ନୋଏଡା: କଠିନ ପରିଶ୍ରମ କରି ବାପାଙ୍କ ସମ୍ମାନ ବଢ଼ାଇଲା ଝିଅ। ସିବିଏସଇ ଦ୍ବାଦଶ ବୋର୍ଡ ପରୀକ୍ଷାରେ ରିକ୍ସା ଚାଳକଙ୍କ ଝିଅ ରଖିଲେ ୯୨%ମାର୍କ। ଶୁକ୍ରବାର ସିବିଏସଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାର ଫଳାଫଳ ବାହାରିଥିବା ବେଳେ ଏଥିରେ ୯୨% ମାର୍କ ଆଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ନୋଏଡାର ଆକାଂକ୍ଷା କୁମାରୀ।

Advertisment

ଦ୍ୱାଦଶ ବୋର୍ଡ ପରୀକ୍ଷାର ଫଳାଫଳ ଆସିବା ପରେ ଆକାଂକ୍ଷାଙ୍କ ପରିବାର, ବିଶେଷକରି ଆକାଂକ୍ଷାଙ୍କ ବାପା ଅଧିକ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି। ନିଜ ଚେଷ୍ଟାରେ ଆକାଂକ୍ଷା ଏତେ ଅଧିକ ମାର୍କ ରଖିଥିବାରୁ ଏବେ ଚାରିଆଡେ ତାଙ୍କର ପ୍ରଶଂସା କରାଯାଉଛି। ପରିସ୍ଥିତି ଆଗରେ ହାର ନମାନି କିଭଳି ଏହାର ସାମ୍ନା କରି ସଫଳତା ପାଇବାକୁ ହୁଏ, ତାହା ଶିଖାଇଛନ୍ତି ଆକାଂକ୍ଷା।

ଆକାଂକ୍ଷା ମା’ଙ୍କ କହିବା ମୁତାବକ, ମୋ ସ୍ବାମୀ ରାଜେସ୍ବର ପ୍ରସାଦ ରିକ୍ସା ଚଳାଇ ପରିବାର ପୋଷନ୍ତି। ଆର୍ଥିକ ସ୍ଥିତି ଭଲ ନଥିବାରୁ ଆକାଂକ୍ଷା କାହାର ସାହାଯ୍ୟ ନନେଇ ନିଜେ ପଢ଼ୁଥିଲା। ଗାଡ଼ିରେ ଯିବାକୁ ଟଙ୍କା ନଥିବାରୁ ସେ ସବୁବେଳେ ୨.୫କିଲୋମିଟର ଚାଲି ଚାଲି ପଢ଼ିବାକୁ ଯାଉଥିଲା। ଘରକୁ ଫେରିବା ପରେ ସେ ବିଶ୍ରାମ ନକରି ମୋତେ ଘର କାମରେ ସାହାଯ୍ୟ କରି ତା’ ପରେ ପାଠ ପଢ଼ୁଥିଲା। ଏସବୁ ପରେ ବି ସେ କଠିନ ପରିଶ୍ରମ କରି ୯୨% ମାର୍କ ଆଣିବା ବହୁତ ବଡ଼ କଥା। ଆଜି ଆମ ଝିଅ ପାଇଁ ଆମର ସମ୍ମାନ ବଢ଼ିଛି। ଆମେ ଝିଅର ଏହି ସଫଳତାକୁ ନେଇ ବହୁତ ଖୁସି।

ତେବେ ପରୀକ୍ଷା ଫଳ ଆସିବା ପରେ ଭଲ କ‌ଲେଜରେ ପାଠ ପଢ଼ି ଆକାଂକ୍ଷା ଓକିଲ ହେବାକୁ ଚାହୁଥିବା କହିଛନ୍ତି।