ଯଶସ୍ବିନୀ ନାରୀ କବି କୁନ୍ତଳାକୁମାରୀ ସାବତ ନିଜର ସ୍ବଳ୍ପ ଜୀବନକାଳ ମଧ୍ୟରେ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଯେଉଁଭଳି ଋଦ୍ଧିମନ୍ତ କରିଯାଇଛନ୍ତି ସେଭଳି ଉଦାହରଣ ବିରଳ। ସେହିପରି ଚିକିତ୍ସା, ସଂସ୍କାର, ସମାଜସେବା, ଦେଶସେବା କ୍ଷେତ୍ରକୁ ତାଙ୍କର ଅବଦାନ ଅବିସ୍ମରଣୀୟ। ୧୯୦୧ ମସିହା ଫେବ୍ରୁଆରି ମାସ ଆଜିର ଦିନରେ ଛତିଶଗଡ଼ର ବସ୍ତର ଜିଲ୍ଲାରେ ସେ ଜନ୍ମ ହୋଇଥିଲା। କୁନ୍ତଳାଙ୍କ ପିତା ଦାନିଏଲ୍ ଯୁଦ୍ଧ ବିଭାଗର ଡାକ୍ତର ଭାବେ କାର୍ଯ୍ୟ କରୁଥିବାରୁ କୁନ୍ତଳାଙ୍କ ବାଲ୍ୟ ଓ କୈଶୋର ଜୀବନ ସୁଦୂର ବର୍ମାରେ କଟିଥିଲା।
ପରେ ମାଆଙ୍କ ସହ ଓଡ଼ିଶା ଫେରିଆସି ସେ ଖୋର୍ଦ୍ଧାରେ ରହିଥିଲେ। ରେଭେନ୍ସା ବାଳିକା ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା ପରେ କଟକର ଓଡ଼ିଶା ମେଡିକାଲ୍ ସ୍କୁଲ୍ (ଆଜିର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ)ରେ ଅଧ୍ୟୟନ କରିଥିଲେ। ସେ ୧୯୨୧ରେ ସ୍ବର୍ଣ୍ଣ ପଦକ ସହ ଡାକ୍ତରୀ ଡିଗ୍ରି ଲାଭ କରିଥିଲେ ଏବଂ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର ପାଲଟିଥିଲେ। ତାଙ୍କର ପ୍ରଥମ କବିତା ‘ତାରା ପ୍ରତି’ ଉତ୍କଳ ସାହିତ୍ୟରେ ପ୍ରକାଶ ପାଇଥିଲା। ପରେ ସେ ‘ଶେଫାଳି ପ୍ରତି’, ପୂଜା’, ‘ଅଞ୍ଜଳି’, ‘ଉଚ୍ଛ୍ବାସ’, ‘ଅର୍ଚ୍ଚନା’, ‘ସ୍ଫୁଲିଙ୍ଗ’, ‘ଆହ୍ବାନ’, ‘ପ୍ରେମ ଚିନ୍ତାମଣି’ ପ୍ରମୁଖ କବିତା ସଂକଳନ ପ୍ରକାଶ କରିଥିଲେ।
ସେହିପରି ‘ଭ୍ରାନ୍ତି’, ‘ନଅତୁଣ୍ତୀ’, ‘କାଳୀ ବୋହୂ’, ‘ପରଶମଣି’, ‘ରଘୁ ଅରକ୍ଷିତ’ ଆଦି ଉପନ୍ୟାସ ମଧ୍ୟ ସେ ରଚନା କରିଥିଲେ। ସେ ଓଡ଼ିଆ ସମେତ ବଙ୍ଗଳା, ହିନ୍ଦୀ ଓ ଇ˚ରେଜୀ ଭାଷାରେ ପାରଙ୍ଗମ ଥିଲେ। ଅସହଯୋଗ ଆନ୍ଦୋଳନ ବେଳେ ସେ ଓଡ଼ିଶାବାସୀଙ୍କୁ ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରୁଥିଲେ। ସେ ଆଜୀବନ ଜାତିପ୍ରଥା, ବାଲ୍ୟ ବିବାହ ଆଦି କୁସଂସ୍କାରକୁ ବିରୋଧ କରୁଥିଲେ। ନାରୀ ଶିକ୍ଷା, ନାରୀ ସଶକ୍ତୀକରଣ ଓ ବିଧବା ବିବାହକୁ ସମର୍ଥନ କରି ସେ ଅନେକ କାର୍ଯ୍ୟ କରିଯାଇଛନ୍ତି। ୧୯୩୮ ଅଗଷ୍ଟ ୨୩ରେ ଉତ୍କଳଭାରତୀ ରୂପେ ପରିଚିତ କୁନ୍ତଳାକୁମାରୀଙ୍କର ପରଲୋକ ଘଟିଥିଲା।