ନୂଆଦିଲ୍ଲୀ: ଲୋକମାନେ ଲାଇବ୍ରେରି ଯାଇଥାଆନ୍ତି, ପୁସ୍ତକ ପଢ଼ି ଥାଆନ୍ତି, ଆଉ କିଛି ଦିନ ପାଇଁ ଉକ୍ତ ପୁସ୍ତକକୁ ଇସୁ କରି ଘରକୁ ଆଣି ଥାଆନ୍ତି। ତେବେ ଇସୁ କରିକି ଆଣିଥିବା ପୁସ୍ତକକୁ ନିଜ ପାଖରେ ରଖିବା ପାଇଁ କିଛି ସମୟସୀମା ରହିଥାଏ। ଏହି ସମୟସୀମା ଭିତରେ ପୁସ୍ତକ ନଫେରାଇଲେ ଜରିମାନା ଲାଗୁ ହୋଇଥାଏ। ନିକଟରେ ଜଣେ ବ୍ୟକ୍ତି ଲାଇବ୍ରେରିକୁ ପୁସ୍ତକ ଫେରାଇବାକୁ ଆସିଥିବା ବେଳେ ଜଣେ ଷ୍ଟାଫ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
କାହିଁକି ନା ଏହି ପୁସ୍ତକ ୧୯୪୨ ମସିହା ମାର୍ଚ୍ଚ ୩୦ ତାରିଖରେ ଇସୁ କରାଯାଇଥିଲା। ଏହାକୁ ୮୧ବର୍ଷ ପରେ ଲାଇବ୍ରେରିକୁ ଫେରାଯାଉଛି। ଏହି ଘଟଣା ଆମେରିକାର ୱାସିଂଟନର ଏବରଡିନରେ ଘଟିଛି।
ଲାଇବ୍ରେରି ନିଜର ଫେସବୁକ ପେଜରେ ଏହି ସୂଚନା ଦେଇ ଲେଖିଛି, ଚାଲର୍ସ ନାରଡାଫ ଓ ଜେମ୍ସ ନାର୍ମନ ହାଲଙ୍କ ପୁସ୍ତକ ‘ଦ ବାଉଣ୍ଟି ଟ୍ରିଲାଜି’ ୮୧ବର୍ଷ ପରେ ଏବରଡିନ ଟିମ୍ବରଲ୍ୟାଣ୍ଡ ଲାଇବ୍ରେରିକୁ ଫେରି ଆସିଛି। ତେବେ ଲାଇବ୍ରେରିର ଏହି ପୁସ୍ତକ ଜଣେ ବ୍ୟକ୍ତିଙ୍କ ପୁରୁଣା ସାମଗ୍ରୀରେ ପଡ଼ିଥିବା ମିଳିଥିଲା।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି କି, ଯିଏ ଏହି ପୁସ୍ତକ ନେଇଥିଲେ ସେ ପୃଷ୍ଠା ୧୭ନମ୍ବର ପର୍ଯ୍ୟନ୍ତ ପଢ଼ିଥିଲେ। ଏହି ୧୭ନମ୍ବର ପୃଷ୍ଠାରେ ସେ ଏକ ନୋଟ ଲେଖିଥିଲେ। ଯେଉଁଥିରେ ଲେଖାହୋଇଛି, ‘ ଯଦି ମୋତେ ଟଙ୍କା ବି ଦିଆଯାଏ, ମୁଁ ଏହି ପୁସ୍ତକକୁ ପଢ଼ିବି ନାହିଁ।’
ଏହି ଲେଖାରୁ ଅନୁମାନ କରାଯାଉଛି କି ବୋଧ ହୁଏ , ‘ଯେଉଁ ବ୍ୟକ୍ତି ଏହି ପୁସ୍ତକ ନେଇଥିଲେ ତାଙ୍କୁ ପୁସ୍ତକଟି ଆଦୌ ପସନ୍ଦ ଆସିନାହିଁ।’