ଓଡ଼ିଶା ରାଜନୀତିରେ ଦୀର୍ଘ ୫୦ ବର୍ଷରୁ ଅଧିକ କାଳ ସକ୍ରିୟ ରହି ମୂଲ୍ୟବୋଧ ଭିତ୍ତିକ ରାଜନୀତିର ପ୍ରତୀକ ପାଲଟିଥିଲେ ଗଙ୍ଗାଧର ମହାପାତ୍ର। ପୁରୀ ଜିଲ୍ଲା ବିଶ୍ବନାଥପୁର ଶାସନରେ ୧୯୧୪ ଜୁଲାଇ ଆଜି ତାରିଖରେ ସେ ପଣ୍ଡିତ ଦାମୋଦର ମହାପାତ୍ରଙ୍କ କୋଳମଣ୍ଡନ କରିଥିଲେ। ଜଣେ ମେଧାବୀ ଛାତ୍ର ଭାବେ ସେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ଆଶୀର୍ବାଦ ପାଇଥିଲେ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୩୦ ମସିହାରେ ପୁରୀଠାରେ ହେବାକୁ ଥିବା କଂଗ୍ରେସ ଅଧିବେଶନରେ ଆଚାର୍ଯ୍ୟ ହରିହରଙ୍କ ନେତୃତ୍ବରେ ସେ ସେବାଦଳର ଜଣେ ସ୍ବେଚ୍ଛାସେବୀ ଭାବେ ଯୋଗଦେଇ ରାଜନୈତିକ ଜୀବନର ମୂଳଦୁଆ ପକାଇଥିଲେ। ଛାତ୍ର ଜୀବନରୁ ସେ ଥିଲେ ସ୍ପଷ୍ଟବାଦୀ ଓ ସ୍ବାଧୀନଚେତା। ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜଣେ ଦୃଢ଼ ସମର୍ଥକ ଭାବେ ଆଦ୍ୟ ଜୀବନରେ କାର୍ଯ୍ୟ କରି ୧୯୪୧ରେ ବିଟ୍ରିଶ ସରକାରଙ୍କ ଦ୍ବାରା ବନ୍ଦୀ ହୋଇଥିଲେ।
ସ୍ବାଧୀନ ଭାରତରେ ସେ ପୁରୀ ପୌର ପରିଷଦର ଉପାଧ୍ୟକ୍ଷ ଭାବେ ୧୯୪୭ ଓ ୧୯୫୧ ମସିହାରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ସେ ପୁରୀ ଜିଲ୍ଲାର ସତ୍ୟବାଦୀ ଓ ବ୍ରହ୍ମଗିରିରୁ ଚାରି ଥର ବିଧାୟକ ହୋଇ ରାଜ୍ୟ ମନ୍ତ୍ରିମଣ୍ଡଳରେ ଅର୍ଥ, ଆଇନ, ଶିକ୍ଷା, ଯୋଗାଣ ଓ ଅନ୍ୟାନ୍ୟ ବିଭାଗରେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ବିଧାନସଭାରେ ତାଙ୍କର ବକ୍ତବ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା। ଜଣେ ଦକ୍ଷ ଓକିଲ ଭାବେ ସମାଜର ତଳ ସ୍ତରରେ ଥିବା ମଣିଷର ସେ ତ୍ରାଣକର୍ତ୍ତା ଥିଲେ। ଓଡ଼ିଶାର ଜଣେ ଲୋକପ୍ରିୟ ରାଜନୀତିଜ୍ଞ ଭାବେ ସେ ସାନବଡ଼ ସମସ୍ତଙ୍କର ଶ୍ରଦ୍ଧାର ‘ଗଙ୍ଗୁଭାଇନା’ ଥିଲେ। ଏହିଭଳି ଜଣେ ରାଜନେତା ୨୦୦୬ ଏପ୍ରିଲ ୫ ତାରିଖରେ ଧରାପୃଷ୍ଠରୁ ବିଦାୟ ନେଇଥିଲେ।
- ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ମୋ: ୯୩୩୭୧୧୭୪୨୯