ଏସ୍‌ପି ଅଫିସ ରାସ୍ତା ପାଲଟିଲା ରଣକ୍ଷେତ୍ର; ବିଜେପି କର୍ମୀ ଓ ପୁଲିସ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ପୁଲିସ ଅଧିକାରୀଙ୍କ ସହ ବିଜେପି କର୍ମୀ ଓ ସାମ୍ବାଦିକ ଆହତ, ଏସ୍‌ପି ଅଫିସକୁ ଟମାଟୋ ଓ ଅଣ୍ଡା ମାଡ଼

ବ୍ରହ୍ମପୁର : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ କଲେଜର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ସହ ବହିଷ୍କାର କରିବା ଦାବି ନେଇ ବିଜେପି ପକ୍ଷରୁ ସମଗ୍ର ରାଜ୍ୟରେ ଆନ୍ଦୋଳନ ଚାଲିଥିବାବେଳେ ଶୁକ୍ରବାର ବ୍ରହ୍ମପୁର ସହରରେ ଏହାର ଉଗ୍ରରୂପ ଦେଖିବାକୁ ମିଳିଛି। ବିଜେପି ପକ୍ଷରୁ ଆଜି ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ବେଳେ ଉଭୟ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ସହ ରକ୍ତାକ୍ତ ସଂଘର୍ଷ ହୋଇଛି। ଆଜି ପ୍ରବଳ ବର୍ଷା ସତ୍ତ୍ବେ ଏସ୍‌ପି ଅଫିସ ଘେରାଉବେଳେ ସମ୍ମୁଖ ରାସ୍ତା ସଂପୂର୍ଣ୍ଣ ରଣକ୍ଷେତ୍ର ପାଲଟି ଯାଇଥିଲା।

ଶୁକ୍ରବାର ଦିନ ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଓ ଯୁବମୋର୍ଚ୍ଚା ସଭାପତି ଏଲ୍. ମୋହନ ଦାସଙ୍କ ନେତୃତ୍ବରେ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ବ ବିଜେପି ଓ ଯୁବମୋର୍ଚ୍ଚା କର୍ମୀ ସ୍ଥାନୀୟ ହିଲ୍‌ପାଟଣା ଗଣେଶ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ବାହାରି ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକୁ ଦୃଷ୍ଟିରେ ରଖି ଏସ୍‌ପି ଅଫିସ ସମ୍ମୁଖରେ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଥିଲା। ଦଳୀୟ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବାବେଳେ ହଠାତ୍‌ ପୁଲିସ ଉପରକୁ ପଥର, ଅଣ୍ଡା, ଟମାଟୋ ଓ ଚପଲ ମାଡ଼ କରିଥିଲେ। ଆନ୍ଦୋଳନକାରୀ ଏସ୍‌ପି ଅଫିସ ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ପୁଲିସ ସହ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଲଘୁଚାପ ଜନିତ ବର୍ଷା ସତ୍ତ୍ବେ ଦୀର୍ଘ ସମୟ ଧରି ଏଭଳି ଧସ୍ତାଧସ୍ତି ଲାଗି ରହିଥିଲା।

ଢେଲାମାଡ଼ରେ ଏଚ୍‌ଆର୍‌ପିସିର ଡିଏସ୍‌ପି ନିରଂଜନ କୁମାର ଧୀରଙ୍କ ମୁଣ୍ଡ ଫାଟିବା ସହ ଟାଉନ୍‌ ଏସଡିପିଓ ବିଷ୍ଣୁ ପ୍ରସାଦ ପତି, ଏସ୍‌ଆଇ ବିଭୂତି ଭୂଷଣ ସେଠୀ, କନେଷ୍ଟବଳ ଚିନ୍ମୟ ମହାପାତ୍ର ଆହତ ହୋଇ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସା ହୋଇ ଫେରିଥିଲେ। ଆନ୍ଦୋଳନ ସମୟରେ ଭିଡ଼ିଓ ରେକଡିଂ କରୁଥିବା କ୍ୟାମେରାମ୍ୟାନ୍ ଶୁଭେନ୍ଦୁ ସାହୁ ଢେଲାମାଡର ଶିକାର ହୋଇଥିଲେ। ଶୁଭେନ୍ଦୁଙ୍କ ମେଡ଼ିକାଲ ରିପୋର୍ଟ ଆସିବା ପରେ ତାଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବା ଜଣାପଡିଛି। ସେଭଳି ପୁଲିସ ମାଡ଼ରେ ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ସିଦ୍ଧାର୍ଥ ଗଙ୍ଗଦେବଙ୍କୁ ମାଡ଼ ହୋଇଥିବାବେଳେ ଜିଲ୍ଲା ଯୁବମୋର୍ଚ୍ଚା ସଂପାଦକ ସୁଜିତ୍‌ ନାୟକଙ୍କ ଗୋଡ଼ ଭାଙ୍ଗିଯାଇଥିବା ସୂଚନା ମିଳିଛି।

ବିକ୍ଷୋଭ ବେଳେ ଏସ୍‌ପି ଅଫିସ ସମ୍ମୁଖ ରାସ୍ତା କିଛି ସମୟ ପାଇଁ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ତେବେ, ଆନ୍ଦୋଳନବେଳେ ପୁଲିସ ଉପରକୁ ଚପଲ, ପଥର, ଅଣ୍ଡା ଓ ଟମାଟୋ ମାଡ଼ ଘଟଣାର ତଦନ୍ତ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର କହିଛନ୍ତି।

ସୁରକ୍ଷା ଦୃଷ୍ଟିରୁ ୬ପ୍ଲାଟୁନ୍ ଫୋର୍ସ, ୧୦ଜଣ ଇନ୍ସପେକ୍ଟର, ୫ଜଣ ଡିଏସ୍‌ପି, ୨ଜଣ ଏଏସ୍‌ପି ନିୟୋଜିତ ଥିଲେ।

ସମ୍ବନ୍ଧିତ ଖବର