ଚବିଶ ଲକ୍ଷ ଶିଶୁଙ୍କୁ ବଞ୍ଚାଇଥିବା ରକ୍ତଦାତା

କଥାରେ କହନ୍ତି, ରକ୍ତଦାତା ଜୀବନଦାତା। ତେବେ ଅଷ୍ଟ୍ରେଲିଆର ଜେମ୍‌ସ ହାରିସନ୍‌ ହେଉଛନ୍ତି ଜଣେ ବିରଳ ରକ୍ତଦାତା। ଦୀର୍ଘ ଛଅ ଦଶନ୍ଧି ଧରି ରେକର୍ଡ ସଂଖ୍ୟକ ମୋଟ ୧,୧୭୨ ଥର ରକ୍ତଦାନ କରିବାର କେବଳ ବିରଳ ଗୌରବ ସେ ହାସଲ କରିନାହାନ୍ତି, ତାଙ୍କର ଏହି ମହତ୍‌ ଦାନ ୨୪ ଲକ୍ଷ ଶିଶୁଙ୍କର ଜୀବନ ବଞ୍ଚାଇ ଦେଇଥିବା ଏକ ଆକଳନରୁ ଜଣାଯାଇଛି। ଏପରି ଅଭୂତପୂର୍ବ ଅବଦାନ ପାଇଁ ତାଙ୍କୁ ‘ସୁବର୍ଣ୍ଣ ବାହୁର ମଣିଷ’ ଆଖ୍ୟା ମିଳିଥିବା ଜଣାଯାଇଛି।

ସୂଚନାନୁଯାୟୀ, ହାରିସନ୍‌ଙ୍କୁ ଯେତେବେଳେ ୧୪ ବର୍ଷ ହୋଇଥିଲା, ତାଙ୍କର ଗୋଟିଏ ନଷ୍ଟ ହୋଇଯାଇଥିବା ଫୁସ୍‌ଫୁସ୍‌କୁ ଅସ୍ତ୍ରୋପଚାର କରାଯାଇ କଢ଼ାଯାଇଥିଲା। ତେବେ ସେଥିପାଇଁ ଦୀର୍ଘ ତିନି ମାସ କାଳ ସେ ଡାକ୍ତରଖାନାରେ ଶଯ୍ୟାଶାୟୀ ହେବା ସହ ତାଙ୍କଠାରେ ୧୩ ବୋତଲ ରକ୍ତ ଲଗାଯାଇଥିଲା। ଏଥିରେ ଉତ୍ସାହିତ ହୋଇ ଜୀବନରେ ଅନ୍ୟକୁ ଏପରି ରକ୍ତଦାନ କରିବେ ବୋଲି ସେ ପଣ କରିଥିଲେ। ତେଣୁ ସେ ସାବାଳକ ହେଲା ପରଠାରୁ ସ୍ବେଚ୍ଛାକୃତ ରକ୍ତଦାନ ଆରମ୍ଭ କରିଥିଲେ।

ମାତ୍ର ତାଙ୍କ ରକ୍ତର ପ୍ଲାଜ୍‌ମା ଯେ ବିରଳ ଥିଲା ତାହା ତାଙ୍କୁ ଜଣାନଥିଲା। ସୂଚନାଯୋଗ୍ୟ, ରକ୍ତରେ ଆର୍‌ଏଚ୍‌ ନେଗେଟିଭ୍‌ ଥିବା ଜଣେ ଗର୍ଭବତୀଙ୍କ ଗର୍ଭରେ ଥିବା ଶିଶୁର ରକ୍ତ ଯଦି ଆର୍‌ଏଚ୍‌ ପଜିଟିଭ୍‌ ହୁଏ, ତେବେ ସଂପୃକ୍ତ ମହିଳାଙ୍କ ଶରୀରରେ ଏପରି ରୋଗପ୍ରତିରୋଧକ ପ୍ରତିକ୍ରିୟା ଦେଖାଦେବ ଯାହା ଗର୍ଭସ୍ଥ ଶିଶୁର ରକ୍ତକୋଷ ଗୁଡ଼ିକୁ ନଷ୍ଟ କରିଦେବ। ତେଣୁ ସେଭଳି ନବଜାତମାନେ ଅଚିରେ ମୃତ୍ୟୁମୁଖରେ ପଡିଥା’ନ୍ତି। ତେବେ ଷାଠିଏ ଦଶକରେ ଗବେଷକମାନେ ଆଣ୍ଟି-ଡି ନେଗେଟିଭ୍‌ ନାମକ ଏକପ୍ରକାର ଆଣ୍ଟିବଡି ଆବିଷ୍କାର କରିଥିଲେ ଯଦ୍ଦ୍ବାରା ସେଭଳି ଶିଶୁମାନଙ୍କର ଚିକିତ୍ସା କରାଯାଇପାରିବ। ସଂଯୋଗବଶତଃ ହାରିସନ୍‌ଙ୍କ ରକ୍ତରେ ସେଭଳି ଆଣ୍ଟି-ଡି ନେଗେଟିଭ୍‌ ରହିଥିଲା। ସବୁ ଜାଣିଲା ପରେ ହାରିସନ୍‌ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରିଥିଲେ ଏବଂ ମୃତ୍ୟୁମୁଖୀ ଶିଶୁମାନଙ୍କୁ ବଞ୍ଚାଇବା ଲାଗି ରକ୍ତଦାନ ଜାରି ରଖିଲେ। ବାସ୍‌ ତା’ପରେ ଯାହା ଘଟିଲା, କେବଳ ରେକର୍ଡ ହିଁ ରେକର୍ଡ।

ସମ୍ବନ୍ଧିତ ଖବର