ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକଙ୍କ ନାମ ସହିତ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ, ସଂସ୍କାରକ, ଶିକ୍ଷାବିତ୍, ସାହିତ୍ୟିକ, ରାଜନେତା ଆଦି ଅନେକ ପରିଚୟ ଜଡ଼ିତ। ୧୯୦୫ ମସିହା ନଭେମ୍ବର ଆଜି ଦିନରେ ଅବିଭକ୍ତ ପୁରୀ ଜିଲ୍ଲାର ଡିମିରି ଗ୍ରାମରେ ସେ ଜନ୍ମ ହୋଇଥିଲେ। ରେଭେନ୍ସା କଲେଜରେ ପଢୁଥିବା ବେଳେ ସେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ ପ୍ରଥମେ କାରାବରଣ କରିଥିଲେ। ସେ ବାରଣାସୀର କାଶୀ ବିଦ୍ୟାପୀଠରେ ଅଧ୍ୟୟନ କରୁଥିବା ବେଳେ ସମାଜବାଦୀ ଚିନ୍ତାନାୟକ ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ସଂସ୍ପର୍ଶରେ ଆସି ସମାଜବାଦ ପ୍ରତି ଆକୃଷ୍ଟ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଶାସ୍ତ୍ରୀ ଉପାଧି ପାଇ ଫେରିବା ପରେ ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମ ଓ ଜନସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ବ୍ରିଟିସ୍ ଶାସନ ବିରୋଧରେ ଆନ୍ଦୋଳନ କରି ସେ ସମୁଦାୟ ବାର ବର୍ଷ ଜେଲ୍ରେ କାଟିଥିଲେ। ସ୍ବାଧୀନତା ପ୍ରାପ୍ତି ପରେ ମଧ୍ୟ ସେ ବହୁ ଆନ୍ଦୋଳନର ନେତୃତ୍ବ ନେଇଥିଲେ। କୃଷକ ଆନ୍ଦୋଳନ, ଗଡ଼ଜାତ ଆନ୍ଦୋଳନ, ସାମ୍ୟବାଦ ଆନ୍ଦୋଳନ ଆଦିର ନେତୃତ୍ବ ନେଇ ସେ ଅନ୍ୟାୟ ବିରୋଧରେ ଆଜୀବନ ସ୍ବର ଉତ୍ତୋଳନ କରୁଥିଲେ। ଓଡ଼ିଶାରେ ବିଧିବଦ୍ଧ କମ୍ୟୁନିଷ୍ଟ ଦଳର ଗଠନ ପୂର୍ବରୁ ଭଗବତୀ ପାଣିଗ୍ରାହୀ, ଗୁରୁଚରଣ ପଟ୍ଟନାୟକ ଓ ପ୍ରାଣନାଥ ମିଳିତ ଭାବେ ଗୋପନରେ କମ୍ୟୁନିଷ୍ଟ ଦଳ ଗଠନ କରିଥିଲେ। ୧୯୩୭ରେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରୁ ଲଢ଼ି ସେ ବିଧାୟକ ହୋଇଥିଲେ। ‘ଲଙ୍ଗଳ ଯା’ର ଜମି ତା’ର’ ନୀତିରେ ଶ୍ରମିକ-କୃଷକମାନଙ୍କୁ ସଂଗଠିତ କରୁଥିଲେ। ରାଜ୍ୟରେ ଶିକ୍ଷାର ବିକାଶ ନିମନ୍ତେ ୧୯୪୫ ମସିହାରେ ଜଟଣୀ ହାଇସ୍କୁଲ ଓ ୧୯୫୯ରେ ଖୋର୍ଦ୍ଧାରେ କଲେଜ ସ୍ଥାପନ କରିଥିଲେ। ସ୍ବାଧୀନତା ପରେ ମଧ୍ୟ ବିଧାନସଭାକୁ ନିର୍ବାଚିତ ହୋଇ ଜନତାଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ କରୁଥିଲେ। ସେ ପ୍ରଗତିଶୀଳ ରଚନା ମାଧ୍ୟମରେ ଓଡ଼ିଆ ସାହିତ୍ୟ କ୍ଷେତ୍ରକୁ ମଧ୍ୟ ଋଦ୍ଧିମନ୍ତ କରିଥିଲେ। ସେ କମ୍ୟୁନିଷ୍ଟ ଦଳର ମୁଖପତ୍ର ‘ନୂଆ ଦୁନିଆ’ର ସମ୍ପାଦନା କରିବା ସହ ଦଳର ଇତିହାସ ରଚନା କରିଥିଲେ। ୧୯୭୦ ଅକ୍ଟୋବର ୫ ତାରିଖରେ ପ୍ରାଣନାଥ ପଟ୍ଟନାୟକ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।