୧୮୬୪ ଡିସେମ୍ବର ୨୪ରେ କଟକ ଅନ୍ତର୍ଗତ ମୂଳବସନ୍ତ ଗ୍ରାମରେ ଜନ୍ମ ହୋଇଥିଲେ ବାଗ୍ମୀ ବିଶ୍ବନାଥ କର। ସେ ଏକାଧାରରେ ଜଣେ ପ୍ରାବନ୍ଧିକ, ପ୍ରକାଶକ, ସଂପାଦକ ଓ ସମାଜ ସଂସ୍କାରକ। ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଓଡ଼ିଆ ସାହିତ୍ୟର ଯେଉଁ ନବଜାଗରଣ ହୋଇଥିଲା ସେ ଥିଲେ ତାହାର ପଥପ୍ରଦର୍ଶକ। ‘ଉତ୍କଳ ସାହିତ୍ୟ’ର ସଂପାଦକ ଭାବେ ତାଙ୍କର ଅବଦାନ ଅବିସ୍ମରଣୀୟ। ଏହି ପତ୍ରିକା ଓଡ଼ିଆ ପ୍ରବନ୍ଧ-ସାହିତ୍ୟ ବିଭାଗର ଉନ୍ନତି ସହ ଓଡ଼ିଆ ଲେଖକ-ଗୋଷ୍ଠୀ ସୃଷ୍ଟି ଦିଗରେ ବିଶେଷ ଭୂମିକା ନିର୍ବାହ କରିଥିଲା। ଦୀର୍ଘ ଅଠତିରିଶ ବର୍ଷ ଧରି ସେ ଏହି ପତ୍ରିକାର ସ˚ପାଦନା ଜାରି ରଖିଥିଲେ। ଫକୀରମୋହନ ସେନାପତି, ମଧୁସୂଦନ ରାଓ, ଗୋପାଳ ଚନ୍ଦ୍ର ପ୍ରହରାଜ, ନନ୍ଦକିଶୋର ବଳ, ଶଶିଭୂଷଣ ରଥ, କୁନ୍ତଳା କୁମାରୀ ସାବତ, ଗୋଦାବରୀଶ ମିଶ୍ର, କାଳିନ୍ଦୀଚରଣ ପାଣିଗ୍ରାହୀ, ମାୟାଧର ମାନସିଂହ, ରାଧାମୋହନ ଗଡ଼ନାୟକ, ଗୋପବନ୍ଧୁ ଦାସ, ସଚ୍ଚିଦାନନ୍ଦ ରାଉତରାୟ ପ୍ରମୁଖଙ୍କ ଲେଖା ‘ଉତ୍କଳ ସାହିତ୍ୟ’ରେ ପ୍ରକାଶ ପାଉଥିଲା। ଶୁଦ୍ଧ ତଥା ନିର୍ଭୁଲ୍ ଓଡ଼ିଆ ମୁଦ୍ରଣ ଓ ପ୍ରକାଶନ ଉଦ୍ଦେଶ୍ୟରେ ସେ କଟକଠାରେ ‘ଉତ୍କଳ ସାହିତ୍ୟ ପ୍ରେସ୍’ ସ୍ଥାପନ କରିଥିଲେ।
ବିଶାଳ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ଏହି ପ୍ରେସ୍ରେ ମୁଦ୍ରିତ ହୋଇଥିଲା। ବାଗ୍ମୀ ବିଶ୍ବନାଥ ‘ଉତ୍କଳ ସମ୍ମିଳନୀ’ର ଜଣେ ବରିଷ୍ଠ କର୍ମୀ ଓ ପ୍ରବକ୍ତା ଥିଲେ। ସମାଜ ସଂସ୍କାର ପାଇଁ ସାହିତ୍ୟକୁ ମାଧ୍ୟମ ରୂପେ ବ୍ୟବହାର କରୁଥିଲେ। ବିଧବା ବିବାହ, ନାରୀ ଶିକ୍ଷାକୁ ସମର୍ଥନ କରିବା ସହିତ ଜାତିପ୍ରଥାକୁ ଖୋଲାଖୋଲି ବିରୋଧ କରୁଥିଲେ। ସାହିତ୍ୟ ସମ୍ପାଦନା ଓ ପ୍ରବନ୍ଧ ରଚନା ଜରିଆରେ ସେ ଓଡ଼ିଆ ସାରସ୍ବତ ଜଗତକୁ ଋଦ୍ଧିମନ୍ତ କରିଥିଲେ। ଦେଶର ସ୍ବାଧୀନତା ଲାଗି ସେ ଜାତୀୟ କଂଗ୍ରେସ୍ରେ ଯୋଗ ଦେଇଥିଲେ ଏବଂ ୧୯୧୨ରେ ବିହାର-ଓଡ଼ିଶା କାଉନ୍ଲିସ୍କୁ ନିର୍ବାଚିତ ହୋଇଥିଲେ। ତାଙ୍କ ଉଦ୍ୟମରେ କଲିକତା ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷାରେ ଏଫ୍.ଏ. ଓ ବି.ଏ. ପରୀକ୍ଷା ଅନ୍ତର୍ଭୁକ୍ତ ହୋଇଥିଲା। ଇଂରେଜ ସରକାର ତାଙ୍କୁ ‘ରାୟ ବାହାଦୂର’ ଉପାଧି ପ୍ରଦାନ କରିଥିଲେ। ୧୯୩୪ ଅକ୍ଟୋବର ୧୯ରେ ସେ ପରଲୋକ ଗମନ କରିଥିଲେ।