ସ୍ବାଧୀନତା ପରବର୍ତ୍ତୀ କାଳରେ ଓଡ଼ିଶାର ରାଜନୀତି କ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିବା ନିଷ୍ଠାପର ରାଜନେତାଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଅନ୍ୟତମ। ୧୯୨୦ ମେ ୨୪ରେ ଭଦ୍ରକ ଅନ୍ତର୍ଗତ ମୁକୁନ୍ଦପୁରରେ ସେ ଜନ୍ମ ହୋଇଥିଲେ। ଛାତ୍ରାବସ୍ଥାରେ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ପ୍ରଭାବିତ ହୋଇ ସେ ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ଏକଦା ନୀଳମଣିଙ୍କ ଗାଁ ପାଖ ପଡ଼ିଆରେ କିଛି ଲୁଣ ପଡ଼ିଥିଲା। ସେହି ଠାରେ ସେ ଲୁଣ ମାରିବାକୁ ସ୍ଥିର କଲେ। ମାଟି ହାଣ୍ତି, କାଠ ଜାଳ ଓ କୁଟା ଧରି ଲୁଣ ପଦାକୁ ଆସିଲେ। ଚୁଲିରେ ନିଆଁ ଲଗାଇ ଲୁଣମିଶା ମାଟିକୁ ପାଣି ହାଣ୍ତିରେ ପକାଇ ସିଝାଇଲେ। ପାଣି ମରିଯିବା ପରେ ଯାହା ରହିଥିଲା, ତାହାକୁ କାଗଜ ପୁଡ଼ିଆ କରି, ‘ମହାତ୍ମା ଗାନ୍ଧୀକି ଜୟ’ ଧ୍ବନି ଦେଇ ଗାଁ ଗାଁ ବୁଲି ସେଗୁଡ଼ିକୁ ବାଣ୍ଟିଥିଲେ। ଲୋକେ ଲୁଣ ପୁଡ଼ିଆ ନେଇ ମୁଣ୍ତରେ ମାରିଥିଲେ। ନୀଳମଣିଙ୍କ ଦେଶପ୍ରେମର ଗଭୀରତା କେତେ, ତାହା ଏଥିରୁ ଜଣାପଡ଼ିଥିଲା। ରେଭେନ୍‌ସା କଲେଜ୍‌ରେ ପଢ଼ିବାବେଳେ ସେ ଛାତ୍ର ଆନ୍ଦୋଳନର ନେତା ପାଲଟିଥିଲେ।

Advertisment

ରେଭେନ୍‌ସା କଲେଜ୍‌ରୁ ବହିଷ୍କୃତ ହୋଇଥିବା ପ୍ରଥମ ଛାତ୍ର ଥିଲେ ନୀଳମଣି। ଏହା ସତ୍ତ୍ବେ, ସେ କୋଲକାତାର ବିଦ୍ୟାସାଗର କଲେଜ୍‌ରୁ ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିଲେ। କୋଲକାତା ବିଶ୍ବବିଦ୍ୟାଳୟରୁ ଆଇନ ଡିଗ୍ରି ହାସଲ କରିବା ପରେ ସେ କଟକରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ। ୧୯୪୮ରୁ ନୀଳମଣିଙ୍କ ପ୍ରତ୍ୟକ୍ଷ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ରାଜନୈତିକ ଜୀବନର ପ୍ରଥମ ବିଧାନସଭା ନିର୍ବାଚନ ତାଙ୍କୁ ଲଢ଼ିବାକୁ ପଡ଼ି ନ ଥିଲା। ତାଙ୍କ ବିରୋଧରେ କେହି ପ୍ରାର୍ଥୀପତ୍ର ଦାଖଲ ନ କରିବାରୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ୧୯୫୨ର ନବକୃଷ୍ଣ ଚୌଧୁରୀ ମନ୍ତ୍ରିମଣ୍ତଳରେ ସେ ଘରୋଇ ବିଭାଗର ଉପମନ୍ତ୍ରୀ ଥିଲେ। ୧୯୭୭ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ୧୯୮୦ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ୧୯୮୯ରେ ଲୋକସଭାକୁ ନିର୍ବାଚିତ ହୋଇ ସେ ଭି.ପି. ସିଂହଙ୍କ ମନ୍ତ୍ରିମଣ୍ଡଳରେ ପ୍ରଥମେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏବଂ ପରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ହୋଇଥିଲେ। ‘ସ୍ମୃତି ଓ ଅନୁଭୂତି’ ଆତ୍ମଜୀବନୀ ପାଇଁ ନୀଳମଣିଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ୨୦୦୪ ଅକ୍‍ଟୋବର ୪ରେ ତାଙ୍କର ତିରୋଧାନ ହୋଇଥିଲା।