ଇତି ଊଣେଇଶ (ଅପରାଧ) : ବୋମା, ବନ୍ଧୁକ, ଗୁଳିକୁ ନେଇ ଟେନ୍‌ସନ୍‌ରେ ପୁଲିସ

ବୋମା ବନ୍ଧୁକ ଗୁଳିକୁ ନେଇ ଟେନ୍‌ସନ୍‌ରେ ରହିଥିଲା ପୁଲିସ। ଓୟୁଏଟି କଲୋନି ସରକାରୀ କ୍ବାଟର୍ସରେ ପ୍ରଚଣ୍ଡ ବିସ୍ଫୋରଣ ହେବାରୁ ବନ୍ଧୁକ ତିଆରି କାରଖାନା ଧରାପଡ଼ିଥିଲା‌। ଜଣେ ସରକାରୀ କର୍ମଚାରୀ ଦୀର୍ଘ ଦିନ ଧରି ସରକାରୀ କ୍ବାଟର୍ସରେ ବନ୍ଧୁକ ତିଆରି କରୁଥିଲେ। ସେହିଭଳି ବଡ଼ଗଡ଼ ଅଞ୍ଚଳରେ ଅଟୋରେ ବୋମା ବୁହା ହେଉଥିବା ବେଳେ ରାସ୍ତାରେ ବିସ୍ଫୋରଣ ହେବା ଘଟଣା ଚର୍ଚ୍ଚାରେ ରହିଥିଲା। ଚଳିତ ବର୍ଷ ୩୩ଟି ବନ୍ଧୁକ ସହ ଶତାଧିକ ଗୁଳି ଜବତ ହୋଇଥିଲା। ୧୫ରୁ ଊର୍ଦ୍ଧ୍ବ ବନ୍ଧା ହୋଇଥିଲେ।

ଆଇଏଏସ୍‌ ଅଫିସରଙ୍କ ଘରେ ଚୋରି
୨୦୧୯ରେ ଭୁବନେଶ୍ବର ବିଭିନ୍ନ ଥାନାରେ ୧ହଜାର ୫୦୦ଟି ଚୋରି ମାମଲା ରୁଜୁ ହୋଇଛି। ଏହି ମାମଲାଗୁଡ଼ିକ ଭିତରୁ ଆଇଏଏସ୍‌ ଅଫିସର ତଥା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶକ ରେଘୁଜୀଙ୍କ କ୍ବାଟର୍ସରେ କଳାକନା ବୁଲାଇବା ଘଟଣା ବେଶ୍‌ ଚର୍ଚ୍ଚାରେ ରହିଥିଲା। ତା’ ଛଡ଼ା ଆଇଗିଣିଆ ଉତ୍କଳ ସେଲ୍ସ ସଟର ତାଡ଼ି ଲୁଟ୍‌, ପାସ୍‌ପୋର୍ଟ ଅଫିସ୍‌ ସାମ୍ନାରୁ ନିମାପଡ଼ାର ରାଜେଶ ସ୍ବାଇଁଙ୍କ ଗାଡ଼ିରୁ ୪ ଲକ୍ଷ ଟଙ୍କାର ଗହଣା ଲୁଟ୍‌, ଚୋରି ଘଟଣା ରାଜଧାନୀବାସୀଙ୍କୁ ଭୟଭୀତ କରିଥିଲା। ୬୦ ପ୍ରତିଶତରୁ ଊର୍ଦ୍ଧ୍ବ ମାମଲାରେ ପୁଲିସ ଚୋରି ଜିନିଷ ଜବତ କରିପାରିନାହିଁ।

ଅଭିଯୁକ୍ତକୁ ମାଡ଼ି ବସିଲେ ଇନ୍ସପେକ୍ଟର
ଘଟଣାସ୍ଥଳରେ ପୁଲିସ ବିଳମ୍ବରେ ପହଞ୍ଚିବା ଏକ ସାଧାରଣ କଥା। କିନ୍ତୁ ପାସ୍‌ପୋର୍ଟ ଅଫିସ୍‌ କଡ଼ରେ ଜଣେ ଯୁବକକୁ ଛୁରାମାଡ଼ ଚାଲିଥିବା ବେଳେ ନୂଆପଲ୍ଲୀ ଥାନା ଇନ୍ସପେକ୍ଟର ଅରୁଣ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଉଦ୍ଧାର କରିଥିଲେ। ତା ସହିତ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ମାଡ଼ି ବସିଥିଲେ। ଜନଗହଳୀପୂର୍ଣ୍ଣ ରାସ୍ତାରେ ଜଣେ ଇନ୍ସପେକ୍ଟର ଗୋଡ଼ାଇ ଗୋଡ଼ାଇ ଅଭିଯୁକ୍ତକୁ ଧରି ଚର୍ଚ୍ଚାକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

oneindia.com

୧୦ଜଣଙ୍କୁ ଆଜୀବନ
ଘାଟିକିଆ ସନ୍ଦୀପ ନନ୍ଦ ହତ୍ୟାକାଣ୍ଡ ମାମଲାରେ ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା। ୨୦୧୨ ମସିହା ଏପ୍ରିଲ ମାସରେ ସନ୍ଦୀପଙ୍କୁ ଏହି ୧୦ ଜଣ ମିଳିତ ଭାବେ ଲୁହା ଛଡ଼, ହକି ଷ୍ଟିକ୍‌ ଓ କାଠ ଫାଳିଆରେ ଆକ୍ରମଣ କରି ହତ୍ୟା କରିଥିଲେ। ମାମଲାର ଉପଯୁକ୍ତ ତଦନ୍ତ ସହ ତଥ୍ୟ ପ୍ରମାଣସଂଗ୍ରହ ଯୋଗୁ ଏହି ଦଣ୍ଡ ସମ୍ଭବ ହୋଇଥିବାରୁ ସରକାରୀ ଓକିଲ ଓ ତଦନ୍ତକାରୀ ଅଫିସରଙ୍କୁ କମିସନରେଟ ପୁଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଠକିଦେଲେ
୨୦୧୯ରେ ଧରାପଡ଼ିଥିଲେ ୭ ଠକ ବିଳ୍ଡର। ଲୋକଙ୍କୁ ଘର ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ ମଧ୍ୟ ଘର ଦେଇ ପାରି ନ ଥିଲେ। ଏ ବାବଦରେ ୫୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଥିଲା। ସେହିଭଳି ଚାକିରି ଦେବାକୁ କହି କୋଟି କୋଟି ଟଙ୍କା ଠକେଇ ହୋଇଥିଲା। ବିଭିନ୍ନ ପ୍ରଲୋଭନ ଦେଖାଇ ଅନ୍‌ଲାଇନ୍‌ରେ ମଧ୍ୟ ଦୁର୍ବୃତ୍ତ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ। ଏଭଳି ଅଭିଯୋଗ ବିଭିନ୍ନ ଥାନାରେ ହୋଇଥିଲେ ମଧ୍ୟ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ୨୦୧୯ରେ ୪୦୦ଟି ଠକେଇ ମାମଲା ରୁଜୁ ହୋଇଥିଲେ ମଧ୍ୟ ଗିରଫଦାରୀ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ ରହିଥିଲା।

ସମ୍ବନ୍ଧିତ ଖବର