କରୋନା ମୁକାବିଲା ପାଇଁ ବିଏମସି ଅଣ୍ଟା ଭିଡିଲା : ସବୁ ସହରାଞ୍ଚଳରେ ଖୋଲିବ ସଙ୍ଗରୋଧ କେନ୍ଦ୍ର

ସମସ୍ତ ୬୭ ୱାର୍ଡରେ ଖୋଲିଲା କ୍ବାରଣ୍ଟୋଇନ୍ ସେଣ୍ଟର, ଦିନ ୨ଟାରୁ ପାର୍କ ବନ୍ଦ, ଜନସମାଗମ ଉପରେ କଟକଣା

ଭୁବନେଶ୍ବର : କରୋନା ମୁକାବିଲା ଲାଗି ରାଜ୍ୟର ସମସ୍ତ ସହରାଞ୍ଚଳରେ କ୍ବାରେଣ୍ଟାଇନ୍ ସେଣ୍ଟର (ସଙ୍ଗରୋଧ କେନ୍ଦ୍ର) ଖୋଲାଯିବ। ଏନେଇ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ଆଜି ସମସ୍ତ ମହାନଗର ନିଗମ କମିସନର ଓ ପୌରନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସହରାଞ୍ଚଳରେ ଥିବା କଲ୍ୟାଣମଣ୍ଡପ, କମ୍ୟୁନିଟି ସେଣ୍ଟର, ବାତ୍ୟା ଆଶ୍ରୟସ୍ଥଳୀ, ଆଶ୍ରୟଗୃହ, କିମ୍ବା ସେହିଭଳି ଘରୋଇ ଓ ସରକାରୀ କୋଠାଗୁଡ଼ିକରେ କ୍ବାରେଣ୍ଟାଇନ୍ ସେଣ୍ଟର ଖୋଲିବାକୁ କୁହାଯାଇଛି।

ଏହିସବୁ କୋଠାରେ ନିୟମିତ ବିଜୁଳି ଯୋଗାଣ ସହିତ ଜେନେରେଟର ସେଟ୍‌, ଜଳଯୋଗାଣ ବ୍ୟବସ୍ଥା କରାଯିବ। ଯେଉଁଠି କ୍ବାରେଣ୍ଟାଇନ୍ ସେଣ୍ଟର ହେବ ସେହି କୋଠାକୁ ନିୟମିତ ସଫେଇ କରିବା ସହ ସାନିଟାଇଜ୍ କରିବାକୁ କୁହାଯାଇଛି। ଏଗୁଡ଼ିକୁ ଠିକ୍ ଭାବେ ପରିଚାଳନା କରିବା ପାଇଁ ସୁରକ୍ଷାକର୍ମୀ ମୁତୟନ କରିବା ସହ ସେବା ଯୋଗାଣକାରୀଙ୍କୁ ମୁତୟନ କରାଯିବ। ପ୍ରତ୍ୟେକ ଅଞ୍ଚଳର ୱାର୍ଡ ଅଫିସରଙ୍କୁ ସେମାନଙ୍କ ଅଞ୍ଚଳର ସର୍ଭିଲାନ୍ସ ଅଫିସର ଭାବେ ନି‌େୟାଜିତ କରାଯିବ। ୱାର୍ଡ ଅଫିସରମାନେ ବିଭିନ୍ନ ଗୋଷ୍ଠୀ ସହ ସମ୍ପର୍କ ରକ୍ଷା କରି ବାସ୍ତବ ସ୍ଥିିତିର ଅନୁଧ୍ୟାନ କରିବେ।

ଅପରପକ୍ଷେ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ ପାଇବା ପରେ ବିଏମ୍‌ସି ପକ୍ଷରୁ ୬୭ଟି ୱାର୍ଡରେ କ୍ବାରେଣ୍ଟାଇନ୍ ସେଣ୍ଟର ଖୋଲାଯାଇଛି। ଏଠାରେ ଆବଶ୍ୟକୀୟ ଶଯ୍ୟା ସହ, ସେବା ଯୋଗାଣକାରୀ ସଂସ୍ଥାରୁ କର୍ମଚାରୀ ନିୟୋଜିତ କରାଯାଇଛି। ସେମାନେ ଏହି କେନ୍ଦ୍ରରେ ରହୁଥିବା ଲୋକଙ୍କର ଯତ୍ନ ନେବେ। ଏହି କେନ୍ଦ୍ରରେ ରହୁଥିବା ଲୋକଙ୍କୁ ଆହାର କେନ୍ଦ୍ରରୁ ‌ଖାଦ୍ୟ ଆଣି ଦିଆଯିବ। ସେହିପରି ବିଏମ୍‌ସିର ବିଭିନ୍ନ କଲ୍ୟାଣମଣ୍ଡପଗୁଡ଼ିକ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ବୁକିଂ ଥିବାରୁ ଏଠାରେ ୨୫ତାରିଖ ପରେ କ୍ବାରେଣ୍ଟାଇନ୍ ସେଣ୍ଟର ଖୋଲିବ ବୋଲି ବିଏମ୍‌ସିର ‌ଡେପୁଟି କମିସନର (ପରିମଳ) ଶୁଭେନ୍ଦୁ ସାହୁ କହିଛନ୍ତି।

ପୌରାଞ୍ଚଳରେ ଥିବା ସ୍ବଚ୍ଛ ସାଥୀମାନଙ୍କୁ ବର୍ଜ୍ୟବସ୍ତୁ ନିୟନ୍ତ୍ରଣରେ ମୁତୟନ କରାଯିବା ସହ ୧୫ଦିନ ମଧ୍ୟରେ ଯଦି ସହରକୁ କୌଣସି ବ୍ୟକ୍ତି ବିଦେଶରୁ ଆସିଥିବେ ସେମାନଙ୍କ ସଂକ୍ରାନ୍ତରେ ପୌର ଅଧିକାରୀଙ୍କୁ ଖବର ଦେବାକୁ କୁହାଯାଇଛି।

ସେହିପରି ସମସ୍ତ ସର୍ବସାଧାରଣ ଶୌଚାଳୟ ଓ ଆହାର କେନ୍ଦ୍ର ପାଇଁ ୱାଟର ଜେଟିଂ ମେସିନ୍ କିଣିବାକୁ କୁହାଯାଇଛି। ପ୍ରତ୍ୟେକ ଅଞ୍ଚଳରେ ଧୂଆଁ ଛାଡ଼ିବା ଓ ସିଞ୍ଚନ ଯନ୍ତ୍ର ନିୟମିତ ବ୍ୟବହାର କରିବାକୁ କୁହାଯାଇଛି। ସମସ୍ତ ଗୋଷ୍ଠୀ ପାଇଖାନାଗୁଡ଼ିକୁ ବ୍ୟବହାରଯୋଗ୍ୟ କରାଯିବ। ଏଗୁଡ଼ିକୁ ରଙ୍ଗ ମାରିବା ସହ ଜଳଯୋଗାଣ, ବିଦ୍ୟୁତ ଓ ଶୌଚାଳୟରେ ହାତ ଧୋଇବା ପାଇଁ ସାବୁନ୍ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସହରର ସମସ୍ତ ପାର୍କ ଦିନ ୨ଟା ପରଠାରୁ ବନ୍ଦ ରଖିବାକୁ କୁହାଯାଇଛି। ଲୋକଙ୍କୁ ସଚେତନ କରିବା ପାଇଁ ପାର୍କ ବାହାରେ ଓ ଭିତରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ‌ କରାଯିବ। ବିଏମ୍‌ସି ପକ୍ଷରୁ ଆଜି ଅପରାହ୍ନ ୨ଟାରୁ ସମସ୍ତ ପାର୍କ ବନ୍ଦ କରିଦିଆଯାଇଛି।

ଏସବୁ ବାଦ୍ କୌଣସି କ୍ଷେତ୍ରରେ ମିଥ୍ୟା କିମ୍ବା କପୋଳକଳ୍ପିତ ଖବର ସାମାଜିକ ଗଣମାଧ୍ୟମ କିମ୍ବା ଅନ୍ୟ କୌଣସି ଗଣମାଧ୍ୟମରେ ପ୍ରସାରିତ ହେଲେ ସେ ସଂକ୍ରାନ୍ତରେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ କୁହାଯାଇଛି। ପୌରାଞ୍ଚଳଗୁଡ଼ିକୁ ଆବଶ୍ୟକସ୍ଥଳେ ସ୍ଥିତିକୁ ଦୃଷ୍ଟିରେ ରଖି ଅର୍ଥ ଖର୍ଚ୍ଚ କରିବାର କ୍ଷମତା ଦିଆଯାଇଛି। ପୌରଞ୍ଚଳରେ ସମସ୍ତ ପ୍ରକାରର ଜନସମାଗମକୁ ନିଷେଧ କରାଯାଇଛି। ପୌରଅଧିକାରୀମାନେ ଜିଲ୍ଲାପାଳ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଠାରୁ ପରାମର୍ଶ ଗ୍ରହଣ କରିବାକୁ ରାଜ୍ୟ ସରକାର କହିଛନ୍ତି।

ସମ୍ବନ୍ଧିତ ଖବର