୨୦୧୮ରେ ରାଜ୍ୟର ବନ୍ୟପ୍ରାଣୀ ଜଗତରେ କିଛି ଚର୍ଚ୍ଚିତ ଘଟଣା : କଳାବାଘରୁ ସହରମୁହାଁ ହାତୀ

୨୦୧୮ରେ ରାଜ୍ୟର ବନ୍ୟପ୍ରାଣୀ ଜଗତରେ କିଛି ଚର୍ଚ୍ଚିତ ଘଟଣାକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା….

ଉପସ୍ଥାପନା: କେଶବ ପାଣି, ଅଳଙ୍କରଣ:ରବି

ବିରଳ କଳାବାଘ ଜନ୍ମ

ବିରଳ କଳାବାଘ ଠାବ ଓ ପ୍ରଜନନ କ୍ଷେତ୍ରରେ ବର୍ଷ ୨୦୧୮ ଖୁସି ଖବର ଆଣିଥିଲା। ଶିମିଳିପାଳ ଅଭୟାରଣ୍ୟ ପରିସରରେ ୪ଟି ମେଲାନିଷ୍ଟିକ୍‌ ଟାଇଗର(କଳା ପଟିଥିବା ରୟାଲ ବେଙ୍ଗଲ ଟାଇଗର)ଙ୍କୁ ଠାବ କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲା ହେମଗିର୍‌ ଜଙ୍ଗଲ ରେଞ୍ଜ ଅନ୍ତର୍ଗତ ଦାଘୋରା ସେକ୍ସନ ଗର୍ଜନବାହାଲ ସଂରକ୍ଷିତ ଜଙ୍ଗଲରେ ବିରଳ କଳା ବାଘ ଦେଖାଦେଇଥିଲା। ହୀରାକୁଦର ଡେବ୍ରିଗଡ଼ ଅଭୟାରଣ୍ୟ ଓ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ାଠାରେ ମହାବଳ ବାଘ ଠାବ ହୋଇଥିଲା। ଜଙ୍ଗଲରେ ଲାଗିଥିବା କ୍ୟାମେରାରେ ବାଘଗୁଡ଼ିକ ଦୃଶ୍ୟମାନ ହୋଇଥିଲେ। ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ୬୦ରୁ ଅଧିକ ବାଘ ଥିବା ବନ ବିଭାଗ ଆକଳନରୁ ଜଣାପଡ଼ିଥିଲା। ସେହିପରି ସୁନାବେଡ଼ା ଓ ଡେବ୍ରିଗଡ଼ରେ ବାଘ ଅଭୟାରଣ୍ୟ କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି।

‌ଡେବ୍ରିଗଡ଼ରେ ମହାବଳ ଶିକାର

ଡେବ୍ରିଗଡ଼ ଜଙ୍ଗଲରେ ମହାବଳ ବାଘ ଥିବା ନେଇ ବର୍ଷ ମଧ୍ୟ ଭାଗରେ ଜଣାପଡ଼ିବା ପରେ ବନ୍ୟଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଥିଲା। ହେଲେ ଅକ୍ଟୋବର ମାସରେ ଡେବ୍ରିଗଡ଼ରେ ମହାବଳ ବାଘର ମୃତ୍ୟୁ ଖବର ଆସିଥିଲା। ଶିକାରୀମାନେ ବାଘକୁ ହତ୍ୟା କରିବା ପରେ ତାହାକୁ ପୋତି ଦେଇଥିଲେ। ନଖ, ଚମଡ଼ା, ଦାନ୍ତ ନେଇ ଯାଇଥିଲେ। ପ୍ରଥମେ ବନ ବିଭାଗ ଏହାକୁ କଲରାପତରିଆ ବାଘ କହିଥିବା ବେଳେ ପରବର୍ତୀ ସମୟରେ ମହାବଳର ମୃତ୍ୟୁ ହୋଇଥିବା ଶିକାର କରିଥିଲା। ଘଟଣା ନେଇ ଏନଟିସିଏ ଓ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନେ ତଦନ୍ତ କରିଥିଲେ।

ହାତୀ ଜୀବନ ବଞ୍ଚାଇବ ମହୁମାଛି ଶବ୍ଦ ଯନ୍ତ୍ର

ହାତୀ ମୃତ୍ୟୁ ରୋକିବା ପାଇଁ ବନ ଓ ରେଳ ବିଭାଗ ଏଣିକି ଅଭିନବ ଉପାୟ ଅବଲମ୍ବନ କରିବେ। ହାତୀ ଚଳପ୍ରଚଳ କରୁଥିବା ସମସ୍ତ ରେଳଧାରଣା ପାର୍ଶ୍ବରେ ‌ମହୁମାଛିଙ୍କ ଶବ୍ଦ ବାହାରୁଥିବା ଯନ୍ତ୍ର ଲଗାଯିବ। ଫଳରେ ହାତୀମାନେ ଆଉ ରେଳଧାରଣା ପାଖକୁ ଆସିବେନି। ରେଳ ଦୁର୍ଘଟଣାରେ ହାତୀ ମୃତ୍ୟୁକୁ ରୋକାଯାଇପାରିବ।

ସହରମୁହାଁ ହାତୀ

ବର୍ଷର ବିଭିନ୍ନ ସମୟରେ ସହରମୁହାଁ ହୋଇଥିଲେ ହାତୀ। ଚନ୍ଦକା ଜଙ୍ଗଲ ଡେଇଁ ହାତୀପଲ ଦ୍ବୈତନଗରୀ ଆଡ଼କୁ ମାଡ଼ି ଆସିଥିଲେ। ଡିସେମ୍ବରରେ କଟକ ସହର ଭିତରେ ଦନ୍ତା ହାତୀର ଉତ୍ପାତ ଲୋକଙ୍କୁ ଭୟଭୀତ କରିଥିଲା। ଏଥିସହ ଅନୁଗୁଳ ସହର ନୂଆମୌଜା ପଞ୍ଚାୟତ ଶରଧାପୁର ନିକଟରେ ଥିବା ଜଙ୍ଗଲରୁ ୭ ହାତୀ ସହରମୁହାଁ ହୋଇଥିଲେ। ବଲାଙ୍ଗୀର ସହର ଆଡ଼କୁ ବି ମାଡ଼ି ଆସିଥିଲେ ହାତୀପଲ।

ଭାସିଗଲେ ହାତୀପଲ

ଆଠଗଡ଼ ବନଖଣ୍ତରୁ ଆସି ମହାନଦୀରେ ପ୍ରବେଶ କରିବା ସମୟରେ ୫ଟି ହାତୀ ଭାସି ଯାଇଥିଲେ। ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଆଡ଼କୁ ପ୍ରବେଶ କରୁଥିବା ବେଳେ ମୁଣ୍ତଳୀ ଆନିକଟ ନିକଟରେ ସମସ୍ତ ଗେଟ୍‌ ଖୋଲାଥିବାରୁ ପାଣିର  ସୁଅରେ ହାତୀମାନେ ମୁଣ୍ତଳୀ ଆନିକଟ ଆଡ଼କୁ ଭାସି ଆସିଥିଲେ। ୧୨ଘଣ୍ଟା ପର୍ଯ୍ୟନ୍ତ ନଈରେ ରହିବା ପରେ କୂଳରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର