ଝିଅ ସମ୍ଭାଳିବାକୁ ମନା କରିବାରୁ ବିସଲେରୀ କମ୍ପାନି ବିକିଦେବେ ରମେଶ ଚୌହାନ

ନୂଆଦିଲ୍ଲୀ: ଭାରତର ବୃହତ୍ତମ ପ୍ୟାକେଜ୍ ୱାଟର କମ୍ପାନି ବିସଲେରୀକୁ ମିଳିବ ନୂଆ ମାଲିକ। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ନେତୃତ୍ୱ ନେଉଥିବା ରମେଶ ଚୌହାନ ଏହାକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ରମେଶ ଚୌହାନ ଟାଟା ଗ୍ରୁପ୍ ସହିତ କମ୍ପାନି ବିକ୍ରି ପାଇଁ ଚୁକ୍ତି କରିଥିବା ଚର୍ଚ୍ଚା ହେଉଛି। ଏହି ଡିଲର ମୂଲ୍ୟ ୬,୦୦୦-୭,୦୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

ତେବେ ଏଭଳି ଚର୍ଚ୍ଚା ମଧ୍ୟରେ ଟାଟା ଗ୍ରୁପକୁ ବିସଲେରୀ ବିକିବା ନେଇ ପ୍ରତିକ୍ରିୟା ରଖିଛନ୍ତି ରମେଶ ଚୌହାନ। ଏତେ ବର୍ଷ ପରେ କମ୍ପାନି ବିକ୍ରି କରିବା ପଛର କାରଣ ପଚରାଯିବା ପରେ ରମେଶ ଚୌହାନ କହିଛନ୍ତି, ମୋତେ ଏବେ ୮୨ବର୍ଷ। ଆଗକୁ ଏହି କମ୍ପାନି ଜଣେ ଦକ୍ଷ ଲୋକ ସମ୍ଭାଳିବା ଜରୁରୀ। ମୋ ଝିଅ ଜୟନ୍ତୀ ଏହି ବ୍ୟବସାୟ କରିବାରେ ଇଚ୍ଛ‌ା ରଖୁନଥିବାରୁ ମୁଁ ବିସଲେରୀ ବିକିବାକୁ ଚାହୁଁଛି।

ଟାଟା ଗ୍ରୁପକୁ ୭,୦୦୦କୋଟିରେ କମ୍ପାନି ବିକ୍ରି କରୁଥିବା ପ୍ରଶ୍ନର ଉତ୍ତର ରଖି ସେ କହିଥିଲେ, ଆମେ ଏବେ ବିଭିନ୍ନ କମ୍ପାନି ସହ କଥାବାର୍ତ୍ତା କରୁଛୁ। ବିସଲେରୀକୁ କିଏ କିଣିବ, ତାହା ଧାର୍ଯ୍ୟ କରାଯାଇନାହିଁ।

ତେବେ ତିନି ଦଶନ୍ଧି ପୂର୍ବରୁ ରମେଶ ଚୌହାନ ନିଜର ମୃଦୁ ପାନୀୟ ବ୍ୟବସାୟକୁ ଆମେରିକାର ପାନୀୟ ପ୍ରମୁଖ ଦି କୋକାକୋଲା କମ୍ପାନିକୁ ବିକ୍ରି କରିଥିଲେ। ସେ ୧୯୯୩ରେ ଥମ୍ସ ଅପ୍, ଗୋଲ୍ଡ ସ୍ପଟ୍, ସାଇଟ୍ରା, ମାଜା ଏବଂ ଲିମ୍କା ଭଳି ବ୍ରାଣ୍ଡକୁ ଆଟଲାଣ୍ଟା-ହେଡକ୍ୱାର୍ଟର୍ଡ ଫାର୍ମକୁ ସ୍ଥାନାନ୍ତର କରିଥିଲେ। ୨୦୧୬ରେ ସେ ପୁଣି ଥରେ ବିସଲେରୀ ପପ୍ ଲଞ୍ଚ କରି ମୃଦୁ ପାନୀୟ ବ୍ୟବସାୟରେ ପାଦ ରଖିଥିବା ଦେଖାଯାଇଥିଲା। ହେଲେ ତାଙ୍କୁ ପୂର୍ବ ଭଳି ସଫଳତା ମିଳିନଥିଲା।

ସମ୍ବନ୍ଧିତ ଖବର