୧୮୭୯ ଡିସେମ୍ବର ଆଜି ଦିନରେ ଅବିଭକ୍ତ ବଙ୍ଗ ପ୍ରଦେଶର କାୟା ଗ୍ରାମରେ ଜନ୍ମ ହୋଇଥିଲେ ବିପ୍ଳବୀ ବାଘା ଯତୀନ (ପୂରା ନାମ ଯତୀନ୍ଦ୍ରନାଥ ମୁଖାର୍ଜୀ)। ଭାରତକୁ ଇଂରେଜ ଶାସନ ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ସେ ଏକ ସୁନିୟୋଜିତ ସଶସ୍ତ୍ର ବିଦ୍ରୋହ ସଂଗଠିତ କରିଥିଲେ। ଏକଦା ଜଣେ ସାଙ୍ଗକୁ ମହାବଳ ବାଘ ଆକ୍ରମଣରୁ ରକ୍ଷା କରିିବାକୁ ଯାଇ ଯତୀନ ବାଘ ସହିତ ଲଢ଼ି ତାକୁ ବଧ କରିଥିଲେ। ସେବେଠାରୁ ସେ ‘ବାଘା ଯତୀନ’ ନାମରେ ସୁପ୍ରସିଦ୍ଧ ହେଲେ। ବିବେକାନନ୍ଦଙ୍କ ଉପଦେଶ କ୍ରମେ ସେ ମାତୃଭୂମିର ସେବା ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ।
ଶ୍ରୀ ଅରବିନ୍ଦଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କ ହୃଦୟରେ ବିଦ୍ରୋହୀ ଭାବନା ସୃଷ୍ଟି ହୋଇଥିଲା। ବାଘା ଯତୀନ ‘ଯୁଗାନ୍ତର’ ନାମକ ସଂଗଠନ ଗଢ଼ି ‘ଆମେ ମରିବା, ଦେଶ ଜାଗ୍ରତ ହେବ’ ସ୍ଲୋଗାନ୍ ମାଧ୍ୟମରେ ହଜାର ହଜାର ଯୁବକଙ୍କୁ ବିପ୍ଳବରେ ସାମିଲ କରିପାରିଥିଲେ। ଅଲିପୁର ବିସ୍ଫୋରଣ ମାମଲାରେ ଯତୀନ ପ୍ରଥମେ ଗିରଫ ହୋଇଥିଲେ। ପୁଣି ହାଉଡ଼ା ଷଡ୍ଯନ୍ତ୍ର ମାମଲା ପାଇଁ ୧୧ ମାସ କାରାବରଣ କରିଥିଲେ। ପୁଲିସ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ସେ କଲିକତା ଛାଡ଼ି ମୟୂରଭଞ୍ଜର ମହୁଲଡ଼ିହାକୁ ଚାଲିଆସିଥିଲେ। ପ୍ରଥମ ବିଶ୍ବ ଯୁଦ୍ଧ ସମୟକୁ ସେ ବ୍ରିଟିସ୍ ବିରୋଧରେ ସଶସ୍ତ୍ର ବିଦ୍ରୋହ ପାଇଁ ଉଚିତ ସମୟ ମଣିଥିଲେ। ଏଥିପାଇଁ ଜର୍ମାନିର ସହାୟତା ଲୋଡ଼ିଥିଲେ। ଜର୍ମାନିରୁ ଜାହାଜରେ ଅସ୍ତ୍ରଶସ୍ତ୍ର ଆସି ବାଲେଶ୍ବର ଉପକୂଳରେ ପହଞ୍ଚିବାର ଯୋଜନା ଥିଲା। ତେବେ ତାଙ୍କ ସଶସ୍ତ୍ର ବିଦ୍ରୋହର ଯୋଜନାର ଖବର ବ୍ରିଟିସ୍ ଗୁଇନ୍ଦାଙ୍କୁ ମିଳିଯାଇଥିଲା। ୧୯୧୫ ସେପ୍ଟେମ୍ବର ୯ ତାରିଖରେ ବାଘା ଯତୀନଙ୍କୁ ବାଲେଶ୍ବରର ଚଷାଖଣ୍ଡରେ ପୁଲିସ ଦୁଇ ଦିଗରୁ ଘେରିଯାଇଥିଲା। ସେ ବ୍ରିଟିସ୍ ପୁଲିସ୍ ପାଖରେ ଆତ୍ମସମର୍ପଣ ନ କରି ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ଲଢ଼ିଥିଲେ। ଗୁଳିମାଡ଼ରେ ସେ ଗୁରୁତର ଆହତ ହୋଇଥିଲେ। ପର ଦିନ ଅର୍ଥାତ୍ ୧୯୧୫ ସେପ୍ଟେମ୍ବର ୧୦ରେ ବାଲେଶ୍ବର ଡାକ୍ତରଖାନାରେ ଏହି ଅମର ଦେଶପ୍ରେମୀଙ୍କର ମୃତ୍ୟୁ ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/2-5.jpg)