ନୂଆଦିଲ୍ଲୀ: ଗୁଜୁରାଟର ଏକ ଛୋଟ ଗାଁ ସୋଜିତ୍ରାରେ ବସବାସ କରୁଥିବା ୬୮ ବର୍ଷୀୟ ମଗନ ଭୋଇ ଠାକୋର ପିଲାଦିନରୁ ଦୃଷ୍ଟିଶକ୍ତି ହରାଇ ଦେଇଥିଲେ। ଏହା ସତ୍ତ୍ବେ ବି ସେ ଜୀବନରେ କେବେ ହାର ମାନି ନାହାନ୍ତି। ଗତ ୩୦ ବର୍ଷ ଧରି ତାଙ୍କ ଗାଁଠାରୁ ୧୪ କିଲୋମିଟର ଦୂରରେ ଥିବା ପାଟନ ସହରକୁ ଯାଇ ସେ କାଠରେ ପ୍ଲାଷ୍ଟିକ ରଶି ଛନ୍ଦି ଚୌକି ତିଆରି କରୁଛନ୍ତି।

Advertisment

ମଗନ୍ ଭୋଇଙ୍କୁ ପିଲାଦିନରୁ କମ୍ ଦେଖାଯାଉଥିଲା। ତାଙ୍କ ପରିବାର ଅତ୍ୟନ୍ତ ଗରିବ ଥିବାରୁ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା। ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ସେ ପଡୋଶୀ ବନ୍ଧୁଙ୍କ ସାହାଯ୍ୟରେ ବିଦ୍ୟାଳୟକୁ ଯାଉଥିଲେ । ସମୟକ୍ରମେ ତାଙ୍କ ଦୃଷ୍ଟି ଶକ୍ତି ସମ୍ପୂର୍ଣ୍ଣ ରୂପେ ଚାଲି ଯାଇଥିଲା। ଏହାପରେ ତାଙ୍କୁ ପାଲନପୁରରେ ଥିବା ଏକ ଅନ୍ଧଶାଳାକୁ ପରିବାରଲୋକ ପଠାଇ ଦେଇଥିଲେ।

ଏହି ବିଦ୍ୟାଳୟରେ ତାଙ୍କ ପରି ଅନେକ ଗରିବ ପିଲାଙ୍କୁ ପୁସ୍ତକ ଶିକ୍ଷା ସହିତ ବ୍ୟବହାରିକ ଜ୍ଞାନ ଦିଆଯାଇଥାଏ। ସେଠାରେ ସେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିଲେ। ତା’ପରେ ୧୯୮୬ ମସିହାରେ ସେ ଅହମ୍ମଦାବାଦରୁ ଆଇଟିଆଇର ପାଠ ମଧ୍ୟ ପଢ଼ିଥିଲେ। ମଗନ ଚାହୁଁଥିଲେ ସେ କାହା ଉପରେ ବୋଝ ନହୁଅନ୍ତୁ। ନିଜର କାମ ସବୁ ନିଜେ କରି ପାରନ୍ତୁ।

publive-image

ମଗନ ଜାଣିଥିଲେ ତାଙ୍କର ଏଭଳି ଅବସ୍ଥା ପାଇଁ ତାଙ୍କୁ କୌଣସି ସ୍ଥାନରେ ଚାକିରି ଖଣ୍ଡେ ମିଳିବ ନାହିଁ। ସେଥିପାଇଁ ସେ ଜେନେରାଲ ମେକାନିକ କାମ ଶିଖିବା ଆରମ୍ଭ କରିଥିଲେ। ଏଥିସହିତ ସେ ବୁଲିବୁଲି ମୋଟର ଏବଂ ପାଇପ୍ ମରାମତି କାମ କରୁଥିଲେ। କିନ୍ତୁ ଏଥିରୁ ତାଙ୍କୁ ବିଶେଷ କିଛି ଲାଭ ମିଳି ନଥିଲା। ଏହାପରେ ସେ ପଲାନପୁରର ବିଦ୍ୟାଳୟରେ ଶିଖିଥିବା କାମ ଆରମ୍ଭ କରିଥିଲେ।

୧୯୯୦ମସିହାରେ  ସେ ଏକ ବ୍ୟାଙ୍କରୁ ୮୦୦୦ ଟଙ୍କା ଋଣ ନେଇଥିଲେ ଏବଂ ତାଙ୍କ ଗାଁଠାରୁ ୧୪ କିଲୋମିଟର ଦୂରରେ ଥିବା ପାଟନ ସହରରେ ଏକ ଛୋଟ ଦୋକାନ ଖୋଲିଥିଲେ । ଏଠାରେ ସେ ପୁରୁଣା ଭଙ୍ଗା ଚୌକି  ବୁଣିବା ଆରମ୍ଭ କରିଥିଲେ। ଧୀରେ ଧୀରେ ଲୋକମାନେ ତାଙ୍କ କାର୍ଯ୍ୟକୁ ପସନ୍ଦ କରିବାକୁ ଲାଗିଲେ ଏବଂ ତାଙ୍କ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିଥିଲା। ସେ ତାଙ୍କ ବୁଦ୍ଧି ବଳରେ ୧୦୦ ପ୍ରକାର ଡିଜାଇନ ବୁଣି ପାରନ୍ତି। ଲୋକମା‌ନେ ତାଙ୍କ ଠିକଣା ପଚାରି ଦୋକାନରେ ଆସି ପହଞ୍ଚି ଥାଆନ୍ତି।