ବିସ୍ମୟ ବାଳକ ବିକ୍ରମ: ଜନ୍ମରୁ ନାହିଁ ହାତ, ହେଲେ ପାଦରେ ଲେଖି ସିବିଏସ୍‌ଇ ଦଶମ ପରୀକ୍ଷାରେ ରଖିଲେ ୭୨% ନମ୍ବର

ଗାଙ୍ଗଟକ୍‌ (ସିକିମ୍‌): କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ଅସମ୍ଭବ ସମ୍ଭବ ହୋଇଥାଏ। ଏହାକୁ ଏବେ କାର୍ଯ୍ୟରେ ପରିଣତ କରି ଦେଖାଇଛନ୍ତି ସିକିମ୍‌ର ୧୬ ବର୍ଷ ବୟସ୍କ ବିକ୍ରମ ଭଟ୍ଟରାୟ। ପୂର୍ବ ସିକିମ ସାମା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଦଶମ ଶ୍ରେଣୀ ଛାତ୍ର ବିକ୍ରମଙ୍କର ଜନ୍ମ ସମୟରୁ ହିଁ ହାତ ନାହିଁ। ହେଲେ, ୨୦୧୯ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ସେ ତାଙ୍କ ପାଦ ସାହାଯ୍ୟରେ ପରୀକ୍ଷା ଖାତାରେ ଲେଖି ୭୨ ପ୍ରତିଶତ ନମ୍ବର ରଖି ପରୀକ୍ଷାରେ କୃତକାର୍ଯ୍ୟ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଖାଲି ଏତିକି ନୁହେଁ, ଏହି ସଫଳତା ପରେ ବିସ୍ମୟ ବାଳକ ରୂପେ ପରିଚିତି ଲାଭ କରିଥିବା ବିକ୍ରମଙ୍କର ଏହି ଅଦ୍ଭୂତପୂର୍ବ ସଫଳତାକୁ କେନ୍ଦ୍ରକରି ଏବେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଓ ଆଲୋଚନା।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ସିକିମ୍‌ର ସାମା ଲିଙ୍ଗ୍‌ଦୁମ୍‌ ଗ୍ରାମର ଜାନୁକା ଓ ନରପତି ଭଟ୍ଟରାୟଙ୍କ ପୁତ୍ର ବିକ୍ରମଙ୍କର ଜନ୍ମ ସମୟରୁ ହିଁ ହାତ ନଥିଲା। ହାତ ନଥାଇ ଏକ ଦିବ୍ୟାଙ୍ଗ ଶିଶୁ ରୂପେ ଜନ୍ମ ଗ୍ରହଣ କରିଥିବା ବିକ୍ରମଙ୍କୁ ଏହା ବିଚଳିତ କରିପାରି ନଥିଲା କିମ୍ବା ସେ କେବେ ବି ଏହାକୁ ନିଜ ପାଇଁ ଏକ ପ୍ରତିବନ୍ଧକ ରୂପେ ବିବେଚନା କରି ନଥିଲେ। ପିଲାଟି ବେଳରୁ ହିଁ ତାଙ୍କର ପାଠ ପଢ଼ିବା ପାଇଁ ଖୁବ୍‌ ଆଗ୍ରହ ଥିଲା। ତାଙ୍କ ପିତା ମାତା ମଧ୍ୟ ତାଙ୍କୁ ଏଥିରେ ସହଯୋଗ କରିଥିଲେ।

 REPRESENTATIONAL  PICTURE _ The Telegraph

ପାଠ ପ୍ରତି ଥିବା ତାଙ୍କର ଆଗ୍ରହ ତାଙ୍କୁ ଏକ କୃତି ଛାତ୍ରରେ ପରିଣତ କରିଥିଲା। ହାତ ବଦଳରେ ସେ ପାଦରେ ଲେଖୁଥିଲେ। ବିକ୍ରମ ଖାଲି ପାଦରେ ଲେଖୁ ନଥିଲେ, ଖାଇବା ଠାରୁ ଆରମ୍ଭ କରି ଗାଧୋଇବା ପର୍ଯ୍ୟନ୍ତ ନିଜର ସବୁ କାମ ସେ ପାଦରେ କରିବା ସହ ପାଦ ସାହାଯ୍ୟରେ ମୋବାଇଲ ଓ ଲାପ୍‌ଟପ୍‌ ଆଦି ଚଳାଇବା ସହ ପାଦ ସାହାଯ୍ୟରେ ସୁନ୍ଦର ଚିତ୍ରକଳା ମଧ୍ୟ ଆଙ୍କି ପାରୁଥିଲେ।

ଏବେ, ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ପାଦ ସାହାଯ୍ୟରେ ପରୀକ୍ଷା ଖାତାରେ ଲେଖି ୭୨ ପ୍ରତିଶତ ନମ୍ବର ରଖି ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ଅତ୍ୟନ୍ତ ଖୁସି ଅଛନ୍ତି ବିକ୍ରମ। ଯୁକ୍ତ ଦୁଇ ବା ଦ୍ୱାଦଶ ଶ୍ରେଣୀରେ ସେ ଫିଜିକ୍ସ, କେମେଷ୍ଟ୍ରି, ବାୟୋଲୋଜି ଓ ମାଥ୍‌ମେଟିକ୍ସ ନେଇ ପଢ଼ିବାକୁ ମନସ୍ଥ କରିଥିବା ବେଳେ ଭବିଷ୍ୟତରେ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର