ନୂଆଦିଲ୍ଲୀ: ବିହାରର ମୁଜଫରପୁର ଜିଲ୍ଲାରେ ବାସବାସ କରୁଥିବା  ଦିବ୍ୟାଙ୍ଗ ରୋହିତ ବିପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଘରେ ଖୁସିର ବାତାବରଣ ଦେଖା ଦେଇଛି।

Advertisment

ବିପିଏସସି ଶିକ୍ଷକ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ଶିକ୍ଷା ଭବନରେ ନିଯୁକ୍ତ ପତ୍ର ପ୍ରଦାନ କରାଯାଇଛି। ଏହି କ୍ରମରେ ଦିବ୍ୟାଙ୍ଗ  ରୋହିତ ବାପାଙ୍କ ସହିତ ନିଯୁକ୍ତି ପତ୍ର ନେବା ପାଇଁ ପହଞ୍ଚିଥିଲେ।  ପୁଅର ଏହି ସଫଳତାର ଚମକ ବାପାଙ୍କ ଆଖିରେ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଥିଲା। ପୁଅ ଦୃଷ୍ଟିହୀନ ହୋଇଯିବା ଦିନରୁ ଚିନ୍ତାରେ ପଡ଼ିଯାଇଥିବା ବାପାଙ୍କ ମୁଖରେ ଦୀର୍ଘ ବର୍ଷ ପରେ ହସ ଫେରି ଆସିଥିଲା।

ଏହି ସଫଳତାକୁ ନେଇ ରୋହିତ କହିଛନ୍ତି, ‘ମୁଁ ଜଣେ ଦିବ୍ୟାଙ୍ଗ । ଏକଥା ମୋ ବାପା ଓ ମା’ କେବେ ଅନୁଭବ କରାଇ ଦେଇ ନାହାନ୍ତି। ମୁଁ ଯାହା କରିବାକୁ ଚାହିଁଥିଲି ପଢ଼ିବାକୁ ଚାହିଁଥିଲି ସବୁ ସ୍ବପ୍ନ ସେ ମୋର ପୂରା କରିଛନ୍ତି। ଭଗବାନ, ଶିକ୍ଷକ ଓ ବାପା ଓ ମା’ଙ୍କ ଆର୍ଶୀବାଦ ହେତୁ ଆଜି ମୁଁ ଏହି ସଫଳତା ପାଇଛି। ଆଗକୁ ଆହୁରି ପରିଶ୍ରମ କରିବି। ଜଣେ ବଡ଼ ଅଧିକାରୀ ହେବି।

ମୋର ପିଲାମାନଙ୍କୁ ଅନୁରୋଧ ସ୍ବପ୍ନ ଦେଖିବା ଛାଡ଼ନ୍ତୁ ନାହିଁ। ସ୍ବପ୍ନ ଦେଖନ୍ତୁ ଆଉ ତାକୁ ପୂରା କରିବା ପାଇଁ ପରିଶ୍ରମ କରନ୍ତୁ ନିଶ୍ଚୟ ସଫଳତା ପାଇବେ। ଏହା ମୋର ଆଶା।’