ଶୀର୍ଷକ ଦେଖି ଆପଣ ହୁଏତ ଭାବୁଥିବେ ‘କଳାପାଣି’ କୁହାଯାଉଥିବା ଆଣ୍ଡାମାନ୍‌-ନିକୋବର୍‌ ଦ୍ବୀପପୁଞ୍ଜର ସେଲୁଲାର୍‌ ଜେଲ୍‌‌ର କାଳକୋଠରିିର କୌଣସି କାହାଣୀ ଉପସ୍ଥାପନ କରୁଛୁ। କିନ୍ତୁ ସେ କଳାପାଣି ନୁହେଁ, ସଂପ୍ରତି ବିଶ୍ବର ସବୁଠାରୁ ଦାମୀ ପାନୀୟଜଳ ଆଖ୍ୟା ପାଇଥିବା‌ ‘କଳାପାଣି’ ବା ‘ବ୍ଲାକ୍‌ ୱାଟର୍‌’ ସଂପର୍କରେ ଏଇ ଆଲୋଚନା। ଆମେ ବହିରେ ପଢ଼ିଛେ, ଜଳ ହେଉଛି ରଙ୍ଗହୀନ, ସ୍ବାଦହୀନ ଓ ଗନ୍ଧହୀନ। କିନ୍ତୁ ଆଜିର ବୈଜ୍ଞାନିକମାନେ ପ୍ରସ୍ତୁତ କରୁଥିବା ଦାମୀ ପାନୀୟ ଜଳର ରଙ୍ଗ ‘କଳା’। ଏହି ‘କଳାପାଣି’ ଏବେ ଗ୍ଲାମର୍‌, ସିନେମା ତଥା ଖେଳ ଦୁନିଆର ସେଲିବ୍ରିଟିଙ୍କ ପ୍ରଥମ ପସନ୍ଦ ପାଲଟିଛି। ସ୍ବାସ୍ଥ୍ୟ ନେଇ ସଚେତନ ଲୋକେ ଏବେ ସାଦା ପାଣି ଛାଡ଼ି ‘ବ୍ଲାକ୍‌ ୱାଟର୍‌’କୁ ଆପଣାଇଛନ୍ତି। ଆସନ୍ତୁ ଜାଣିବା, କ’ଣ ଏହି କଳାପାଣି? 
ଉପସ୍ଥାପନା: ସସ୍ମିତା ସାହୁ

Advertisment

ମଣିଷ ଶରୀରର ୫୦ ରୁ ୭୫% ଭାଗ ଜଳ। ଏଥିସହ ପୃଥିବୀର ୭୧% ଅଞ୍ଚଳ ମଧ୍ୟ ଜଳାବୃତ୍ତ। ଅର୍ଥାତ୍‌ ଜଳ ହିଁ ପୃଥିବୀର ଅସ୍ତିତ୍ବ। କେବଳ ତୃଷା ନିବାରଣ ପାଇଁ ନୁହେଁ, ଶରୀରକୁ ପୋଷଣ ଯୋଗାଇବା‌େର ବି ଜଳର ଭୂମିକା ଗୁରୁତ୍ବପୂର୍ଣ୍ଣ। ବିଜ୍ଞାନ ମତରେ, ମା’ କ୍ଷୀରର ୮୦% ହେଉଛି ଜଳ। ଜଣାଶୁଣା ବୈଜ୍ଞାନିକ ମିଚେଲ୍‌ ଓ ସାଥୀଙ୍କ ଗବେଷଣାଲବ୍ଧ ତଥ୍ୟ ଅନୁସାରେ, ଆମର ମସ୍ତିଷ୍କ ଓ ହୃତ୍‌ପିଣ୍ଡର ୭୩% ଏବଂ ଫୁସ୍‌ଫୁସ୍‌ର ପ୍ରାୟ ୮୩% ଜଳରେ ଗଠିତ। ସେହିଭଳି ଚର୍ମରେ ୬୪% ଜଳୀୟଅଂଶ ଥିବା ବେଳେ ମାଂସପେଶୀ ଓ ବୃକ୍‌କ ୭୯% ଜଳରେ ନିର୍ମିତ। ଏପରିକି ମଣିଷ ହାଡ଼ର ୩୧% ଜଳରେ ଗଠିତ। ‘ଜଳ’ ଶରୀର ପାଇଁ କେତେ ଜରୁରି ତାହା ଏଥିରୁ ସ୍ପଷ୍ଟ ପ୍ରତୀୟମାନ। ଜଳ ପ୍ରଦୂଷଣ ବର୍ତ୍ତମାନ ସଂକଟଜନକ ସ୍ଥିତିରେ ପହଞ୍ଚିଥିବାରୁ ଏବେ ନିର୍ମଳ ଓ ସ୍ବାସ୍ଥ୍ୟୋପଯୋଗୀ ପାଣି ପିଇବା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। ଏଣୁ କମ୍‌ ଅମ୍ଳଯୁକ୍ତ ତଥା ଭିଟାମିନ୍ ଓ ଖଣିଜଦ୍ରବ୍ୟରେ ଭରପୂର କ୍ଷାରପାଣି ଅର୍ଥାତ୍‌ ‘ଆଲ୍‌କାଲାଇନ୍‌ ୱାଟର୍’ଠାରୁ ଆରମ୍ଭ କରି ‘ବ୍ଲାକ୍‌ ଆଲ୍‌କାଲାଇନ୍‌ ୱାଟର୍‌’ର ଚାହିଦା ବଢ଼ିବାରେ ଲାଗିଛି। ଯଦିଓ ଏବେ ରାସାୟନିକ ବା ଔଦ୍ୟୋଗିକ ପ୍ରକ୍ରିୟାରେ ପ୍ରସ୍ତୁତ ହେଉଥିବା ଏସବୁ ପାଣିକୁ ସ୍ବାସ୍ଥ୍ୟୋପଯୋଗୀ କୁହାଯାଉଛି, କିନ୍ତୁ ବିଭିନ୍ନ ପ୍ରାକୃତିକ ଉତ୍ସରୁ ମିଳୁଥିବା ପାଣି‌େର ବି ରହିଛି ବିଭିନ୍ନ ଔଷଧୀୟ ତତ୍ତ୍ବ ଓ ସ୍ବାସ୍ଥ୍ୟ ଉପକାରୀ ଗୁଣ। ଏହାର ବ୍ୟବହାର ହେତୁ ଅତୀତରେ ବହୁ ଦୂରାରୋଗ୍ୟ ବ୍ୟାଧି ଭଲ ହୋଇଥିବା ନଜିର ବି ରହିଛି।

ସ୍ବାସ୍ଥ୍ୟ ପାଇଁ ଏବେ ‘ଆଲ୍‌କାଲାଇନ୍‌ ପାଣି’
ଯଦିଓ ସାଧାରଣ ଜନତା ଭାରତୀୟ ସରକାରୀ ବ୍ୟବସ୍ଥାରେ ଉପଲବ୍ଧ ପାନୀୟ ଜଳ ଉପରେ ନିର୍ଭରଶୀଳ, କିନ୍ତୁ ସମ୍ଭ୍ରାନ୍ତ ଶ୍ରେଣୀୟ ତଥା ଧନାଢ଼୍ୟ ବର୍ଗ ଏବେ ‘ଆଲ୍‌କାଲାଇନ୍‌ ପାଣି’କୁ ‌ଦୈନନ୍ଦିନ ଜୀବନରେ ଅନ୍ତର୍ଭୁକ୍ତ କରିସାରିଲେଣି। ପ୍ରକୃତିଗତ ଭାବେ ଜଳରେ ଥିବା ସମସ୍ତ ଉପକାରୀ ତତ୍ତ୍ବ ‘ଆଲ୍‌କାଲାଇନ୍‌ ପାଣି’ରେ ଉପଲବ୍ଧ ହେଉଥିବାରୁ ଏହା ସ୍ବତନ୍ତ୍ର ସ୍ଥାନ ନେଇଛି। ସାଧାରଣ ପାଣି ଅପେକ୍ଷା ଏହାର ପିଏଚ୍‌ ସ୍ତର ଅଧିକ ହୋଇଥାଏ। ଅନ୍ୟ ଅର୍ଥରେ ଆଲ୍‌କାଲାଇନ୍‌ ପାଣି, ସାଧାରଣ ପାଣି ଅପେକ୍ଷା କମ୍‌ ଅମ୍ଳଯୁକ୍ତ। 

ସାଧାରଣ ପାଣିର ପିଏଚ୍‌ ସ୍ତର ‘୭’ ଅର୍ଥାତ୍‌ ନ୍ୟୁଟ୍ରାଲ୍‌ ଥିବା ବେଳେ ଆଲ୍‌କାଲାଇନ୍‌ ପାଣିର ପିଏଚ୍‌ ସ୍ତର ୮ରୁ ଅଧିକ। କେବଳ ପିଏଚ୍‌ ସ୍ତର ଅଧିକ ରହିଲେ ପାଣି ଆଲ୍‌କାଲାଇନ୍‌ ହୋଇପାରିବ ନାହିଁ, ଏଥିରେ କ୍ୟାଲ୍‌ସିୟମ୍‌, ପଟାସିୟମ୍‌, ମ୍ୟାଗ୍‌ନେସିୟମ୍‌ ଓ ଆଇରନ୍‌ ଭଳି ଖଣିଜ ଆବଶ୍ୟକ ଅନୁପାତରେ ରହିବା ମଧ୍ୟ ଜରୁରି। ଏଥିସହ ଏଥିରେ ନେଗେଟିଭ୍‌ ଅକ୍ସିଡେସନ୍‌ ରିଡକ୍ସନ୍‌ ପୋଟେନ୍‌ସିଆଲ୍‌ (ଓଆର୍‌ପି) ମଧ୍ୟ ରହିଥାଏ। ଯାହା ଯୋଗୁ ଆଲ୍‌କାଲାଇନ୍‌ ପାଣି ଆଣ୍ଟିଅକ୍ସିଡାଣ୍ଟ୍‌ ଭାବେ କାର୍ଯ୍ୟ କରାଇଥାଏ। ଏବେ ରସାୟନିକ ଉପାୟରେ ଆଲ୍‌କାଲାଇନ୍‌ ପାଣି ପ୍ରସ୍ତୁତ କରାଯାଉଥିବା ବେଳେ ଏହା ପ୍ରାକୃତିକ ଉପାୟରେ ମଧ୍ୟ ମିଳିଥା‌ଏ। ସାଧାରଣତଃ ପାହାଡ଼ରେ ଝରିଯାଉଥିବା ଝରଣାର ପାଣି ଯେତେବେଳେ ବିଭିନ୍ନ ଖଣିଜ ପଦାର୍ଥ ସଂସ୍ପର୍ଶରେ ଆସେ, ସେତେବେଳେ ଏଥିରେ ସ୍ବାଭାବିକ ପ୍ରକ୍ରିୟାରେ ବହୁ ଖଣିଜତତ୍ତ୍ବ ମିଶୁଥିବାରୁ ଏହା ଆଲ୍‌କାଲାଇନ୍‌ ହୋଇଯାଏ। ଆଲ୍‌କାଲାଇନ୍‌ ପାଣି ନିୟମିତ ପିଇବା ଦ୍ବାରା ରକ୍ତ‌ର ଅମ୍ଳସ୍ତର କମିଥାଏ। ପୁଣି କର୍କଟ ଓ ହୃଦ୍‌ରୋଗରୁ ଅନେକାଂଶରେ ମୁକ୍ତି ମିଳିଥାଏ। ଏହା ‘ଆଣ୍ଟି-ଏଜିଂ ଏଜେଣ୍ଟ୍‌’ ଭାବେ କାର୍ଯ୍ୟ କରିବା ହେତୁ ବୟସର ଛାପ ଶରୀରରେ ପଡ଼ିବାକୁ ଦେଇ ନଥାଏ। ତେବେ ଆଲ୍‌କାଲାଇନ୍‌ ପାଣିର ସ୍ବାସ୍ଥ୍ୟ ଉପକାରିତା ଉପରେ ଏବେ ବି ଅଧିକ ଗବେଷଣାର ଆବଶ୍ୟକତା ରହିଛି। 

ffhfh

କିମିଆ କରିଛି ‘କଳାପାଣି’ 
କଳାପାଣି ବା ବ୍ଲାକ୍‌ ୱାଟର୍‌ ହେଉଛି ଏକ ଶ୍ରେଣୀର ଆଲ୍‌କାଲାଇନ୍‌ ୱାଟର୍‌। ଏହା ଏକ ପ୍ରକ୍ରିୟାକୃତ ପାନୀୟ ଜଳ। ପାଣିରେ ‘ଫୁଲ୍‌ଭିକ୍‌ ଏସିଡ୍‌’ ସହ କିଛି ଭିଟାମିନ୍‌ ମିଶାଯାଇ ଏହା ପ୍ରସ୍ତୁତ କରାଯାଇଥାଏ। ଏହି ଏସିଡ୍‌ର ଉପସ୍ଥିତି ହିଁ ପାଣିର ରଙ୍ଗ କଳା କରିଦେଇଥାଏ। ସାଧାରଣ ପାଣି ଅପେକ୍ଷା ‘ବ୍ଲାକ୍‌ ୱାଟର୍‌’ର କ୍ଷାରପଣ ସାମାନ୍ୟ ଅଧିକ। ‘ଫୁଲ୍‌ଭିକ୍‌ ଏସିଡ୍‌’ ହେଉଛି ପାହାଡ଼ ଉପରେ ଜୈବିକ ପଦାର୍ଥଗୁଡ଼ିକର ବିଘଟନଜନିତ ଶତାବ୍ଦୀ ଶତାବ୍ଦୀ ଧରି ଗଚ୍ଛିତ ହୋଇ ପ୍ରସ୍ତୁତ ହୋଇଥିବା କଳା ରଙ୍ଗର ଅଠାଳିଆ ପଦାର୍ଥ। ଭାରତୀୟ ଆୟୁର୍ବେଦୀୟ ଔଷଧ‌ରେ ହଜାର ବର୍ଷରୁ ଅଧିକ ସମୟ ଧରି ଏହି ଫୁଲ୍‌ଭିକ୍‌ ଏସିଡ୍‌ର ବ୍ୟବହାର ହୋଇଆସୁଛି। ଏହା ପାହାଡ଼ରୁ ବାହାରୁଥିବା ଶିଳାଜିତ୍‌ର ଏକ ଅଂଶ। ବିଜ୍ଞାନ ଅନୁସାରେ, ଶିଳାଜିତ୍‌ରେ ୧୫ରୁ ୨୦% ଫିଲ୍‌ଭିକ୍‌ ଏସିଡ୍‌ ରହିଛି। ଉତ୍ତର ଭାରତ ଓ ନେପାଳର ଅଧିବାସୀ ପାରମ୍ପରିକ ଔଷଧ ଭାବେ ଏହାକୁ ବ୍ୟବହାର କରୁଥିଲେ। ୨୦୦୮ ମସିହାରେ କାନାଡ଼ାରେ ପାହାଡ଼ୀ ଝରଣା ଜଳ ଓ ‘ଫୁଲ୍‌ଭିକ୍‌ ଏସିଡ୍‌’କୁ ମିଶାଇ ପ୍ରଥମେ ‘ବ୍ଲାକ୍‌ ୱାଟର୍‌’ ପ୍ରସ୍ତୁତ ହୋଇଥିଲା। ଏହାକୁ ସେମାନେ ହେଲ୍ଥ ସପ୍ଲିମେଣ୍ଟ୍‌ ଭାବେ ଗ୍ରହଣ କରୁଥିଲେ। ୨୦୧୧ ମସିହାରେ ବିଏଲ୍‌କେ କମ୍ପାନି ଦ୍ବାରା ଏହା ମୁଖ୍ୟସ୍ରୋତର ବଜାରରେ ସାମିଲ ହୋଇଥିଲା। ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ବିରାଟ କୋହଲି ହୁଅନ୍ତୁ କି, ବଲିଉଡ୍‌ ଅଭିନେତା ଅନୀଲ କପୁର୍‌, ବରୁଣ ଧାୱନ୍‌, ମଲାଇକା ଅରୋରା, ସାରାଅଲ୍ଲୀ ଖାନ୍‌, କାଜଲ ଅଗ୍ରୱାଲ୍‌, କରନ ଜୋହର୍‌ ଅଥବା ରୢାପର୍‌ ବାଦ୍‌ଶାହ; ଏହି ସେଲିବ୍ରିଟିମାନେ ‘ବ୍ଲାକ୍‌ ୱାଟର୍‌’ ପିଉଥିବାର ଚିତ୍ର ଅନେକ ସମୟରେ କ୍ୟାମେରାରେ କଏଦ୍‌ ହୋଇଛି। କେବଳ ଏମାନେ ନୁହନ୍ତି, ଅଧିକାଂଶ ସେଲିବ୍ରିଟି, ମଡେଲ୍‌, ଖେଳାଳି ଓ ସମ୍ଭ୍ରାନ୍ତଶ୍ରେଣୀୟ ବ୍ୟକ୍ତିବିଶେଷ ସାଧାରଣ ପାଣି ଛାଡ଼ି ‘ବ୍ଲାକ୍‌ ୱାଟର୍‌’ ପିଇବା ସହ ଏହାର ପ୍ରଚାରପ୍ରସାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।

୨୪ ବିଲିୟନ୍‌ ଡଲାର୍‌ର ପାନୀୟ ଜଳ ବଜାର
ସ୍ବାସ୍ଥ୍ୟ ସଚେତନତା ଯୋଗୁଁ ତଥା ସ୍ବଚ୍ଛ ପାଣିର ଉପଲବ୍ଧତା ହ୍ରାସ ଯୋଗୁ ଦିନକୁ ଦିନ ଭାରତରେ ବୋତଲ ପାଣିର ବଜାର ବିଶାଳ ରୂପ ଧାରଣ କରୁଛି। ଭୋଜିଭାତଠୁ ଆରମ୍ଭ କରି ପାର୍ଟି, ପିକ୍‌ନିକ୍‌, ଜନ୍ମଦିନ ଉତ୍ସବ, ସବୁଠି ବୋତଲ ପାଣିର ବ୍ୟବହାର ବଢ଼ିଚାଲିଛି। ‘ଟ୍ରେଡ୍‌ ‌ପ୍ରମୋସନ୍‌ କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆ’ର ତଥ୍ୟ ଅନୁସାରେ, ୨୦୧୯ ମସିହା ସୁଦ୍ଧା ଭାରତରେ ପ୍ୟାକେଜ୍‌ଡ୍‌ ପାନୀୟ ଜଳ ବୋତଲ ବଜାରର ଆକାର ଥିଲା ୨୪ ବିଲିୟନ୍‌ ଡଲାର୍‌। ୨୦୩୦ ମସିହା ସୁଦ୍ଧା‌ ଏହି ବଜାରର ଆକାର ୮୨୬ ବିଲିୟନ୍‌ ଡଲାର୍‌ରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ଭାରତରେ ପାନୀୟ ଜଳ ଶିଳ୍ପ ‘ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡସ୍‌ (ବିଆଇଏସ୍‌)’ ଦ୍ବାରା ନିୟନ୍ତ୍ରିତ ହେଉଥିବା ବେଳେ ପାନୀୟ ଜଳ ବିକିବା ପାଇଁ ବିଆଇଏସ୍‌ ସାର୍ଟିଫିକେଟ୍‌ ବାଧ୍ୟତାମୂଳକ କରାଯାଇଛି। ଏହାସତ୍ତ୍ବେ ଦେଶରେ ନକଲି ପାନୀୟ ଜଳ ବୋତଲର ବଜାର ଏବେ କାୟା ବିସ୍ତାର କରିଚାଲିଛି। 

ଅନେକ ସମୟରେ ଆମେ ‘ବିସ୍‌ଲେରି’ ପାଣି ବୋତଲ ବଦଳରେ ‘ବିଲ୍‌ସେରି’ ଲେଖାଥିବା ବୋତଲ ଦେଖୁଛେ। କେବଳ ଏହି ଗୋଟିଏ ନୁହେଁ, ମିନେରାଲ୍‌ ପାଣି ବୋତଲ ନାଁରେ ଏମିତି ଅନେକ ନକଲି ବୋତଲ ଏବେ ବଜାରରେ ମିଳୁଛି। ଏଭଳି ଦାମୀବ୍ରାଣ୍ଡ୍‌ର ନକଲ, କେବଳ ନକଲି ଦ୍ରବ୍ୟ ଉପରେ ନୁହେଁ, ଆମେ ପିଉଥିବା ପାଣିର ଗୁଣବତ୍ତା ଓ ନିରାପତ୍ତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରେ। ନକଲି ବ୍ରାଣ୍ଡ୍‌ଗୁଡ଼ିକ ଉପରେ କଟକଣା ଲଗାଇବା ଦିଗରେ କର୍ତ୍ତୃପକ୍ଷ ଧ୍ୟାନ ଦେଉଥିବା ବେଳେ, ଜଳ ବିଶୋଧନ ପ୍ରକ୍ରିୟା ଓ ସ୍ୱଚ୍ଛ ପାନୀୟ ଜଳ ସନ୍ଧାନରେ ଜଳର ଅସଲ ପୋଷକତତ୍ତ୍ବ ନଷ୍ଟ ହୋଇଯାଉଛି। ବିଶୋଧିତ ବୈଧ ବୋତଲ ପାଣିରେ ମଧ୍ୟ ଶରୀର ଆବଶ୍ୟକ କରୁଥିବା ପୋଷକତତ୍ତ୍ବ ରହୁନାହିଁ।

ବିଶୁଦ୍ଧୀକରଣ ନଷ୍ଟ କରୁଛି ପୋଷକତତ୍ତ୍ବ! 
ପ୍ରାକୃତିକ ଜଳଉତ୍ସ ଉପରେ ଗବେଷଣାରତ ‘ବ୍ରିଥ୍‌ଗ୍ରିନ୍‌ ଇଣ୍ଡିଆ’ର ପ୍ରତିଷ୍ଠାତା ଦୁର୍ଗାପ୍ରସାଦ ମିଶ୍ର କହିଛନ୍ତି, ଯେତେବେଳେ ପାଣି ଆଧୁନିକ ବିଶୋଧନ ପ୍ରକ୍ରିୟା ଦେଇ ଗତି କରେ, ସେଥିରେ ଥିବା ଜରୁରୀ ଖଣିଜଦ୍ରବ୍ୟ ଓ ଅଣୁଜୀବ ନଷ୍ଟ ହୋଇଯା’ନ୍ତି। ଫଳରେ ଆମେ ଜୀବନ୍ତ ନୁହେଁ, ମୃତ ପା‌ଣି ପାଇଥାଉ। ଯାହାକି ଆମ ଶୋଷ ମେଣ୍ଟାଇପା‌େର କିନ୍ତୁ ପାଣିରୁ ଶରୀରକୁ ମିଳିବାକୁ ଥିବା ପୋଷକତତ୍ତ୍ବ ମିଳେନାହିଁ। ପ୍ରାକୃତିକ ଭାବେ ପାଣି ମ୍ୟାଗ୍‌ନେସିୟମ୍‌, କ୍ୟାଲ୍‌ସିୟମ୍‌, ପଟାସିୟମ୍‌ ଆଦି ଖଣିଜ ଦ୍ରବ୍ୟରେ ଭରପୂର ଥିବା ବେଳେ ବିଶୋଧନ ପ୍ରକ୍ରିୟାରେ ଏସବୁ ପାଣିରୁ ଅଲଗା ହୋଇଯାଏ। ପାଣିରେ ଥିବା ମ୍ୟାଗ୍‌ନେସିୟମ୍‌ ଶରୀରର ଶକ୍ତି ଉତ୍ପନ୍ନରେ ସାହାଯ୍ୟ କରୁଥିବା ବେଳେ ମାଂସପେଶୀ ସଶକ୍ତ କରିଥ‌ାଏ। କ୍ୟାଲ୍‌ସିୟମ୍‌ ହାଡ଼ ମଜଭୁତ କରେ। ଖାଲି ସେ‌ତିକି ନୁହେଁ, ବିଶୋଧନ ସମୟରେ ହାନିକାରକ ଜୀବାଣୁ ପାଣିରୁ ନଷ୍ଟ ହେଉଥିବା ବେଳେ ଶରୀର ପାଇଁ ଉପକାରୀ ଅଣୁଜୀବମାନେ ବି ମରିଯାଇଥା’ନ୍ତି। ମଧୁର ଜଳ ପାଉନଥିବା ଅଞ୍ଚଳରେ ଏବେ ସମୁଦ୍ର ଜଳ ବିଶୋଧନ କରାଯାଇ ପାନୀୟ ଜଳ କରାଯାଉଛି। ଇସ୍ରାଏଲ୍‌ର ‘ଟାବ୍‌ ସେଣ୍ଟର୍‌’ କରିଥିବା ଅଧ୍ୟୟନରୁ ଜଣାପଡ଼ିଛି, ମ୍ୟାଗ୍‌ନେସିୟମ୍‌ ଅଭାବ ଥିବାରୁ ଏହି ପାଣିକୁ ନିୟମିତ ପିଇଲେ ଟାଇପ୍‌-୨ ମଧୁମେହ ସହ ବ୍ରେନ୍‌ ଷ୍ଟ୍ରୋକ୍‌ ବା ଇନ୍‌କେମିକ୍‌ ଷ୍ଟ୍ରୋକ୍‌ ଆଶଙ୍କା ବ‌ଢ଼ିଥାଏ। ହୃଦ୍‌ସମସ୍ୟା ସହ ହଜମକ୍ରିୟାରେ ସମସ୍ୟା ଏବଂ ଥକାପଣ, ଚିଡ଼ିଚିଡ଼ାପଣ ମଧ୍ୟ ବଢ଼ିଥାଏ।

ଆଜି ବ୍ଲାକ୍‌ ୱାଟର୍‌/ ମିନେରାଲ୍‌ ୱାଟର୍‌ ଭଳି ପ୍ରକ୍ରିୟାକୃତ ଜଳ ଉପରେ ଲୋକଙ୍କର ନିର୍ଭରଶୀଳତା ବଢୁଥିବା ବେଳେ ଅତୀତରେ ଏଭଳି ଅନେକ ଜଳଉତ୍ସ ଥିଲା, ଯାହାର ଜଳରେ ଔଷଧୀୟ ତତ୍ତ୍ବ ରହିବା ସହ ରୋଗଉପଶମକାରୀ ଶକ୍ତି ମଧ୍ୟ ଥିଲା। ଏହିକ୍ରମରେ ଭୁବନେଶ୍ବରର କେଦାରଗୌରୀ ମନ୍ଦିର ପରିସରରେ ଥିବା  କେଦାରଗୌରୀ କୁଣ୍ଡ ଉଲ୍ଲେଖ ଦାବି କରେ। ଏଠାରେ ଥିବା ୪ ଐତିହାସିକ କୁଣ୍ଡ ମଧ୍ୟରୁ ‘ଦୁଗ୍ଧକୁଣ୍ଡ’ର ପାଣି ୨ ମାସ‌ ଧରି ନିୟମିତ ପିଇଲେ ବିଭିନ୍ନ ପେଟରୋଗ ଦୂରହୁଏ ବୋଲି ବିଶ୍ୱାସ ପ୍ରଚଳିତ ଥିଲା। ସେହିଭଳି ଏଠାରେ ଥିବା ‘ଗୌରୀକୁଣ୍ଡ’ରେ ସ୍ନାନ କଲେ ବିଭିନ୍ନ ପ୍ରକାର ଚର୍ମରୋଗ ଦୂରହୁଏ ବୋଲି ଜନଶ୍ରୁତି ରହିଛି।

୧୯୦୦ ମସିହା ବେଳକୁ କେଦାରଗୌରୀ କୁଣ୍ଡର ଜଳରେ ଔଷଧୀୟ ଗୁଣ ରହିଛି ବୋଲି ଏକ ପ୍ରକାର ପ୍ରମାଣିତ ହେବା ପରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ଅନ୍ୟ ରାଜ୍ୟରୁ ଲୋକମାନେ ଆସି ଏଠାରୁ ପାଣି ନେଉଥିଲେ। ‌କଠିନ ରୋଗରେ ପଡ଼ିଥିବା ରୋଗୀ ପ୍ରତିଦିନ ଏହି ଜଳ ବ୍ୟବହାର କରିବା ଲାଗି ଏଠାରେ ମାସେ ଦୁଇମାସ ରହୁଥିଲେ। ଏହା ଦେଖି ‌ବାହାରୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ କୋଲ୍‌କାତାର ଜଣେ ବଙ୍ଗୀୟ ଡାକ୍ତର ଓ ଜଣେ ବ୍ରିଟିସ୍‌ ଭଦ୍ରଲୋକ ମିଶି କେଦାରଗୌରୀ ମନ୍ଦିରଠାରୁ ମାତ୍ର ୩୦୦- ୪୦୦ ମିଟର ଦୂରରେ ଏକ ଆରୋଗ୍ୟାଳୟ ବା ‘ସାନାଟୋରିୟମ୍‌’ ଖୋଲିଥିଲେ। ଏବେ ଆଉ ସେ ସାନାଟୋରିୟମ୍‌ ନାହିଁ, କିନ୍ତୁ ସେ କାହାଣୀ ଅଛି।

ଏ ସମ୍ପର୍କରେ ବିଶିଷ୍ଟ ଐତିହାସିକ ଅନୀଲ ଧୀର କହନ୍ତି, ‘‘କେଦାରଗୌରୀ କୁଣ୍ଡରେ ଏକ କୂପ ଥିଲା। ସେହି କୂପ ପାଣିରେ ଔଷଧୀୟ ଗୁଣ ଥିଲା। ସେ ସମୟରେ କୌଣସି ବଙ୍ଗବାସୀଙ୍କୁ ଯଦି ମ୍ୟାଲେରିଆ, ଟିବି ବା କୌଣସି ପେଟରୋଗ ହେଉଥିଲା, ତେବେ ଚିକିତ୍ସା ପରେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ ପାଇଁ ସେମାନଙ୍କୁ ଭୁବନେଶ୍ବର ଆସି ଏହି ସାନାଟୋରିୟମ୍‌ରେ ରହିବାକୁ କୋଲକାତାର ଡାକ୍ତରମାନେ ପରାମର୍ଶ ଦେଉଥିଲେ। ସମାନ କାରଣରୁ ବ୍ରିଟିସ୍‌ମାନେ ମଧ୍ୟ ଏଠାକୁ ଆସୁଥିଲେ। ଦୁଇ ମହଲାବିଶିଷ୍ଟ ଏହି ଏହି ସାନାଟୋରିୟମ୍‌ର ତଳ ମହଲାରେ ଇଂରେଜମାନେ ରହୁଥିଲେ ଏବଂ ଉପର ମହଲା ଭାରତୀୟଙ୍କ ଲାଗି ଉଦ୍ଦିଷ୍ଟ ଥିଲା। ବହିରାଗତମାନେ ଏଠାରେ ୨-୩ ମାସ ରହି ଦୁଗ୍ଧ କୁଣ୍ଡରେ ଥିବା ଦେହି କୂପର ପାଣି ନିୟମିତ ପିଉଥିଲେ ଓ ସୁସ୍ଥ ହୋଇ ଫେରୁଥିଲେ। ଏହା ବହୁ ବର୍ଷ ଧରି ଚାଲିଥିଲା। ଧୀରେ ଧୀରେ ଏହି ସାନାଟୋରିୟମ୍‌ ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍‌ ପ୍ରସିଦ୍ଧି ଲାଭକଲା। ସମୟକ୍ରମେ ସାନାଟୋରିୟମ୍‌ ବନ୍ଦ ହୋଇଗଲା। ଆଜିର ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନର ଯୁଗ‌ରେ କେଦାରଗୌରୀ ପାଣି ପିଇ କେହି ସୁସ୍ଥ ହେବାକୁ ଆସୁନାହାନ୍ତି। କିନ୍ତୁ ପୁରୁଣା ଭୁବନେଶ୍ବରର ସାନାଟୋରିୟମ୍‌ ଛକ ଏହାର ମୂକସାକ୍ଷୀ ହୋଇ ରହିଛି।’’

ଗଙ୍ଗାଜଳ ନଷ୍ଟ ହୁଏନି କାହିଁକି?

ଭାରତୀୟ ପରମ୍ପରାରେ ଗଙ୍ଗାଜଳର ମାହାତ୍ମ୍ୟ ଅନନ୍ୟ। ଗଙ୍ଗାଜଳ ସବୁ ଅଶୁଦ୍ଧକୁ ଶୁଦ୍ଧ କରୁଥିବା ବିଶ୍ବାସ ରହିଥିବା ବେଳେ ଅସ୍ଥି ବିସର୍ଜନଠାରୁ ଆରମ୍ଭ କରି ଘରର ପବିତ୍ରତା ପାଇଁ ଗଙ୍ଗାଜଳ ଲୋଡ଼ା ହୋଇଥାଏ। ଗଙ୍ଗାଜଳ ଯେତେ ପୁରୁଣା ହେଲେ ବି ଶଢ଼େ ନାହିଁ କିମ୍ବା ସେଥିରୁ ଦୁର୍ଗନ୍ଧ ବାହାରେ ନାହିଁ। ଏହା ପଛରେ ରହସ୍ୟ କ’ଣ? ଗଙ୍ଗାନଦୀର ଏହି ସ୍ବୟଂକ୍ରିୟ-ସ୍ବଚ୍ଛତା ଓ ସ୍ବତନ୍ତ୍ର ଉପଚାରାତ୍ମକ ଗୁଣ ଉପରେ ୧୦୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ବୈଜ୍ଞାନିକମାନେ ଗବେଷଣା କରି ଆସୁଛନ୍ତି। 

ବାସ୍ତବରେ ଗଙ୍ଗାନଦୀରେ ପ୍ରଚୁର ‘ବ୍ୟାକ୍ଟେରିଓଫେଜେସ୍‌ ଭୂତାଣୁ’ ଥିବାରୁ ଏହାର ପାଣି କେବେ ବି ନଷ୍ଟ ହୋଇନଥାଏ। ବିରାଡ଼ି ମୂଷାମାନଙ୍କୁ ଖାଇବା ଭଳି ଏହି ଭୂତାଣୁମାନେ ଜୀବାଣୁମାନଙ୍କୁ ଖାଇଥା’ନ୍ତି। ଏଥିସହ ଗଙ୍ଗାଜଳରେ ଥିବା ଏହି ଭୂତାଣୁ, ଜୀବାଣୁମାନଙ୍କୁ ପାଣିରେ ବଢ଼ିବାକୁ ଦିଅନ୍ତି ନାହିଁ। ଫଳରେ ପାଣି ପଚେ ନାହିଁ କି ଗନ୍ଧାଏ ନାହିଁ। ଗଙ୍ଗାଜଳ ଯେତେ ଅପରିଷ୍କାର ହେଲେ ବି ଏହା ସ୍ବୟଂକ୍ରିୟ ପ୍ରକ୍ରିୟାରେ ସ୍ବଚ୍ଛ ହୋଇଯାଏ। ୯୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଚିକିତ୍ସା ବିଜ୍ଞାନରେ ଆଣ୍ଟିବାୟୋଟିକ୍ସର ବିକଳ୍ପ ଭାବେ ବ୍ୟାକ୍ଟୋରିଓଫେଜ୍‌ ଭୂତାଣୁକୁ ସଂକ୍ରମିତ ରୋଗ ଉପଚାର ପାଇଁ ବ୍ୟବହାର କରାଯାଉଥିଲା। ତେବେ ଗଙ୍ଗାନଦୀରେ ବ୍ୟାକ୍ଟୋରିଓଫେଜ୍‌ ଭୂତାଣୁ ଉପସ୍ଥିତିର କାରଣ ଜାଣିବାକୁ ନ୍ୟାସ୍‌ନାଲ୍‌ ଏନ୍‌ଭାଇ‌େରାମେଣ୍ଟାଲ୍‌ ଇଂଜିନିୟରିଂ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏନ୍‌ଇଇଆର୍‌ଆଇ)ର ବୈଜ୍ଞାନିକମାନେ ଗବେଷଣା ଆରମ୍ଭ କରିଛନ୍ତି। ଏନ୍‌ଇଇଆର୍‌ଆଇର ବରିଷ୍ଠ ବୈଜ୍ଞାନିକ କ୍ରିଷ୍ଣା ଖୈର୍‌ନ‌ାର୍‌ କହିଛନ୍ତି, ଗଙ୍ଗାନଦୀରେ ଏହି ଭୂତାଣୁର ଅତ୍ୟଧିକ ଉପସ୍ଥିତିର କାରଣ ଏବେ ବି ସମସ୍ତଙ୍କୁ ଅଜଣା। ଏହି ନଦୀ ବିଭିନ୍ନ ଭୌଗୋଳିକ ଅଞ୍ଚଳ ଦେଇ ପ୍ରବାହିତ। ଏଣୁ ଉତ୍ତର କାଶୀରୁ ବନାରସ ଓ ପାଟଣା ପର୍ଯ୍ୟନ୍ତ ଅଞ୍ଚଳରେ କ’ଣ ସବୁ ସମାନତା ରହିଛି ତାହା ଉପରେ ଗବେଷଣା ଜାରି ରହିଛି। କରୋନା ପୂର୍ବରୁ ଏନ୍‌ଇଇଆର୍‌ଆଇର ବୈଜ୍ଞାନିକମାନେ ଗଙ୍ଗାନଦୀର ୩୮ଟି ସ୍ଥାନରୁ ଜଳନମୁନା ସଂଗ୍ରହ କରି ଯମୁନା ଓ ନର୍ମଦା ନଦୀର ଜଳ ସହ ତୁଳନା କରିଥିଲେ। ଦେଖାଯାଇଥିଲା ଯେ ଯମୁନା ଓ ନର୍ମଦା ନଦୀ ତୁଳନାରେ ଗଙ୍ଗାଜଳରେ ସଂକ୍ରାମକ ଜୀବାଣୁ ନଷ୍ଟକାରୀ ତତ୍ତ୍ବ ଅଧିକ ରହିଛି। ତେବେ ଔଦ୍ୟୋଗିକ ପ୍ରଦୂଷଣଠାରୁ ଆରମ୍ଭ କରି ମନୁଷ୍ୟକୃତ ପ୍ରଦୂଷଣ କାରଣରୁ ଗଙ୍ଗାନଦୀର ଜଳ ନଷ୍ଟ ହେବାରେ ଲାଗିଛି। ଏବେଠାରୁ ଏହାର ନିରାକରଣ କରା ନଗଲେ ଗଙ୍ଗାଜଳ ତା’ର ବୈଶିଷ୍ଟ୍ୟ ହରାଇବା ଆଶଙ୍କା ସୃଷ୍ଟିହେବ।