ଦୀର୍ଘବର୍ଷ ହେବ ପଡ଼ିରହିଥିବା ଗୋଟାଏ ଡ୍ୟାମ୍ ବା ଜଳଭଣ୍ଡାର ପ୍ରକଳ୍ପ କାମ ମାତ୍ର ୨ ଦିନରେ ଶେଷ କରି ଦେଇଛନ୍ତି ପଲେ ବିଭର୍। ଟାଣ ତଥା ଧାରୁଆ ଦାନ୍ତ ଥିବା ଅର୍ଦ୍ଧ-ଜଳଚର କୃଦନ୍ତ ବା ମୂଷା/ଠେକୁଆ ଜାତୀୟ ପ୍ରାଣୀ ବେଭର୍ଙ୍କ ଏହି କାର୍ଯ୍ୟ ଯୋଗୁଁ ଚେକ୍ ସରକାରଙ୍କର ପ୍ରାୟ ୧୦ କୋଟି ଟଙ୍କା ବଞ୍ଚି ଯାଇଛି। ଏହି ଡ୍ୟାମ୍ ନିର୍ମାଣ ଅନୁମତି ହାସଲ କରିବାକୁ ସରକାରୀ କର୍ତ୍ତୃପକ୍ଷମାନେ ପରସ୍ପର ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା କରି ୭ ବର୍ଷ ବିତାଇ ଦେଇଥିଲେ। ଆବଶ୍ୟକ ଅର୍ଥ ଥିଲେ ମଧ୍ୟ ଚେକ୍ ସାଧାରଣତନ୍ତ୍ରର ବ୍ରିଡି ଅଞ୍ଚଳରେ ନୂଆ ଡ୍ୟାମ୍ଟିଏର ନିର୍ମାଣ ସ୍ଥାଣୁ ଅବସ୍ଥାରେ ଥିଲା। ପରିଶେଷରେ ୮ଟି ପରିଶ୍ରମୀ ବିଭର୍ ସେ କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ‘ରେଡିଓ ପ୍ରେଗ୍’କୁ ‘ଚେକ୍ ପ୍ରକୃତି ଓ ପରିବେଶ ସୁରକ୍ଷା ଏଜେନ୍ସି’ର କେନ୍ଦ୍ରୀୟ ବୋହେମୀୟ ଅଫିସ୍ ମୁଖ୍ୟ ଜରୋସ୍ଲାଭ୍ ଓବେର୍ମାଜେର୍ କହିଛନ୍ତି, ‘‘ବିଭର୍ମାନଙ୍କ ଦକ୍ଷତା ସର୍ବୋତ୍ତମ।’’
ଜଳାଭୂମି ଅଞ୍ଚଳରେ ‘ବିଭର୍ ପଣ୍ଡ୍ସ୍’ (ବିଭର୍ ପୁଷ୍କରିଣୀ) କରିବାକୁ ଗଛ କାଟିପକାନ୍ତି ବିଭର୍। ଏହି ପୁଷ୍କରିଣୀକୁ ସେମାନେ ଖାଦ୍ୟ ସଂଗ୍ରହ ଓ ଶିକାରୀ ଜୀବଜନ୍ତୁଙ୍କ କବଳରୁ ବର୍ତ୍ତିବା ପାଇଁ ଆଶ୍ରୟସ୍ଥଳ ରୂପେ ବ୍ୟବହାର କରନ୍ତି। ପୂର୍ବରୁ ବ୍ରିଡିର ସେ ଅଞ୍ଚଳ ଗୋଟାଏ ଜଳାଭୂମି ଥିଲା। କିଛି ଦଶନ୍ଧି ପୂର୍ବେ ଏକ ସେନାଘାଟିରେ ଥିବା ସୈନିକମାନେ ନାଳଟିଏ ଖୋଳି ଦେବାରୁ ସେ ଜଳାଭୂମିରୁ ପାଣିସବୁ ବୋହିଯାଉଥିଲା। ସେ ନାଳ ଉପରେ ବନ୍ଧ ବାନ୍ଧି ଉକ୍ତ ଅଞ୍ଚଳକୁ ପୂର୍ବାବସ୍ଥାକୁ ଫେରାଇ ନେବାକୁ ସରକାର ଯୋଜନା କରିଥିଲେ। ଡ୍ୟାମ୍ ପ୍ରକଳ୍ପ ପରିଚାଳନା କରୁଥିବା ବ୍ରିଡି ସଂରକ୍ଷିତ ଭୂମି ପ୍ରଶାସନ କହିବା ଅନୁସାରେ, ଯେଉଁ ସ୍ଥାନରେ ଡ୍ୟାମ୍ ନିର୍ମାଣ କରାଯିବାକୁ ଯୋଜନା କରାଯାଇଥିଲା ବିଭର୍ମାନେ ଆପାତତଃ ସେହି ସ୍ଥାନରେ ଡ୍ୟାମ୍ ନିର୍ମାଣ କରିଛନ୍ତି। ବ୍ରିଡି ସଂରକ୍ଷିତ ଭୂମି ପ୍ରଶାସନର ମୁଖ୍ୟ ବୋହୁମିଲ୍ ଫିସର୍ କହନ୍ତି, ‘‘ପ୍ରକଳ୍ପ ନିର୍ମାଣ ପାଇଁ ଏବଂ ଜମି ମାଲିକାନା ସମ୍ବନ୍ଧୀୟ ବିବାଦର ପ୍ରତିକାର କରିବା ନିମନ୍ତେ ମିଲ୍ଟାରି ଫରେଷ୍ଟ୍ ମ୍ୟାନେଜ୍ମେଣ୍ଟ୍ ଓ ଭଲ୍ଟାଭା ରିଭର୍ ବେସିନ୍ ପରସ୍ପର ସହିତ ବୁଝାମଣା କରୁଥିଲେ। କିନ୍ତୁ, ବିଭର୍ମାନେ ତାହା ବ୍ୟର୍ଥ କରି ଆମର ୧୦ କୋଟି ଟଙ୍କା ବଞ୍ଚାଇ ଦେଲେ। ସେମାନେ ପ୍ରକଳ୍ପ ସମ୍ବନ୍ଧୀୟ କୌଣସି କାଗଜପତ୍ର ବିନା ସମ୍ପୂର୍ଣ୍ଣ ମାଗଣାରେ ଡ୍ୟାମ୍ ନିର୍ମାଣ କରିଦେଇଛନ୍ତି!
ବିଭର୍ମାନେ ତିଆରି କରିଥିବା ଡ୍ୟାମ୍ ପର୍ଯ୍ୟବେକ୍ଷଣ କରି ପରିବେଶବିତ୍ମାନେ କହିଛନ୍ତି ଯେ, ସେ ଡ୍ୟାମ୍ ବହୁଦିନ ପର୍ଯ୍ୟନ୍ତ ରହିବ ଏବଂ ବିରଳ ଷ୍ଟୋନ୍ କ୍ରେଫିସ୍, ବେଙ୍ଗ ଓ ଜଳାଭୂମିରେ ବାସ କରୁଥିବା ଅନ୍ୟାନ୍ୟ ଜୀବଙ୍କ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିବ। ଏବେ ସେଠାରେ ଛୋଟ ପୁଷ୍କରିଣୀ ଏବଂ ତା’ ଚତୁଃପାର୍ଶ୍ବରେ କିଛି ଜଳାଭୂମି ସୃଷ୍ଟି ହୋଇଗଲାଣି। ବାସ୍ତବରେ ବିଭର୍ମାନେ ମଣିଷମାନଙ୍କ ଦ୍ବାରା ପରିବର୍ତ୍ତିତ ସେ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ପୁଣି ଫେରାଇ ଆଣିଛନ୍ତି।
ସେଇଥିପାଇଁ ବିଭର୍ମାନଙ୍କୁ ‘ଇକୋସିଷ୍ଟମ୍ ଇଞ୍ଜିନିୟର୍’ ଆଖ୍ୟା ଦିଆଯାଇଛି। ଅର୍ଥାତ୍ ସେମାନେ ଆପଣା ପରିବେଶକୁ ସମ୍ବଳ ଉପଯୋଗୀ କରିପାରନ୍ତି। ସେମାନେ ଅନେକ ମାଇଲ୍ବ୍ୟାପୀ ବିସ୍ତୃତ ଡ୍ୟାମ୍ ମଧ୍ୟ ନିର୍ମାଣ କରିପାରନ୍ତି। ବିଭର୍ମାନେ ନିର୍ମାଣ କରିଥିବା ସବୁଠୁ ବଡ଼ ଡ୍ୟାମ୍ କାନାଡାର ‘ଉଡ୍ ବଫାଲୋ ନ୍ୟାସ୍ନାଲ୍ ପାର୍କ’ରେ ଅବସ୍ଥିତ। ୭ଟି ଫୁଟ୍ବଲ୍ ପଡ଼ିଆ ଲମ୍ବ ସହିତ ସମାନ ସେ ଡ୍ୟାମ୍ ଏତେ ବଡ଼ ଯେ ମହାକାଶରୁ ବି ତାହାକୁ ଦେଖିହୁଏ। ଜୀବବିଜ୍ଞାନୀ ଜିରି ଭିଲ୍କେକ୍ କହନ୍ତି, ବିଭର୍ମାନେ ଗୋଟିଏ ରାତି ବା ଅତି ବେଶୀରେ ଦୁଇ ରାତିରେ ଡ୍ୟାମ୍ ନିର୍ମାଣ କରିପକାନ୍ତି। କିନ୍ତୁ, ଡ୍ୟାମ୍ ତିଆରି ପାଇଁ ଲୋକମାନଙ୍କୁ ନିର୍ମାଣ ଅନୁମତି, ନିର୍ମାଣ ପ୍ରକଳ୍ପ ଅନୁମୋଦନ ଏବଂ ଅର୍ଥ ଯୋଗାଡ଼ କରିବାକୁ ପଡ଼େ। କେବଳ କାଠ, କାଦୁଅ ଓ ପଥର ଦ୍ବାରା ଏମାନେ ଏଡ଼େ ଚମତ୍କାର ବନ୍ଧ ବାନ୍ଧିପାରନ୍ତି, ଯାହା ବୈଜ୍ଞାନିକମାନଙ୍କୁ ବି ବିସ୍ମିତ କରିଦିଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/16/olU7eRQmMaTTumi4KfuF.jpg)