ଓଡ଼ିଶାର ବରିଷ୍ଠ ବିଜେପି ନେତା ତଥା ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ଛାତ୍ର ଜୀବନରୁ ଜଣେ ସମାଜସେବୀ ଓ ସୁସଙ୍ଗଠକ ଭାବେ ବେଶ୍ ପରିଚିତ। ପୁଣି ଜଣେ ମେଧାବୀ ଛାତ୍ର ଭାବେ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶୀର୍ଷ ସଫଳତା ହାସଲ କରିଛନ୍ତି। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରିବା ପରେ ଆଇନରେ ସ୍ନାତକୋତ୍ତର, ଲେବର୍ ଲ’ ଓ ପର୍ସନାଲ୍ ମ୍ୟାନେଜ୍ମେଣ୍ଟରେ ପୋଷ୍ଟ୍ଗ୍ରାଜୁଏସନ୍ ଡିପ୍ଲୋମା ହାସଲ କରିଛନ୍ତି। ରାଜ୍ୟ ମନ୍ତ୍ରିମଣ୍ଡଳର ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ସହ ଅଦିନିଆ ବର୍ଷା ହେତୁ ଚାଷୀଙ୍କ ସମସ୍ୟା, ଅବିଭକ୍ତ କୋରାପୁଟର କୋଟିଆ ଓ ଉପାନ୍ତ ଗ୍ରାମରେ ଆନ୍ଧ୍ରର ଦାଦାଗିରି ତଥା ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଆମର ବରିଷ୍ଠ ପ୍ରତିନିଧି ବିଭୂତି ପତି
ସଂକ୍ଷେପରେ ସୁରେଶ
ସୁରେଶ ପୂଜାରୀଙ୍କ ଜୀବନ ଏକ ସଂଘର୍ଷରୁ ସଫଳତାର କାହାଣୀ। ମାଟ୍ରିକ୍ ପଢ଼ିଲା ବେଳକୁ ତାଙ୍କର ଉପର ଭଉଣୀ ଅସୁସ୍ଥ ହୋଇ ସ୍ବର୍ଗବାସୀ ହେଲେ। ସେ ଥିଲେ ତାଙ୍କର ପଥପ୍ରଦର୍ଶକ ଓ ପ୍ରେରଣାର ଉତ୍ସ। ସେହି ସମୟରେ ସେ ଘରେ ରୋଷେଇ କରିବା ସହ ଅନ୍ୟାନ୍ୟ କାମ କରି ମାଟ୍ରିକ୍ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଥିବାରୁ ତାଙ୍କ ପାଇଁ ବହିପତ୍ର କିଣିବା କଷ୍ଟକର ଥିଲା। ସରକାରୀ ବୃତ୍ତି ପାଇ ସେ ସର୍ବଦା ପରୀକ୍ଷାରେ ପ୍ରଥମ ସ୍ଥାନ ଗ୍ରହଣ କରୁଥିଲେ। ରାଜନୀତି ଓ ଓକିଲାତି କରିବା କଥା ସେ ସ୍ୱପ୍ନରେ ଭାବି ନଥିଲେ। ଏସବୁ କେବଳ ସଂଯୋଗ ଓ ଭାଗ୍ୟବଳରୁ ହୋଇଛି ବୋଲି ସେ କହନ୍ତି।
ଥରେ ଏକ ମାମଲାର ଶୁଣାଣି ବେଳେ ତାଙ୍କ ଓକିଲ ଅନୁପସ୍ଥିତ ଥିବାରୁ ସେ ତତ୍କାଳୀନ ଏସ୍ଡିଜେଏମ୍ ଆର୍. କେ. ବାନାର୍ଜୀଙ୍କ ଅନୁମତି ନେଇ ନିଜ ମାମଲା ନିଜେ ପରିଚାଳନା କରି ବିପକ୍ଷ ସାକ୍ଷୀଙ୍କୁ ଜେରା କରିଥିଲେ। ଆଇନ ପାଠ ନ ପଢ଼ି ମଧ୍ୟ ଆଇନ ଉପରେ ତାଙ୍କର ଦକ୍ଷତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହାପରେ ଜଷ୍ଟିସ୍ ବାନାର୍ଜୀ ତାଙ୍କୁ ଆଇନ ପଢ଼ିବାକୁ ଉତ୍ସାହ ଦେଇଥିଲେ ଏବଂ ସେ ଆଇନ ପଢ଼ି ଓକିଲ ହେଲେ। ୧୯୯୨ ମସିହାରେ ତାଙ୍କ ଅଞ୍ଚଳରେ ପୌର ପରିଷଦ ନିର୍ବାଚନରେ ତାଙ୍କ ଅନିଚ୍ଛା ସତ୍ତ୍ବେ ସାଙ୍ଗସାଥୀ ଓ ଓକିଲ ବନ୍ଧୁମାନେ ବାଧ୍ୟ କରି ତାଙ୍କୁ ଅଧ୍ୟକ୍ଷ ପ୍ରାର୍ଥୀ କରି ଲଢ଼େଇଥିଲେ। ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ସେ ପୌର ପରିଷଦ ଅଧ୍ୟକ୍ଷ ଭାବେ ବିଜୟୀ ହୋଇଥିଲେ। ଏହାପରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜେପୟୀଙ୍କ ଆଦର୍ଶ ତଥା ବିଜେପିର ରାଷ୍ଟ୍ରବାଦ ନୀତିରେ ପ୍ରଭାବିତ ହୋଇ ସେ ବିଜେପିରେ ଯୋଗଦେଇଥିଲେ। ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ସେ ଲୋକସଭାରେ ବିଜେପିର ସାଂସଦ ଥିଲେ। ଏହା ବ୍ୟତୀତ ସେ ବିଜେପିର ଅନ୍ୟାନ୍ୟ ପଦପଦବିରେ ରହି ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ।
ଆପଣ ଜଣେ ଭଲ ଛାତ୍ର ଥିବା ସହ ଛାତ୍ର ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ। ଛାତ୍ର ଆନ୍ଦୋଳନର ନେତୃତ୍ବରୁ ଆପଣଙ୍କ ରାଜନୈତିକ ଜୀବନର ମୂଳଦୁଆ ପଡ଼ିଥିଲା?
ପାଠପଢ଼ା ବେଳୁ ମୁଁ ପ୍ରାକୃତିକ ବିପର୍ଯ୍ୟୟଜନିତ ଦୁର୍ଦ୍ଦଶାଗ୍ରସ୍ତଙ୍କ ସେବା ଲାଗି ସାଙ୍ଗସାଥୀଙ୍କ ସହ କାମ କରୁଥିଲି। ସେଥିପାଇଁ ଛାତ୍ରମହଲରେ ମୋର ବିଶେଷ ଆଦର ଥିଲା। ୧୯୮୦-୮୧ରେ ମୁଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ସଭାପତି ହେଲି। ସେ ସମୟରେ ପ୍ରଳୟଙ୍କରୀ ବନ୍ୟାବିପନ୍ନଙ୍କୁ ସାହାଯ୍ୟ ଯୋଗାଇବାରେ ସ୍ଥାନୀୟ ରାଜନୈତିକ ଓ ପ୍ରାଶାସନିକ ଅବ୍ୟବସ୍ଥା ଦେଖି ଆମେ ସମ୍ବଲପୁର ସହରରେ ପ୍ରାୟ ୩୭ ରିଲିଫ୍ କେନ୍ଦ୍ର ପରିଚାଳନା କରିଥିଲୁ ଏବଂ ଅବ୍ୟବସ୍ଥା ବିରୋଧରେ ଆନ୍ଦୋଳନ କରିଥିଲୁ। ଏହି ଛାତ୍ର ଆନ୍ଦୋଳନ ସାରା ଓଡ଼ିଶାକୁ ବ୍ୟାପିଥିଲା ଏବଂ ମୋତେ ଗିରଫ କରିବାକୁ ସ୍ୱତନ୍ତ୍ର ବାହିନୀ ଗଠନ ହୋଇଥିଲା। ଏହା ଥିଲା ଓଡ଼ିଶାର ଶେଷ ବୃହତ୍ ଛାତ୍ର ଆନ୍ଦୋଳନ। ଏହା ହିଁ ମୋତେ ଓକିଲାତି ଓ ରାଜନୀତିକୁ ନେଇଯାଇଥିଲା।
ଅନେକ ଚର୍ଚ୍ଚା କରୁଛନ୍ତି ଓଡ଼ିଶାରେ ବିଜେପି ବିଜୟରେ କେବଳ ‘ପାଣ୍ଡିୟାନ୍ ମ୍ୟାଜିକ୍’ କାମ କରିଛି। ଏଥିସହ ଆପଣ ଏକମତ କି?
ନା। ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ସରକାରଙ୍କ ଜନସେବା ଯୋଜନାକୁ ଜନସାଧାରଣ ଗ୍ରହଣ କଲେ ଏବଂ ସେହି ଭରସାରେ ରାଜ୍ୟ ବିଜେପି ନେତାଙ୍କୁ ବିଜୟୀ କରାଇଲେ। ଏହା ମୋଦୀ ମ୍ୟାଜିକ୍। ପାଣ୍ଡିୟାନ୍ଙ୍କ ଭୂମିକା ସଂସଦୀୟ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ନିର୍ବାଚିତ ରାଜନୈତିକ ନେତୃତ୍ୱ ସରକାର ଚଳାଇଥା’ନ୍ତି। କିନ୍ତୁ ରାଜନୈତିକ ନେତୃତ୍ୱ ଘରେ ବସିବେ ଏବଂ ଜଣେ ଅମଲାତନ୍ତ୍ର ଅଧିକାରୀ ସରକାର ଚଳାଇବେ- ଏହାକୁ ଗଣତନ୍ତ୍ର ସରକାର କୁହାଯାଏନି। ଲୋକେ ଏହାକୁ ଗ୍ରହଣ କଲେନି।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଜେପି ସରକାର ଉପରେ ଚାଷୀଙ୍କର ଭରସା ନାହିଁ। ପୁଣି ଚାଷୀଙ୍କ ପ୍ରତି ବୀମା କମ୍ପାନିର ଆଭିମୁଖ୍ୟକୁ ସେ ସମାଲୋଚନା କରିଛନ୍ତି। ଏ ପ୍ରସଙ୍ଗରେ ଆପଣଙ୍କ ପ୍ରତିକ୍ରିୟା କ’ଣ?
ମୁଁ ପ୍ରଥମେ ନବୀନବାବୁଙ୍କୁ ପଚାରୁଛି- ତାଙ୍କ ସରକାର ଶାସନରେ ଥିବା ବେଳେ ସେ କେତେ ଥର ଅଦିନିଆ ବର୍ଷାରେ ଉଜୁଡ଼ା କ୍ଷେତ ପରିଦର୍ଶନ କରିଥିଲେ? ଥରଟିଏ ମଧ୍ୟ ସେ ପ୍ରାକୃତିକ ବିପର୍ଯ୍ୟୟରେ ପଡ଼ିଥିବା ଚାଷୀ କିମ୍ବା ବିପନ୍ନଙ୍କୁ ସିଧାସଳଖ ଭେଟି କେବେ କଥା ହୋଇନାହାନ୍ତି। ଚାଷୀଙ୍କ ଆର୍ଥିକ ମାନଦଣ୍ଡ ଉନ୍ନତି ପାଇଁ ବିଜେଡି ସରକାର କେତେ ଟଙ୍କା ଇନ୍ପୁଟ୍ ସବ୍ସିଡି ଦେଇଛନ୍ତି? ୨୦୧୪ ମସିହାରେ ନବୀନବାବୁ ସୋହେଲା ଗସ୍ତରେ ଆସି ୧୦୦ ଟଙ୍କାର ଇନ୍ପୁଟ୍ ସବ୍ସିଡି ଦେବାର ଘୋଷଣା କରିଥିଲେ। ଦେଇଥିଲେ କି? ୨୦୧୪-୨୪, ଦଶ ବର୍ଷ ଭିତରେ ୧୦୦ ଟଙ୍କାର ଇନ୍ପୁଟ୍ ସବ୍ସିଡି ଦେଇପାରିଲେ ନାହିଁ। କିନ୍ତୁ ବିଜେପି ସରକାର କ୍ଷମତାକୁ ଆସିବା ପରେ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮୦୦ ଟଙ୍କା ଇନ୍ପୁଟ୍ ସବ୍ସିଡି ଦେଲେ। ବିଜେଡି ସରକାର ଅମଳରେ ଚାଷୀଙ୍କୁ ବୀମା କଂପାନି କ୍ଷତିପୂରଣ କେବେ ଦେଇଛି? ସେମାନେ ବୀମା କମ୍ପାନି ସପକ୍ଷରେ ଓକିଲାତି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଯୋଗୁଁ ବର୍ତ୍ତମାନ ବୀମା କଂପାନି କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦେବ। ବିଜେଡି ନେତା ଦେଖନ୍ତୁ, ନୂଆବର୍ଷରେ ଡବଲ୍ ଇଞ୍ଜିନ୍ ସରକାର ଫସଲବୀମା ଯୋଜନା ସହାୟତା ଆବଣ୍ଟନ କିପରି ବଢ଼ାଇଛନ୍ତି। ଡିଏପି ଉପରେ ସବ୍ସିଡି ପ୍ୟାକେଜ୍ କିପରି ଦେଉଛନ୍ତି।
ପୂର୍ବତନ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଭିଯୋଗ କରିଛନ୍ତି କି ଆପଣ ଅଦିନିଆ ବର୍ଷାଜନିତ କ୍ଷତିପୂରଣ ଚାଷୀଙ୍କୁ ପାଞ୍ଚ ଦିନ ମଧ୍ୟରେ ଦେବା କଥା କହି ଠକି ଦେଇଛନ୍ତି?
ଆମେ ପାଞ୍ଚ ଦିନ ଭିତରେ ନିଶ୍ଚିତ ଚାଷୀଙ୍କୁ କ୍ଷତିପୂରଣ ଦେଇଥାନ୍ତୁ। କିନ୍ତୁ, ପ୍ରଥମ ଅଦିନିଆ ବର୍ଷାର ଚାରିଦିନ ପରେ ଦ୍ବିତୀୟ ଅଦିନିଆ ବର୍ଷା ଲାଗିରହିଲା। ୩୦ ତାରିଖରେ ଆଉ ଥରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଲା। ପାଞ୍ଚ ଦିନ ଭିତରେ ବର୍ଷା ଛାଡ଼ିଲାନି। ଆମେ କିପରି ଆକଳନ କରି କ୍ଷତିପୂରଣ ଦେଇଥାନ୍ତୁ? ରଣେନ୍ଦ୍ରବାବୁଙ୍କୁ ପଚାରୁଛି ସେ ଟିକେ କହନ୍ତୁ- ବର୍ଷା ଛାଡ଼ି ନ ଥିବା ସମୟରେ ଆକଳନ କରି କ୍ଷତିପୂରଣ କିପରି ଦିଆଯିବ?
ଓଡ଼ିଶାର କୋଟିଆ ସମେତ ଅନ୍ୟାନ୍ୟ ଉପାନ୍ତ ଗଁାଗଣ୍ଡାରେ ଆନ୍ଧ୍ରର ଦାଦାଗିରି ବଢୁଛି। ରାଜ୍ୟ ସରକାର ଏହି ସମସ୍ୟା ଲାଗି କିପରି ରଣନୀତି ଆପଣାଉଛନ୍ତି?
ମୁଁ ଆପଣଙ୍କ ସହିତ ସଂପୂର୍ଣ୍ଣ ଏକମତ ଯେ ଉପାନ୍ତ ଗଁାଗଣ୍ଡାରେ ଆନ୍ଧ୍ରର ଦାଦାଗିରି ରାଜ୍ୟ ପାଇଁ ଚିନ୍ତାର ବିଷୟ। କିନ୍ତୁ ଏ କ୍ଷେତ୍ରରେ ବିଗତ ସରକାରଙ୍କ ଭୂମିକା କ’ଣ ଅଧିକ ଉଦ୍ବେଗଜନକ ନୁହେଁ? ସେତେବେଳେ ଯେଉଁ ଉପାନ୍ତ ଗଁାଗଣ୍ଡା ଓଡ଼ିଶା ସରକାରଙ୍କ ସ୍ନେହଶ୍ରଦ୍ଧାରୁ ବଞ୍ଚିତ ହୋଇଥିଲେ ଆମେ ସେଠାରେ ବିକାଶମୂଳକ କାର୍ଯ୍ୟ ଆରମ୍ଭ କରି କେବଳ ଭୌଗୋଳିକ ସ୍ତରରେ ନୁହେଁ, ମାନସିକ ସ୍ତରରେ ମଧ୍ୟ ସେମାନଙ୍କ ବିଶ୍ବାସଭାଜନ ହେବା ଭଳି ପ୍ରୟାସ ଆରମ୍ଭ କରିଛୁ। କୋଟିଆ ପ୍ରସଙ୍ଗ ସମାଧାନ ନିମନ୍ତେ କଂଗ୍ରେସ ବିଧାୟକ ଦଳର ନେତାଙ୍କ ସହିତ ମୁଁ ଆଲୋଚନା କରୁଛି। କୋରାପୁଟର ଏକାଧିକ ପ୍ରାକ୍ତନ ଜିଲ୍ଲାପାଳ ଓ ବୁଦ୍ଧିଜୀବୀଙ୍କ ସହିତ ଆଲୋଚନା ଚଳାଇଛି।
ସେହିପରି ପୋଲାଭରମ୍ ପ୍ରକଳ୍ପ ମଧ୍ୟ ଓଡ଼ିଶା ଲାଗି କ୍ଷତିକାରକ। ବର୍ତ୍ତମାନ ପ୍ରମୁଖ ବିରୋଧୀ ଦଳ ବିଜେଡି ଏହି ପ୍ରସଙ୍ଗ ଉଠାଇ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରିଛି। ଏ ଦିଗରେ ଆପଣଙ୍କ ପଦକ୍ଷେପ କ’ଣ?
୨୪ ବର୍ଷ ଧରି ସାଂସଦ ଥିବା ବେଳେ ବିଜେଡି ନେତାମାନେ କେବେ ସାମ୍ବାଦିକ ସମ୍ମିଳନୀ କରିଥିଲେ? ଏନ୍ଡିଏ ସରକାରରେ ବିଜେଡି ସାମିଲ ହୋଇଥିଲା ଏବଂ ନବୀନବାବୁ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ସେ ପୋଲାଭରମ୍ ପ୍ରସଙ୍ଗ ଉଠାଇଥିଲେ? ବିଜେଡିର ଦିବଂଗତ ନେତା ତଥା ତତ୍କାଳୀନ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଅର୍ଜୁନ ସେଠୀ ପୋଲାଭରମ୍କୁ ପ୍ରୋତ୍ସାହନ ଦେଇଥିଲେ। ସେତେବେଳେ ବିଜେଡି କ’ଣ କରୁଥିଲା? ପୋଲାଭରମ୍ ସମସ୍ୟାର ଜନକ ହେଉଛି ବିଜେଡି। ଆଜି ଉତ୍ତରାଧିକାରସୂତ୍ରରେ ଏହି ସମସ୍ୟାକୁ ଆମ ଉପରେ ଲଦି ଦିଆଯାଇଛି। ତଥାପି ସଂସଦୀୟ ଗଣତନ୍ତ୍ରର ସଂଘୀୟ ବ୍ୟବସ୍ଥାରେ କିପରି ଏହାର ସମାଧାନ ହୋଇପାରିବ, ଆମେ ସେ ଦିଗରେ ଆଲୋଚନା ଆରମ୍ଭ କରିସାରିଲୁଣି।