ମହାବିଷୁବ ସଂକ୍ରାନ୍ତି ଓଡ଼ିଶାରେ ପାଳିତ ହୁଏ ନୂଆବର୍ଷ ରୂପେ। ଏହା ସୌରବର୍ଷର ପ୍ରଥମ ଦିନ। ଏ ପର୍ବ ସୂର୍ଯ୍ୟଙ୍କୁ ନେଇ।
ସଭ୍ୟତାର ଆଦିକାଳରୁ ସୂର୍ଯ୍ୟ ଦେବତା ରୂପେ ସ୍ୱୀକୃତ ହୋଇଆସିଛନ୍ତି। କାରଣ, ସେ ସକଳ ଶକ୍ତିର ଆଧାର। ତାଙ୍କ ବିନା ଏ ସୃଷ୍ଟି ସମ୍ଭବ ନୁହେଁ। ତେଣୁ ସୃଷ୍ଟି, ସ୍ଥିତି ଓ ସଂହାରର ତ୍ରିଦେବତା- ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ସୂର୍ଯ୍ୟଙ୍କ ସହ ସମାନ ରୂପେ ସ୍ୱୀକାର କରାଯାଇଛି। କୁହାଯାଇଛି- ଉଦୟରେ ସେ ବ୍ରହ୍ମା, ମଧ୍ୟାହ୍ନରେ ସେ ଶିବ ଏବଂ ସଂଧ୍ୟାରେ ସେ ବିଷ୍ଣୁ। ଏହି ତ୍ରିମୂର୍ତ୍ତି ଓ ତ୍ରିଦେବ ହେଉଛନ୍ତି ସୂର୍ଯ୍ୟ।
ସୂର୍ଯ୍ୟଙ୍କର ଅନ୍ୟନାମ ‘ବିରଞ୍ଚି’। ‘ରଚ୍’ ବା ସୃଷ୍ଟି କରିବା ଅର୍ଥରେ, ପୂର୍ବରେ ‘ବି’ ଓ ପରେ ‘ଇ’ ମିଶି ଏ ଶବ୍ଦ ସୃଷ୍ଟି ହୋଇଛି। ଏହା ସୂର୍ଯ୍ୟଙ୍କୁ ଏବଂ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ବୁଝାଏ। ସୂର୍ଯ୍ୟଙ୍କୁ ନାରାୟଣଙ୍କ ସହ ସମନ୍ୱିତ କରି ‘ସୂର୍ଯ୍ୟନାରାୟଣ’ ବା ‘ବିରଞ୍ଚିନାରାୟଣ’ ଭାବଧାରା ଆମ ଉପାସନାଧାରାରେ ସ୍ଥାନ ପାଇଛି। ଏହି ଧାରାରେ କେଉଁଠାରେ ସୂର୍ଯ୍ୟ ଓ ନାରାୟଣଙ୍କର ମିଳିତ ମୂର୍ତ୍ତି ଉପାସିତ ହୁଅନ୍ତି ତ କେଉଁଠାରେ ସୂର୍ଯ୍ୟନାରାୟଣ ଭାବରେ ସୂର୍ଯ୍ୟମୂର୍ତ୍ତି ହିଁ ଉପାସିତ ହୋଇଥାନ୍ତି।
ଉଦୟରେ ସେ ବ୍ରହ୍ମା, ମଧ୍ୟାହ୍ନରେ ସେ ଶିବ ଏବଂ ସଂଧ୍ୟାରେ ସେ ବିଷ୍ଣୁ। ଏହି ତ୍ରିମୂର୍ତ୍ତି ଓ ତ୍ରିଦେବ ହେଉଛନ୍ତି ସୂର୍ଯ୍ୟ।
ଗଞ୍ଜାମ ଜିଲାର ବୁଗୁଡ଼ାରେ ଥିବା ‘ବିରଞ୍ଚିନାରାୟଣ’ ମୂର୍ତ୍ତି ଏ ଦୃଷ୍ଟିରୁ ବିଶେଷତ୍ୱପୂର୍ଣ୍ଣ। ଏହି ବିଗ୍ରହ ପୂଜିତ ହେଉଥିବା ପୀଠକୁ ମନ୍ଦିର ଆଖ୍ୟା ଦିଆଯାଉଥିଲେ ହେଁ, ପ୍ରକୃତରେ ଏହା ଊନବିଂଶ ଶତାବ୍ଦୀର ଏକ ମଠ। ଏହି ବିଗ୍ରହ ପ୍ରାୟ ୬ ଫୁଟ ଉଚ୍ଚତାବିଶିଷ୍ଟ କଳାମୁଗୁନି ପଥରର ଦ୍ୱିଭୁଜ ମୂର୍ତ୍ତି। ଏହାଙ୍କର ଦୁଇ ହାତରେ ପ୍ରସ୍ଫୁଟିତ ପଦ୍ମ ରହିଛି। ଏହାଙ୍କର ରାଜକୀୟ ପରିଧାନ ମଧ୍ୟରେ, ପାଦରେ ଜୋତା ଓ କଟିରେ ଛୁରୀ ରହିଛି ଏବଂ ମସ୍ତକରେ ରହିଛି ମୁକୁଟ। ପାଦଦେଶରେ ଛାୟାଦେବୀ ଏବଂ ପାଦର ଦୁଇପାର୍ଶ୍ବରେ ଶିଷ୍ୟ ରୂପେ ଦଣ୍ଡି, ପିଙ୍ଗଳ ଓ ମାଠର ରହିଛନ୍ତି। ମସ୍ତକର ପ୍ରଭାର ଦୁଇ ପାଶ୍ୱର୍ରେ ଦୁଇ ଅପ୍ସରୀ ଅବସ୍ଥିତା ଅଛନ୍ତି।
ତେବେ, ଏହି ବିଗ୍ରହ ସୂର୍ଯ୍ୟ ଓ ନାରାୟଣଙ୍କର ମିଳିତ ବିଗ୍ରହ ନୁହନ୍ତି। ଏହା ଯେ ସୂର୍ଯ୍ୟଦେବଙ୍କର ବିଗ୍ରହ, ଏହାର ପ୍ରମାଣ ହେଉଛି- ଏହାଙ୍କର ପାଦଦେଶର ସମ୍ମୁଖଭାଗରେ, ଠିକ୍ ଛାୟାଦେବୀଙ୍କ ନିମ୍ନଦେଶରେ ରହିଛନ୍ତି ସୂର୍ଯ୍ୟଦେବଙ୍କର ସାରଥି ଅରୁଣ ଏବଂ ସେ ସାତଗୋଟି ଅଶ୍ୱଙ୍କୁ ସଂଚାଳିତ କରୁଛନ୍ତି।