କଟକ : କରୋନା ଟିକାକରଣ ଅଭିଯାନ ଦ୍ବାରା ପ୍ରଭାବିତ ହେବ ସ୍ବେଚ୍ଛାକୃତ ରକ୍ତଦାନ ଅଭିଯାନ। ଏବେ ଏହିଭଳି ଆଶଙ୍କା ସୃଷ୍ଟି ହୋଇଛି। ଯଦି ଆବଶ୍ୟକ ସଚେତନତା ସୃଷ୍ଟି କରା ନଯାଏ ଅଥବା ଯୋଜନାବଦ୍ଧ ପଦକ୍ଷେପ ନିଆ ନଯାଏ, ଆଗକୁ କିଛି ମାସ ଯାଏ ହୁଏତ ଗୁରୁତର ରକ୍ତ ଅଭାବଜନିତ ସମସ୍ୟା ସୃଷ୍ଟି ହେବା ଆଶଙ୍କା କରାଯାଇଛି। କରୋନା ଟିକାକରଣର ନିୟମାବଳୀ ଅନୁଯାୟୀ ପ୍ରଥମ ଡୋଜ୍ ଟିକା ନେବା ପରେ ଜଣେ ବ୍ୟକ୍ତି ଅନ୍ତତଃପକ୍ଷେ ତିନି ମାସ ଯାଏ ରକ୍ତ ଦେଇ ପାରିବେ ନାହିଁ। ମେ ୧ ତାରିଖରୁ ୧୮ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ କରୋନା ଟିକାଦାନ ଅଭିଯାନ ଆରମ୍ଭ ହେଉଥିବାବେଳେ ମୁଖ୍ୟତଃ ସେହି ବୟସର ବ୍ୟକ୍ତି ଅର୍ଥାତ ଯୁବବର୍ଗ ଅଧିକ ସଂଖ୍ୟାରେ ରକ୍ତଦାନ କରୁଥିବାରୁ ପରବର୍ତ୍ତୀ କିଛିମାସ ଯାଏ ରକ୍ତଦାନ ପ୍ରକ୍ରିୟାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଏ ସମ୍ପର୍କରେ କଟକ ବଡ ମେଡିକାଲ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗ ମୁଖ୍ୟ ତଥା ଏସ୍ସିବି ରକ୍ତଭଣ୍ଡାର ଅଧିକାରୀ ପ୍ରଫେସର ଡାକ୍ତର ପଙ୍କଜ ପରିଡା କହିଛନ୍ତି, କରୋନା ଦ୍ବିତୀୟ ଡୋଜ ଟିକା ନେବାର ୨୮ ଦିନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ରକ୍ତଦାନ କରିପାରିବେ ନାହିଁ। ଅର୍ଥାତ ପ୍ରଥମ ଡୋଜ୍ ନେବାର ପାଖାପାଖି ୩ ମାସ ପର୍ଯ୍ୟନ୍ତ ଜଣେ ଟିକା ନେଇଥିବା ବ୍ୟକ୍ତି ରକ୍ତଦାନ କରିପାରିେବନି। ବର୍ତ୍ତମାନ ଯଦିଓ ରକ୍ତର ଅଭାବ ନାହିଁ, ତଥାପି ଏଭଳି ଏକ ସାର୍ବଜନୀନ ଟିକାକରଣ ଅଭିଯାନ ଆରମ୍ଭ ହୋଇଗଲେ, ପରବର୍ତ୍ତୀ ସମୟରେ ହୁଏତ ରକ୍ତ ଅଭାବ ଜନିତ ସମସ୍ୟା ସୃଷ୍ଟି ହୋଇପାରେ। ଏଭଳି ସମୟରେ ରକ୍ତଦାନ ଅଭିଯାନକୁ କେମିତି ବ୍ୟବସ୍ଥିତ କରାଯିବ, ତାହା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ବାନ ବୋଲି କହିଛନ୍ତି ଡାକ୍ତର ପରିଡା।
ବର୍ତ୍ତମାନର ସରକାରୀ ନିୟମାବଳୀ ଅନୁଯାୟୀ କୋଭାକ୍ସିନ ଟିକା ନେଉଥିବା ବ୍ୟକ୍ତି ପ୍ରଥମ ଓ ଦ୍ବିତୀୟ ଡୋଜ୍ ମଧ୍ୟରେ ଅତିକମ୍ରେ ୪ ସପ୍ତାହ ବ୍ୟବଧାନ ରଖିବା ଜରୁରୀ। ସେହିଭଳି କେଭିସିଲ୍ଡ ଟିକା ନେଉଥିବା ବ୍ୟକ୍ତି ଦୁଇଟି ଡୋଜ୍ ମଧ୍ୟରେ ୬ରୁ ୮ ସପ୍ତାହ ବ୍ୟବଧାନ ରଖିବା ଜରୁରୀ। ଫଳରେ ଦ୍ବିତୀୟ ଡୋଜ୍ ଟିକା ନେବାର ୨୮ଦିନ ପରେ ଯଦି ଜଣେ ରକ୍ତଦାନ କରିବାକୁ ଯୋଗ୍ୟ ହୁଏ ତେବେ ପ୍ରଥମ ଡୋଜ୍ ଟିକା ନେବାର ଦୁଇରୁ ୩ ମାସ ଯାଏ ସଂପୃକ୍ତ ବ୍ୟକ୍ତି ରକ୍ତ ଦେଇପାରିବେ ନାହିଁ।
କରୋନା ମହାମାରୀ ସାଙ୍ଗକୁ ଖରା ଦିନେ ରକ୍ତର ବିଶେଷ ଅଭାବ ସୃଷ୍ଟି ହେଉଥିବା ବେଳେ ଏବେ କରୋନା ଟିକାକରଣ ନୂଆ ସମସ୍ୟା ଭାବେ ଉଭା ହୋଇଛି। ଏଭଳି ସ୍ଥିତିରେ ରାଜ୍ୟରେ ରକ୍ତ ସଂକଟ ଦୂର କରିବା ପାଇଁ ଟିକା ନେବା ପୂର୍ବରୁ ହୁଏତ ଯଦି ଯୁବବର୍ଗ ସ୍ବେଚ୍ଛାକୃତ ଭାବେ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଅନେକ ଡାକ୍ତର ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/blood-1.jpg)