ମହାଶ୍ବେତା ଦେବୀ

Advertisment

ବଙ୍ଗଳା ଭାଷାର ଅଗ୍ରଣୀ ଲେଖିକା ମହାଶ୍ବେତା ଦେବୀ ୧୯୨୬ ଜାନୁଆରି ଆଜି ଦିନରେ ବ୍ରିଟିସ୍ ଭାରତ ଅନ୍ତର୍ଗତ ଢାକାରେ ଜନ୍ମ ହୋଇଥିଲେ। ସେ ଉପନ୍ୟାସ, କ୍ଷୁଦ୍ର ଗଳ୍ପ, ଶିଶୁ ସାହିତ୍ୟ, ନାଟକ, ରାଜନୈତିକ ରଚନା ଆଦି ବିଭାଗରେ ଲେଖନୀ ଚାଳନା କରିଥିଲେ। ପୂର୍ବ ଭାରତର ଭୂମିହୀନ ସଂପ୍ରଦାୟର ଲୋକଙ୍କ ଉତ୍ପୀଡ଼ନାର କାହାଣୀଗୁଡ଼ିକୁ ଉତ୍‌ଥାପନ କରିବାରେ ତାଙ୍କର ଭୂମିକା ଅବିସ୍ମରଣୀୟ। ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଆଦିବାସୀ ଗ୍ରାମମାନଙ୍କରେ ରହି ସେ ଲୋକଙ୍କ ଚାଲିଚଳନ, ସଂଘର୍ଷ ଓ ବଳିଦାନର ଜୀବନ୍ତ କାହାଣୀ ସଂଗ୍ରହ କରିଥିଲେ ଏବଂ ସେମାନଙ୍କୁ ନେଇ ନିଜ ଗଳ୍ପ-ଉପନ୍ୟାସର ଚରିତ୍ର ଚିତ୍ରଣ କରୁଥିଲେ।

ସେ ଶତାଧିକ ଉପନ୍ୟାସ ଓ ୨୦ଟି କ୍ଷୁଦ୍ରଗଳ୍ପ ସଂକଳନର ରଚୟିତା। ସେ କହୁଥିଲେ ଯେ ସେ ଲେଖୁଥିବା କାହାଣୀଗୁଡ଼ିକ ତାଙ୍କର ସୃଷ୍ଟି ନୁହେଁ, ବରଂ ତାଙ୍କ ଦେଶର ଅଧିବାସୀଙ୍କର ବାସ୍ତବିକ ଜୀବନକାହାଣୀ। ‘ହଜାର ଚଉରାଅଶୀର ମା’, ‘ରୁଦାଲି’, ‘ଅଗ୍ନିଗର୍ଭା’ ତାଙ୍କ କେତେକ ବହୁଚର୍ଚ୍ଚିତ କୃତି। ଭାରତୀୟ ଆଦିବାସୀମାନେ ଭୋଗୁଥିବା ଭେଦଭାବ ବିରୋଧରେ େସ ବିଭିନ୍ନ ସମୟରେ ସ୍ବର ଉତ୍ତୋଳନ କରୁଥିଲେ ଏବଂ ସେମାନଙ୍କ ସଶକ୍ତୀକରଣ ଦିଗରେ ସକ୍ରିୟ ଥିଲେ। ଆଦିବାସୀ ଜନନେତା ବିର୍ସା ମୁଣ୍ଡାଙ୍କ ଗାଥା ସମ୍ବଳିତ ‘ଅରଣ୍ୟେର ଅଧିକାର’ ପୁସ୍ତକ ପାଇଁ ମହାଶ୍ବେତାଙ୍କୁ ସାହିତ୍ୟ ଏକାଡେମି ପୁରସ୍କାର ମିଳିଥିଲା। ସେ ଜ୍ଞାନପୀଠ ଓ ରମନ ମାଗସେସେ ପୁରସ୍କାର ସମେତ ପଦ୍ମଶ୍ରୀ, ପଦ୍ମବିଭୂଷଣ ଭଳି ବେସାମରିକ ସମ୍ମାନର ଅଧିକାରୀ। ୨୦୧୬ ଜୁଲାଇ ୨୮ରେ ମହାଶ୍ବେତା ଦେବୀ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ଫକୀରମୋହନ ସେନାପତି

ଫକୀରମୋହନ ସେନାପତି ଥିଲେ ସାରସ୍ବତ ତପୋବନର ଜଣେ ଅବିଶ୍ରାନ୍ତ ସାଧକ। ସେ ଆଧୁନିକ ଓଡ଼ିଆ ଗଳ୍ପ-ଉପନ୍ୟାସର ପ୍ରାଣପ୍ରତିଷ୍ଠାତା ତଥା ଓଡ଼ିଆ ଭାଷାର ସାର୍ଥକ ସଂରକ୍ଷକ। ୧୮୪୩ ମସିହା ମକର ସଂକ୍ରାନ୍ତି ଦିନ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ମଲ୍ଲିକାଶପୁର ଠାରେ ସେ ଜନ୍ମ ହୋଇଥିଲେ। ଫକୀରମୋହନଙ୍କ ଜନ୍ମର ତିନି ବର୍ଷ ମଧ୍ୟରେ ପିତା ଲକ୍ଷ୍ମଣ ଚରଣ ସେନାପତି ଓ ମାତା ତୁଳସୀ ଦେବୀ ଆରପାରିକୁ ଚାଲିଯାଇଥିଲେ। ଏହା ପରେ ତାଙ୍କ ଜେଜେମା’ କୁଚିଳା ଦେଈ ତାଙ୍କର ଲାଳନପାଳନ କରିଥିଲେ।

ବିଭିନ୍ନ ରୋଗରେ ପଡ଼ି ତାଙ୍କର ବାଲ୍ୟକାଳ କଟିଥିଲା। ଏକଦା ତାଙ୍କର ଜୀବନ ରକ୍ଷା ପାଇଁ ଜେଜେମା’ ତାଙ୍କୁ ବାଲେଶ୍ବରର ପୀରଙ୍କ ପାଖରେ ସମର୍ପଣ କରିଦେଇ କହିଥିଲେ ଯେ ବ୍ରଜ ରୋଗମୁକ୍ତ ହେଲେ ତାକୁ ସେ ଫକୀର କରିଦେବେ। ସେ ରୋଗମୁକ୍ତ ହୋଇଗଲେ ଏବଂ ତାଙ୍କ ନାମ ବ୍ରଜମୋହନରୁ ଫକୀରମୋହନ ହେଲା। ଘୋର ଦାରିଦ୍ର୍ୟ ଯୋଗୁଁ ଫକୀରମୋହନ ଅଧିକ ପଢ଼ି ପାରି ନ ଥିଲେ କିନ୍ତୁ ତାଙ୍କର ଅଧ୍ୟବସାୟ ଆଜୀବନ ଜାରି ରହିଥିଲା। ମାତ୍ର ୨୩ ବର୍ଷ ବୟସରେ ଏକ ବଙ୍ଗଳା ପୁସ୍ତକର ଓଡ଼ିଆ ଅନୁବାଦରୁ ତାଙ୍କର ସାହିତ୍ୟ ସାଧନା ଆରମ୍ଭ ହୋଇଥିଲା। ସେବେଠାରୁ ତାଙ୍କ ଭିତରେ ସମାଜ-ସଂସ୍କାର ମନସ୍କତା, ଲୋକଚରିତ୍ର ଅନୁଶୀଳନ ତଥା ଜ୍ଞାନ ହାସଲର ତୃଷ୍ଣା ଉନ୍ମେଷିତ ହୋଇଥିଲା। କ୍ରମେ ସେ ଏକାଧାରରେ ଜଣେ କବି, ଔପନ୍ୟାସିକ, ଗାଳ୍ପିକ, ଦାର୍ଶନିକ ତଥା ସମାଜ ସଂସ୍କାରକ ହୋଇଥିଲେ। ଯେଉଁ ସମୟରେ ଓଡ଼ିଆ ଭାଷା ଅସ୍ତିତ୍ବ ସଂକଟ ଦେଇ ଗତି କରୁଥିଲା ସେତେବେଳେ ଓଡ଼ିଆ ଭାଷାର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ସେ ଭାଷା ବିବାଦର ରଣକ୍ଷେତ୍ରରେ ଜଣେ ଯୋଦ୍ଧା ରୂପରେ ଅବତୀର୍ଣ୍ଣ ହୋଇଥିଲେ।

ସେ ଓଡ଼ିଆ ଭାଷାରେ ଅନେକ ପାଠ୍ୟପୁସ୍ତକ ରଚନା କରିଥିଲେ। ‘ଉତ୍କଳ ଭ୍ରମଣ’ ତାଙ୍କର ପ୍ରଥମ ମୌଳିକ ରଚନା ରୂପରେ ପ୍ରକାଶ ପାଇଥିଲା। ଏକ ପତ୍ରିକାରେ ୧୮୯୭ରେ ଧାରାବାହିକ ଭାବେ ‘ଛ ମାଣ ଆଠ ଗୁଣ୍ଠ’ ଉପନ୍ୟାସ ପ୍ରକାଶ ପାଇଥିଲା। ଏହାର ପର ବର୍ଷ ଖାଣ୍ଟି ଓଡ଼ିଆ ଭାଷାରେ ରଚିତ କ୍ଷୁଦ୍ର ଗଳ୍ପ ‘ରେବତୀ’ର ପ୍ରକାଶନ ସହିତ ଆଧୁନିକ କ୍ଷୁଦ୍ରଗଳ୍ପର ଯୁଗ ଆରମ୍ଭ ହେଲା। ତାଙ୍କ ହାସ୍ୟରସ ଓ ସମ୍ବେଦନଶୀଳତାରେ ପରିପୂର୍ଣ୍ଣ ଗଳ୍ପ-ଉପନ୍ୟାସ ଯୋଗୁଁ ଓଡ଼ିଆ ଭାଷା ସାହିତ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ହୋଇଥିଲା। ତାଙ୍କ ‘ଲଛମା’, ‘ମାମୁଁ’, ‘ପ୍ରାୟଶ୍ଚିତ’ ଉପନ୍ୟାସ ଏବଂ ‘ପେଟେଣ୍ଟ୍‌ ମେଡ଼ିସିନ୍‌’, ‘ରାଣ୍ଡୀପୁଅ ଅନନ୍ତା’, ‘ଡାକ ମୁନ୍‌ସୀ’ ଓ ‘ଅଧର୍ମ ବିତ୍ତ’ ଆଦି ଗଳ୍ପ ଓଡ଼ିଆ ସାହିତ୍ୟର ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ। ଜୀବନର ଶେଷ ପର୍ଯ୍ୟାୟରେ ସେ ଲେଖିଥିବା ‘ଆତ୍ମଜୀବନ ଚରିତ’ ହେଉଛି ଓଡ଼ିଆ ଭାଷାର ପ୍ରଥମ ଆତ୍ମଜୀବନୀ। ୧୯୧୮ ଜୁନ୍‌ ୧୪ ତାରିଖରେ ବ୍ୟାସକବିଙ୍କର ପରଲୋକ ହୋଇଥିଲା।
- ମଣୀନ୍ଦ୍ର କୁମାର ମେହେର
ଫକୀରମୋହନ ବିଶ୍ବବିଦ୍ୟାଳୟ, ବାଲେଶ୍ବର