ମୁମ୍ବାଇ: ଏଥର ହୋଲି ଶେଷ ହୋଇଯାଇଛି। କରୋନା ପରେ ଏଥର ହୋଲିକୁ ବେଶ୍ ଭଲ ଭାବେ ସମସ୍ତେ ଉପଭୋଗ କରିଛନ୍ତି। ସାରା ଦେଶବାସୀ ରଂଗର ପର୍ବ ହୋଲିକୁ ବଡ଼ ଧୁମ୍ଧାମ୍ରେ ପାଳନ କରିଥିବା ବେଳେ ବଲିଉଡ୍ ସେଲିବ୍ରିଟିମାନେ ବି ଏଥିରୁ ବାଦ୍ ପଡ଼ିନାହାନ୍ତି। ବିଭିନ୍ନ ପ୍ରକାରର ପୋଷାକ ପିନ୍ଧି କଳାକାରମାନେ ରଂଗର ପର୍ବ ହୋଲି ମନାଇଛନ୍ତି।
ହୋଲି ଅବସରରେ କାହାର ଆଧୁନିକ ତ କାହାର ଦେଶୀ ଲୁକ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏଥର ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ନିଜ ଶଶୁରଘର ପରିବାର ଲୋକଙ୍କ ସହ ହୋଲି ପାଳନ କରିଛନ୍ତି। ସେ ହୋଲି ଖେଳିବା ବେଳେ ଏକ ହଳଦିଆ ରଂଗର ସାଲ୍ୱାର ପିନ୍ଧିଥିବାର ନଜର ଆସିଛନ୍ତି।
ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏଥର ନିଜ ଘରେ ବିଭିନ୍ନ ରଂଗର ଫୁଲ ସହ ହୋଲି ଖେଳିଛନ୍ତି। ସେ ବି ଏକ ନାଲି ରଂଗର ସାଲ୍ୱାର ପରିଧାନ କରିଥିବା ବେଳେ ପ୍ରିଣ୍ଟେଡ୍ ଓଢ଼ଣା ପକାଇଛନ୍ତି। ବିଭିନ୍ନ ରଂଗର ଫୁଲର ପାଖୁଡ଼ାକୁ ଏକାଠି କରି ସେ ତାଙ୍କର ୨ ପୁଅଙ୍କ ସହ ହୋଲି ଖେଳୁଥିବାର ଦେଖିବାକୁ ମିଳିଛି।
ସେହିପରି କରିସ୍ମା କପୁରଙ୍କୁ ବି ହୋଲି ମନାଉଥିବାର ଦେଖିବାକୁ ମିଳିଛି। ସେ ଏକ ଧଳା ରଂଗର ସୁଟ୍ ପରିଧାନ କରି ବିଭିନ୍ନ ରଂଗର ଅବିରରେ ରଂଗ ଖେଳିଛନ୍ତି।
କରିସ୍ମା କପୁରଙ୍କ ବ୍ୟତୀତ ଅଭିନେତ୍ରୀ ସୋହା ଅଲ୍ଲୀ ଖାନ୍, ସର୍ଲିନ ଚୋପ୍ରା, କିଆରା ଆଡଭାନୀ, ଉର୍ବଶୀ ରୌତେଲା, ଶେଫାଲୀ ଜରିୱାଲା ଆଦି ବି ଧଳା ରଂଗର ପୋଷାକରେ ହୋଲି ଖେଳିଛନ୍ତି। କିଆରାଙ୍କର ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ବିବାହ ପରେ ଏହା ପ୍ରଥମ ହୋଲି। ଅଭିନେତା ସଲ୍ମାନ ଖାନ୍ ନିଜର ଏକ ଫଟୋ ଇନ୍ଷ୍ଟାଗ୍ରାମ୍ରେ ସେୟାର କରି ହୋଲି ଅବସରରେ ଶୁଭେଚ୍ଛା ଜଣାଇଥିଲେ।