ଆସାମରେ ଜାତିଙ୍ଗା ନାମକ ଏକ ଗାଁ ରହିଛି ଯାହା ଏକ ରହସ୍ୟମୟ କାରଣ ପାଇଁ ବିଶ୍ବବ୍ୟାପୀ ପରିଚିତ। ରାଜଧାନୀ ଗୁଆହାଟୀ ଠାରୁ ୩୩୦ କି.ମି. ଦୂରରେ ଅବସ୍ଥିତ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଗାଁରେ ଅଢ଼େଇ ହଜାର ଲୋକ ବସବାସ କରନ୍ତି। ତେବେ ଏହାର ବୈଶିଷ୍ଟ୍ୟ ହେଲା ଏଠାରେ ପକ୍ଷୀମାନେ ଆତ୍ମହତ୍ୟା କରନ୍ତି। ପ୍ରତିବର୍ଷ ସେପ୍ଟେମ୍ବରରୁ ନଭେମ୍ବର ଭିତରେ ପକ୍ଷୀମାନଙ୍କର ଗଣଆତ୍ମହତ୍ୟା ପାଇଁ ଏହି ଗାଁ ଚର୍ଚ୍ଚାରେ ରହିଥାଏ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ସନ୍ଧ୍ୟା ୬ଟାରୁ ରାତି ସାଢ଼େ ୯ଟା ଭିତରେ ପକ୍ଷୀମାନଙ୍କର ଗଣମୃତ୍ୟୁ ଦେଖାଯାଇଥାଏ। ଏହି ପ୍ରକ୍ରିୟାରେ ସ୍ଥାନୀୟ ପକ୍ଷୀ ସମେତ ଅଧିକାଂଶ ବହିରାଗତ ପକ୍ଷୀ ମଧ୍ୟ ସାମିଲ ହୋଇଥା’ନ୍ତି। ଏକ ରିପୋର୍ଟ ଅନୁଯାୟୀ, ଏହି ଆତ୍ମହତ୍ୟା ଦୌଡ଼ରେ ମାଛରଙ୍କା, କାଣ୍ଟିବଗ, କଜଳପାତି, ଭଦଭଦଳିଆ ଓ ପାଣିକୁଆ ପରି ପ୍ରାୟ ୪୦ ପ୍ରଜାତିର ସ୍ଥାନୀୟ ଓ ବହିରାଗତ ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ।
ଏଥିପାଇଁ ଜାତିଙ୍ଗାକୁ ପୃଥିବୀର ଅନ୍ୟତମ ଆତଙ୍କଜନକ ସ୍ଥାନ ଭାବେ ଅନେକ ବିବେଚନା କରନ୍ତି। ସାମାଜିକ ଗଣମାଧ୍ୟମ ଇନ୍ଷ୍ଟାଗ୍ରାମ୍ରେ ଏ ସଂକ୍ରାନ୍ତ ଏକ ଭିଡିଓ ଖୁବ୍ ପ୍ରଚାରିତ ହେବାରେ ଲାଗିଛି। ପକ୍ଷୀମାନେ ଗଛ, ଲାଇଟ୍ପୋଷ୍ଟ ଓ କୋଠା ଉପରେ ଚଢ଼ିଯାଉଥିବା କୁହାଯାଉଛି। ବର୍ଷ ବର୍ଷ ଧରି ଏହି ଘଟଣା ପଛରେ ‘ଦୁଷ୍ଟ ଆତ୍ମା’ର ହାତ ରହିଛି ବୋଲି ଗ୍ରାମବାସୀ ବିଶ୍ବାସ କରନ୍ତି। ସେହିପରି ସେହି ଅଞ୍ଚଳରେ ଅତ୍ୟଧିକ ଚୁମ୍ବକୀୟ କ୍ଷେତ୍ର ଯୋଗୁଁ ଏପରି ଘଟୁଛି ବୋଲି ଅନେକ ଭାବନ୍ତି। ଏପରି ଅନେକ ତତ୍ତ୍ବ ଶୁଣିବାକୁ ମିଳୁଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳରେ ସଂଘଟିତ ପକ୍ଷୀ ଆତ୍ମହତ୍ୟାର କୌଣସି ପ୍ରାମାଣିକ ବ୍ୟାଖ୍ୟା ନାହିଁ। ଅପରପକ୍ଷେ, ପ୍ରାକୃତିକ କାରଣରୁ ଜାତିଙ୍ଗା ବର୍ଷର ୯ ମାସ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହୁଥିବା ବେଳେ ରାତିରେ ଗାଁ ଭିତରକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।