ହାବିଲଦାରଙ୍କ ମାନବିକତା : ରୋଗୀଙ୍କୁ ରକ୍ତ ଦେଇ ସଂପର୍କ ଯୋଡିଲେ

ସମସ୍ତଙ୍କର ରକ୍ତ ସଂପର୍କୀୟ ଥାନ୍ତି, ହେଲେ ରକ୍ତ ଦେଇ ସଂପର୍କ ଯୋଡିବା ଲୋକଙ୍କ ସଂଖ୍ୟା ଖୁବ୍‌ କମ୍‌। ରକ୍ତ ଦେଇ ସଂପର୍କ ଯୋଡ଼ିବାକୁ ହୁଏତ, ଅନେକ ଚେଷ୍ଟା ବି କରନ୍ତି। ହେଲେ ବେଳେବେଳେ କର୍ତ୍ତବ୍ୟ କିମ୍ବା ଦାୟିତ୍ୱ ବାଟ ଓଗାଳେ। ଆଉ ଏହି ସବୁ ବାଧାକୁ ଅତିକ୍ରମ ରୋଗୀଙ୍କ ପାଖରେ ରକ୍ତଦାନ ପାଇଁ ପହଂଚିଥିଲେ ଜଣେ ହାବିଲଦାର।

କର୍ତ୍ତବ୍ୟକୁ ସେବା ମନୋବୃତି ନେଇ କାମ କରୁଥିବା ଏବଂ ସେବାକୁ କର୍ତ୍ତବ୍ୟ ଭାବେ ଗ୍ରହଣ କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ରାଜୀବ କୁମାର ସେନାପତି । ପେଶାରେ ପୁଲିସ ହାବିଲଦାର । ଖରାବର୍ଷାକୁ ଖାତିର ନକରି ନିଜ ଦାୟିତ୍ୱ ତୁଲାଉଥିବା ରାଜୀବ, ମାନବିକତାର ଡାକ ଶୁଣିଲେ ଧାଇଁ ଯାଆନ୍ତି ରୋଗୀ ପାଖକୁ ରକ୍ତଦାନ କରିବା ପାଇଁ। କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ଅଚାନକ୍‌ ଫୋନ୍‌ ଆସିଲା, କ୍ୟାପିଟାଲ ହସ୍ପିଟାଲରେ ଜଣେ ଥାଲେସେମିଆ ରୋଗୀଙ୍କୁ ରକ୍ତ ଦରକାର। ଓ’ ନେଗେଟିଭ୍‌ ବ୍ଲଡ୍‌ । ଆଉ କିଛି ଚିନ୍ତା ନକରି ଡିସିପିଙ୍କ ଅନୁମତି ନେଇ ଛୁଟିଲେ ହସ୍ପିଟାଲ ରାଜୀବ।

ବୁନ୍ଦାଏ ରକ୍ତ ପାଇଁ କିଏ, କେଉଁଠି ଆପଣଙ୍କୁ ଅପେକ୍ଷା କରି ରହିଥାଏ, ଏମିତି ଅନେକ ସ୍ଲୋଗାନ୍‌ ଦିଆ ଯାଏ, ହେଲେ ଏମିତି ସ୍ଲୋଗାନକୁ କାର୍ଯ୍ୟରେ ଲଗାନ୍ତି ରାଜୀବଙ୍କ ଭଳି କିଛି ଉଦାର ମଣିଷ। ରାଜବୀ ପୂର୍ବରୁ ଅନେକ ଥର ଏମିତି ରକ୍ତଦାନ ମଧ୍ୟ କରିଛନ୍ତି । ଖାକି ପୋଷାକଧାରୀଙ୍କୁ ନେଇ ଅନେକ କଥା ଶୁଣିବାକୁ ମିଳେ, ହେଲେ ଏସବୁ ଭିତରେ ଏମିତି କିଛି ବର୍ଦ୍ଦିଧାରୀ ଅଛନ୍ତି, ଯାହାଙ୍କ ମାନବିକତା ଦେଖିଲେ, ଆପଣାଛାଏଁ ପୁଲିସ ବାବୁଙ୍କ ପ୍ରତିଥିବା ଆମ ଧାରଣା ବଦଳି ଯାଏ।

ସମ୍ବନ୍ଧିତ ଖବର