ଇତି ଊଣେଇଶ : ଗୁଣି ଗାରେଡ଼ି ସନ୍ଦେହକୁ ନେଇ ରାଜ୍ୟରେ ହତ୍ୟା କାଣ୍ଡ

ଚଳିତ ବର୍ଷ ଗୁଣି ଗାରେଡ଼ି ସନ୍ଦେହକୁ ନେଇ ରାଜ୍ୟରେ ହତ୍ୟା କାଣ୍ଡ ଘଟିଛି। କାହାକୁ କିଏ ଗୁଣିଆ ସନ୍ଦେହରେ ହତ୍ୟା କଲାଣି ତ ଆଉ କିଏ ତାନ୍ତ୍ରିକ ଭାବି ମୁଣ୍ଡ କାଟିଲାଣି। ଚଳିତ ବର୍ଷ ଏଭଳି ୪୨ଟି ହତ୍ୟାକାଣ୍ଡ ଘଟିଛି। ସୁନ୍ଦରଗଡ଼ ଓ କେଉଁଝର ଜିଲ୍ଲାରେ ଏଭଳି ଘଟଣା ବଢ଼ି ବଢ଼ି ଚାଲିଛି । ହିସାବ କହୁଛି, ଗତ ୪ ବର୍ଷ ମଧ୍ୟରେ ରାଜ୍ୟରେ ୧୬୯ ଜଣଙ୍କୁ ହତ୍ୟା କରାଯାଇ ସାରିଲାଣି। ଏଭଳି ଏକ ଭିନ୍ନ ଧରଣର ଅପରାଧ ଏବେ ରାଜ୍ୟରେ ବଢ଼ିବାରେ ଲାଗିଛି। ଶିକ୍ଷା କ୍ଷେତ୍ରରେ ଆମେ ଯେତେ ଅଗ୍ରଗତି କଲେ ମଧ୍ୟ ରାଜ୍ୟରେ ବୃଦ୍ଧି ପାଉଥିବା ଏଭଳି ଘଟଣା ସୂଚାଇ ଦେଉଛି, ଆମେ କେତେ ଶିକ୍ଷିତ? ବଡ଼ କଥା ହେଉଛି ଏଭଳି ଅପରାଧ କମିବା ଅପେକ୍ଷା ଏବେ ବଢ଼ି ବଢ଼ି ଚାଲିଛି । ଯାହାକି ରାଜ୍ୟ ସରକାର, ସ୍ଥ୍ଥାନୀୟ ପ୍ରଶାସନ ଓ ପୁଲିସ ପାଇଁ ଏବେ ଚ୍ୟାଲେଞ୍ଜ୍ ହୋଇ ପଡ଼ିଛି।

ତେବେ ଯେତେ ସତେଚନ କଲେ ମଧ୍ୟ ଏଭଳି ହତ୍ୟାକାଣ୍ଡ ଦିନକୁ ଦିନ ବଢ଼ିବା ପରେ ଲାଗିଛି। ଫଳରେ ଗୁଣି ଗାରେଡି ନିରୋଧ ଆଇନ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଲାଣି। ରାଜ୍ୟର ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ, ନବରଂଙ୍ଗପୁର, ମାଲାକାନାଗିରି, ନୂଆପଡ଼ା, ଗଞ୍ଜାମ, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟି ଚାଲିଛି । ସୁନ୍ଦରଗଡ଼ ଓ କେଉଁଝର ଜିଲ୍ଲା ସବୁଠାରେ ଆଗରେ ଅଛି।

କ୍ରାଇମବ୍ରାଂଚଠାରୁ ଯାହା ସୂଚନା ମିଳିଛି, ରାଜ୍ୟରେ ୨୦୧୬ ମସିହାରେ ଗୁଣି ଗାରେଡି ଓ ଡାଆଣୀ ସନ୍ଦେହରେ ୫୮ ଜଣଙ୍କୁ ହତ୍ୟା କରାଯାଇଥିବାବେଳେ ୨୦୧୭ ମସିହାରେ ଗୁରି ଗାରେଡି ସନ୍ଦେହରେ ୩୬ ଜଣଙ୍କୁ , ୨୦୧୮ରେ ୩୯ ଓ ୨୦୧୯ରେ ଚଳିତ ମାସ ସୁଦ୍ଧା ୪୨ ଜଣଙ୍କୁ ହତ୍ୟା କରାଯାଇ ସାରିଲାଣି।

ରାଜ୍ୟରେ ଏଭଳି ଅନ୍ଧ ବିଶ୍ୱାସ ଜନିତ ହତ୍ୟାକାଣ୍ଡ ବଢ଼ି ଚାଲିବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। କୃଷକ ଆତ୍ମହତ୍ୟା, ନକ୍ସଲ ହତ୍ୟାଠାରୁ ବଳି ଗଲାଣି ଏହି ଗୁଣି ଗାରେଡି ସନ୍ଦେହଜନକ ହତ୍ୟା। ପ୍ରତ୍ୟେକ ବର୍ଷ ରାଜ୍ୟରେ ପାଖାପାଖି ୫୦ଟି ଏଭଳି ହତ୍ୟାକାଣ୍ଡ ଘଟୁଛି। ରାଜ୍ୟ ସରକାର ୨୦୧୩ ମସିହାରେ ଗୁଣି ଗାରେଡି ନିରୋଧ ବିଲ ଆଣିଥିଲେ। କିନ୍ତୁ ଏଯାଏ ତାର ପାଳନ ହେଉନାହିଁ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡିକରେ ରାଜ୍ୟ ସରକାର ଯେଉଁ ଭଳି ଢ଼ଙ୍ଗରେ ସଚେତନ କରାଇବା କଥା ତାହା ମଧ୍ୟ କରୁନାହାନ୍ତି। ବିଶେଷକରି ବିଧବା, ଅସହାୟ, ନିରାଶ୍ରୟ ମହିଳାମାନଙ୍କ ଜମି ହଡ଼ପ ପାଇଁ ସେମାନଙ୍କୁ ତାନ୍ତ୍ରିକ, ଗୁଣିଆ ଓ ଡାଆଣୀ ଚିତ୍ରଣ କରାଯାଇ ଏଭଳି ଆକ୍ରମଣ କରାଯାଉଛି। ଏବେ ବି ମନରୁ ଯାଉନି ଅନ୍ଧବିଶ୍ୱାସ। ଅନ୍ଧାର ରୂପକ ଅନ୍ଧ ଗଳିରୁ ମକୁଳି ପାରୁନାହିଁ ଏ ସମାଜ।

ସମ୍ବନ୍ଧିତ ଖବର