ବିନା ରକ୍ତ ପରୀକ୍ଷାରେ ଜାଣିହେବ ରକ୍ତ ସର୍କରା ସ୍ଥିତି

ରାଜ୍ୟରେ ଏକାଧିକ ଅଭିନବ ସ୍ବାସ୍ଥ୍ୟ ଷ୍ଟାର୍ଟଅପ୍
କୋଭିଡ୍‌ ପରିଚାଳନା ପାଇଁ ‘ସ୍ବସ୍ଥ’ ଆପ୍‌

ଭୁବନେଶ୍ବର : ଏଣିକି ବିନା ରକ୍ତ ନମୁନା ପରୀକ୍ଷାରେ ଜାଣିହେବ ରକ୍ତ ଶୂନତା ଓ ରକ୍ତ ସର୍କରା ସ୍ଥିତି। କେବଳ ସେତିକି ନୁହେଁ, ଫୁସଫୁସ୍‌ ଓ ବୃକକ୍‌ରେ ଥିବା ସମସ୍ୟା ମଧ୍ୟ ଜଣାପଡ଼ିବ। ତାହା ପୁଣି ୧ମିନିଟ୍‌ରୁ କମ୍ ସମୟ ଭିତରେ। ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆରମ୍ଭ ହୋଇଥିବା ନୂତନ ଷ୍ଟାର୍ଟଅପ୍‌ ଏହି ଅଭିନବ ଜ୍ଞାନକୌଶଳର ବିକାଶ କରିଛନ୍ତି। ଇଜି-ଆରଏକ୍ସ ନାମକ ଯନ୍ତ୍ରପାତି ଶିଳ୍ପସଂସ୍ଥା ଏହାକୁ ବଜାରରେ ଉପଲବ୍ଧ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଯାହାକି ବେଶ୍ ଶସ୍ତା ଓ ସହଜରେ ଉପଲବ୍ଧ ହୋଇପାରିବ ବୋଲି ଆଶା କରାଯାଉଛି। ଏହାଦ୍ବାରା କୋଭିଡ୍‌ ମହାମାରୀ ସମୟରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗର ଅସ୍ବାଭାବିକତା ଓ କାମ କରିବା ଭଳି ସ୍ଥିତିରେ ତ୍ବରିତ ଆକଳନ କରିହେବ।

ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଏହିଭଳି ଅନେକ ଷ୍ଟାର୍ଟଅପ୍ ନିଜ ନିଜର ସ୍ବତନ୍ତ୍ର ଉତ୍ପାଦ ବିକଶିତ କରିଛନ୍ତି। ଏସବୁ ଉତ୍ପାଦ ଏବେ ସମସ୍ତଙ୍କ ନଜରରେ ରହିଛି। ମାକ୍‌ଫି ସଲ୍ୟୁସନ୍ ପ୍ରା.ଲିଃ ସଂସ୍ଥା କ‌ରୋନା ଟିକାକୁ ସହଜ ଓ ନିରାପଦରେ ପରିବହନ କରିବା ପାଇଁ ବିଯୁକ୍ତ ତାପମାତ୍ରାରେ ପରିବହନ ଓ ‌ସଂରକ୍ଷଣ ପାଇଁ ବାୟୋସିୟୋର ନାମକ ଏକ ଉପକରଣ ନିର୍ମାଣ କରିଛି। ଏହା ସାହାଯ୍ୟରେ ଘରକୁ ଘର ବୁଲି ଟିକାଦାନ ପ୍ରକ୍ରିୟାକୁ ସହଜରେ ପରିଚାଳନା କରାଯାଇ ପାରିବ। ବିଶେଷକରି ଅଗମ୍ୟ ଓ ଦୂରଦୂରାନ୍ତ ଅଞ୍ଚଳରେ ଏହା ସହାୟକ ହୋଇପାରିବ। ଆଇସିଏମ୍‌ଆରକୁ ଏହାର ମୂଲ୍ୟାଙ୍କନ କରିବା ଲାଗି ସଂସ୍ଥା ପକ୍ଷରୁ ଆବେଦନ କରାଯାଇଛି। ମେଡ-ଟେଲ୍‌ ହେଲଥ୍‌କେୟାର ନାମକ ସଂସ୍ଥା ଦୂରରେ ଥିବା ରୋଗୀଙ୍କୁ ଡାକ୍ତରୀ ପରାମର୍ଶ ଉପଲବ୍ଧ କରିବାରେ ସାହାଯ୍ୟ କରିପାରୁଛି। ଅତି ଜରୁରୀ ସମୟରେ ଡାକ୍ତରଙ୍କ ପାଖକୁ ବ୍ୟକ୍ତିଗତ ଭାବେ ରୋଗୀ ନ ଯାଇ ଡାକ୍ତରୀ ସେବା ପାଇବାରେ ଏହି ପଦ୍ଧତି ସଫଳତାର ସହ କାର୍ଯ୍ୟ କରିପାରୁଛି। ଦେଶ ବାହାରର ଅନେକ ସଂସ୍ଥା ଏହାର ଉତ୍ପାଦନ ପାଇଁ ଆଗଭର ଥିବା ରିପୋର୍ଟରେ ଦର୍ଶାଯାଇଛି।

ସେହିପରି ଏକ ମେଡି-କିଟ୍‌ ଶରୀରରେ ତ୍ବରିତ ଆଣ୍ଟିବଡି ମାପିବାରେ ସଫଳ ହୋଇପାରୁଛି। ଆଇସିଏମ୍‌ଆର ଏହାକୁ ୯୨ ପ୍ରତିଶତ ସଫଳ ହେଉଥିବା ପ୍ରମାଣପତ୍ର ପ୍ରଦାନ କରିଛି। ଏହା ସାର୍ସ-କୋଭିଡ-୨କୁ ଚିହ୍ନଟ କରିପାରିବା ସହିତ ଲକ୍ଷଣବିହୀନ ଲୋକଙ୍କ ଶରୀରରେ ସେରୋ ସଂକ୍ରମଣ ସଂପର୍କରେ ତଥ୍ୟ ପ୍ରଦାନ କରିପାରିବାର କ୍ଷମତା ରଖୁଛି। ‘ସ୍ବସ୍ଥ’ ନାମକ ଏକ କୋଭିଡ୍‌ ସ୍ବାସ୍ଥ୍ୟସେବା ପରିଚାଳନା ପାଇଁ ଏକ ଟେକ୍ ଷ୍ଟାର୍ଟଅପ୍ ବିକାଶିତ କରାଯାଇଛି। ଏହର ଜିଲ୍ଲା ପ୍ରଶାସନ, ପୌର ପରିଷଦ ପ୍ରଭୃତିଙ୍କୁ କୋଭିଡ୍‌ ପରିଚାଳନାରେ ଉପାଦେୟ ହୋଇପାରିବ। ଏହାର ପ୍ରୟୋଗରେ ଡାକ୍ତରଖାନ‌ାରେ ସିଟ୍‌, ରେଫରାଲ, ଅମ୍ଳଜାନ ଉପଲବ୍ଧ ପ୍ରଭୃତି ସମ୍ବନ୍ଧରେ ଉପଯୁକ୍ତ ବିବରଣୀ ରୋଗୀମାନେ ପାଇପାରିବେ।

ଅନ୍ୟ ଏକ ସଂସ୍ଥା ଆର୍‌ଟି-ପିସିଆ ଓ ଡିଏନ୍‌ଏ ପରୀକ୍ଷା ପାଇଁ ଉପକରଣ ନିର୍ମାଣ କରିଛନ୍ତି। କୋଭିଡ୍‌ର ଦ୍ବିତୀୟ ଲହରି‌ରେ ଏହା ପ୍ରାୟ ୧ଲକ୍ଷ ଲୋକଙ୍କ ପରୀକ୍ଷା କରି ସଫଳତା ହାସଲ କରିଛି। ଏହିସବୁ ଷ୍ଟାର୍ଟଅପ୍‌ ରାଜ୍ୟରେ ତାଙ୍କର ଉତ୍ପାଦନ ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍ ଅଧୀନରେ ଏସବୁ ଷ୍ଟାର୍ଟଅପ୍ ପଞ୍ଜୀକୃତ ହୋଇଛନ୍ତି। ଏଥିପାଇଁ ଏମ୍‌ଏସ୍‌ଏମ୍‌ଇ ପାର୍କ, ଶିଳ୍ପାଞ୍ଚଳ ପ୍ରଭୃତି ସୃଷ୍ଟି କରାଯାଇଛି। ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ନିୟମିତ ଭାବେ ସମୀକ୍ଷା ବୈଠକ ଆୟୋଜନ କରାଯିବା ସହିତ ଉଦ୍ୟୋଗ ପ୍ରତିଷ୍ଠାକୁ ନେଇ ଉପୁଜିଥିବା ସମସ୍ୟା ଗୁଡ଼ିକର ସମାଧାନ କରାଯାଉଥିବା ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର