ଜମି କିଣିବା ସହ ମନ୍ଦିର ନିର୍ମାଣ ପାଇଁ ଟଙ୍କା ଆଦାୟ କରିଥିଲେ । ମନ୍ଦିର ଭଙ୍ଗା ହେବା ପରେ ସ୍ଥାନୀୟ ଲୋକେ ଏହାର ନିର୍ମାଣ ପାଇଁ ଟଙ୍କା ଆଦାୟ କରୁଥିଲେ । ଏହା ଦେଖି ସେମାନଙ୍କ ସହାୟତା ପାଇଁ ମୁସ୍ଲିମ୍ ସମୁଦାୟର ଲୋକେ ହାତ ବଢ଼ାଇଥିଲେ । ବିଭିନ୍ନ ପ୍ରକାରର ଅଭିଯାନ କରି ୧୦ଲକ୍ଷ ଟଙ୍କା ଆଦାୟ କରାଯାଇଥିଲା । ମନ୍ଦିର ନିର୍ମାଣ ପରେ ଏହାକୁ ଜଣେ ମୌଲବୀ ଉଦ୍ଘାଟିତ କରିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଥମ ଥର ପାଇଁ ମୌଲବୀ ହିନ୍ଦୁ ମନ୍ଦିରର ଉଦ୍ଘାଟନ କରିଥିବା କହିଛନ୍ତି ।