ଆଜି ଜନ୍ମଦିନ: ସ୍ବାଧୀନତା ସଂଗ୍ରାମୀ ନିରଞ୍ଜନ ପଟ୍ଟନାୟକ

ଦକ୍ଷିଣ ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନିରଞ୍ଜନ ପଟ୍ଟନାୟକ ୧୮୯୬ ମସିହା ଆଜିର ଦିନରେ ଜନ୍ମ ହୋଇଥିଲେ। ଗଞ୍ଜାମ ଜିଲ୍ଲାର ପୋଲସରା ଅନ୍ତର୍ଗତ ରଖାକଣା ତାଙ୍କର ଜନ୍ମ ସ୍ଥାନ। ସେ ଶୈଶବରୁ ମେଧାବୀ ଛାତ୍ର ଥିଲେ। ମାତୃଭୂମିକୁ ଖୁବ୍ ଭଲ ପାଉଥିଲେ। ସେ କାଳରେ ଭାରତର ଅନ୍ୟ ଅଞ୍ଚଳର ଲୋକେ ଓଡ଼ିଶା ସମ୍ପର୍କରେ ବିଶେଷ କିଛି ଜାଣି ନ ଥିଲେ। ଏହା ତାଙ୍କୁ ବ୍ୟଥିତ କରୁଥିଲା। ଜାତୀୟ ସ୍ତରରେ ଓଡ଼ିଆଙ୍କୁ ପରିଚିତ କରାଇବା ପାଇଁ ନିରଞ୍ଜନ ବିଶେଷ ଉଦ୍ୟମ କରିଥିଲେ। ସେ ବନ୍ଧୁ ଚକ୍ରପାଣି ପ୍ରଧାନଙ୍କ ସହ ମିଶି ‘ଦ ଓଡ଼ିଆ ମୁଭ୍‌ମେଣ୍ଟ’ ନାମକ ପୁସ୍ତକ ପ୍ରକାଶ କରିଥିଲେ ଯାହା ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମର ଖସଡ଼ା ମଧ୍ୟ ପ୍ରସ୍ତୁତ କରିଥିଲା।

୪ ଡିସେମ୍ବର‌ ୧୯୨୭ରେ ମହାତ୍ମା ଗାନ୍ଧୀ ତୃତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁରରେ ପହଞ୍ଚିଥିଲେ। ଗାନ୍ଧୀଙ୍କର ଏହି ଗସ୍ତକୁ ସ୍ମରଣୀୟ କରିବା ପାଇଁ ନିରଞ୍ଜନ ‘ଗାନ୍ଧୀ ସମାଚାର’ର ପ୍ରକାଶନ ଆରମ୍ଭ କରିଥିଲେ। ତାଙ୍କ ସମ୍ପାଦନାରେ ଏହା ଏକ ଦୈନିକ ବୁଲେଟିନ୍‌ ରୂପେ ପ୍ରକାଶ ପାଉଥିଲା। ଏଥିରେ ଗାନ୍ଧୀଙ୍କ ଗସ୍ତ ସ˚ପର୍କିତ ବିଭିନ୍ନ ଖବର ସ୍ଥାନ ପାଉଥିଲା। ଖଦିର ପ୍ରସାର ପାଇଁ ମଧ୍ୟ ନିରଞ୍ଜନ ବହୁ କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ସେ ଜାତୀୟ କ˚ଗ୍ରେସର କୋଲକାତା ଅଧିବେଶନରେ ଯୋଗଦେଇ ଓଡ଼ିଶାକୁ ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ପ୍ରଦାନ ଲାଗି ପ୍ରସ୍ତାବ ଆଗତ କରିଥିଲେ। ଉକ୍ତ ପ୍ରସ୍ତାବକୁ ଅଧିବେଶନର ସଭାପତି ମୋତିଲାଲ ନେହରୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏହାର ବିରୋଧ କରି ନିରଞ୍ଜନଙ୍କ ନେତୃତ୍ବରେ ଓଡ଼ିଆ ପ୍ରତିନିଧି ଦଳ ଅଧିବେଶନ ବର୍ଜନ କରିଥିଲେ। ୧୯୪୩ ଅଗଷ୍ଟ ୧୫ରେ ସଂଗ୍ରାମୀ ନିରଞ୍ଜନ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର