ଜ୍ୟେଷ୍ଠ ପୂର୍ଣ୍ଣିମା ଶ୍ରୀଜଗନ୍ନାଥଙ୍କର ଜନ୍ମଦିନ। ଏ ସଂପର୍କରେ ‘ସ୍କନ୍ଦପୁରାଣ-ଉତ୍କଳଖଣ୍ଡ’ ବା ‘ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟମ୍‌’ରେ ସ୍ପଷ୍ଟ ଉଲ୍ଲେଖ ଅଛି। ତାହାର ୩୧ ଅଧ୍ୟାୟ, ୬୬ ଶ୍ଳୋକରେ ଜୈମିନୀ ଋଷି ମୁନିମାନଙ୍କୁ କହିଛନ୍ତି- ହେ ମୁନିଗଣ! ଭଗବାନଙ୍କ ଜନ୍ମତିଥି ଜ୍ୟେଷ୍ଠମାସ ପୂର୍ଣ୍ଣିମା ତିଥିର ନିଶୀଥ କାଳରେ ଭଗବାନଙ୍କୁ ଜନ୍ମସ୍ନାନ ପାଇଁ ସ୍ନାନମଞ୍ଚ ଅଭିମୁଖରେ ବ୍ରାହ୍ମଣ ପ୍ରଭୃତିଙ୍କ ଦ୍ୱାରା ଲୀଳା ସହକାରେ ନେବ। ଜ୍ୟେଷ୍ଠପୂର୍ଣ୍ଣମୀର ଏହି ସ୍ନାନ ଶ୍ରୀଜଗନ୍ନାଥଙ୍କର ଜନ୍ମସ୍ନାନ।

Advertisment

କିପରି ଭାବରେ ଏହି ସ୍ନାନ କରାଯିବ, ତାହାର ବିଧି ମଧ୍ୟ ସେହି ‘ସ୍କନ୍ଦପୁରାଣ’ରେ ବର୍ଣ୍ଣିତ ଅଛି। ତାହା ଅନୁସାରେ- ଭଗବାନଙ୍କର ଏହି ସ୍ନାନ ପାଇଁ ସୁନ୍ଦର ଓ ସୁଶୋଭିତ ସ୍ନାନମଞ୍ଚ ପ୍ରସ୍ତୁତ କରି ତାହାକୁ ଚନ୍ଦନ ମିଶ୍ରିତ ସୁଗନ୍ଧ ଓ ସୁଶୀତଳ ଜଳ ଦ୍ୱାରା ସଂସିକ୍ତ ଏବଂ ସୁଗନ୍ଧି ଧୂପଦ୍ୱାରା ସୁରଭିତ କରାଯିବ। ଦକ୍ଷିଣଦିଗସ୍ଥିତ କୂପରୁ ସ୍ୱର୍ଣ୍ଣ କଳସମାନଙ୍କରେ ଜଳ ଉତ୍ତୋଳନ କରି, ସେହି ଜଳକୁ ସୁଗନ୍ଧି ଦ୍ରବ୍ୟ ଦ୍ୱାରା ସୁବାସିତ କରି, ପାବମାନୀ ମନ୍ତ୍ର ପାଠଦ୍ୱାରା କଳସମାନଙ୍କୁ ଜଳପୂର୍ଣ୍ଣ କରି ରଖିବ। ମନ୍ଦିର ଅଭ୍ୟନ୍ତରରେ ଶାସ୍ତ୍ରସମ୍ମତ ବିଧାନ ଅନୁସାରେ ତାହାକୁ ଅଧିବାସ କରାଇବ। ଏସବୁ କାର୍ଯ୍ୟ ଚତୁର୍ଦ୍ଦଶୀ ରାତିରେ ସଂପନ୍ନ ହେବ। ସେହି ସୁବାସିତ ଓ ଅଧିବାସିତ ଜଳରେ ‘ସମୁଦ୍ରଜ୍ୟେଷ୍ଠା’ ଇତ୍ୟାଦି ମନ୍ତ୍ରରେ ସୁରବରତ୍ରୟ (ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା)ଙ୍କୁ ଅଭିଷେକ (ସ୍ନାନ) କରାଇବ।

ଏ ସଂପର୍କରେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଉଲ୍ଲେଖ କରାଯାଇ ସେହି ଅଧ୍ୟାୟର ୭୨ ଶ୍ଳୋକରେ କୁହାଯାଇଛି- ଯେଉଁ ମନୁଷ୍ୟମାନେ ସେଠାରେ ଉପସ୍ଥିତ ହୋଇ ଏହି ସ୍ନାନକାଳରେ ଭଗବାନଙ୍କୁ ଦର୍ଶନ କରିବେ, ସେମାନଙ୍କୁ ଆଉ ଜନନୀଗର୍ଭଜଳରେ ସ୍ନାନ କରିବାକୁ ପଡ଼ିବ ନାହିଁ ବା ସଂସାର ସାଗରର ଜଳରେ ନିମଗ୍ନ ହେବାକୁ ପଡ଼ିବ ନାହିଁ।