ବିଭିନ୍ନ ପ୍ରକାର ତଥ୍ୟକୁ ଅଭିନବ ଢଙ୍ଗରେ ଡିଜାଇନ୍ କରୁଥିବା ବିଶ୍ବସ୍ତରୀୟ ଅନ୍ଲାଇନ୍ ଭିଜୁଆଲ ଯୋଗାଯୋଗ ମଞ୍ଚ ‘କାନ୍ଭା’ ନିକଟରେ ‘ନିଉ ଇଅର, ନିଉ ଜବ୍’ ନାମକ ରିପୋର୍ଟ ପ୍ରକାଶ କରିଛି। ତାହା ଅନୁଯାୟୀ ୮୭ ପ୍ରତିଶତ ଭାରତୀୟ ଚାକିରି ଆଶାୟୀ ନିଜର ରିଜ୍ୟୁମ୍କୁ ଉନ୍ନତ ଶୈଳୀରେ ଉପସ୍ଥାପନ କରିବା ଅଥବା ନୂଆ ରିଜ୍ୟୁମ୍ ପ୍ରସ୍ତୁତ କରିବା ଲାଗି ଜେନେରେଟିଭ୍ ଏଆଇ ବା କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର କରୁଛନ୍ତି।
ଏହି ରିପୋର୍ଟ ଅନୁସାରେ ଭାରତରେ ପ୍ରାୟ ୯୫ ପ୍ରତିଶତ ନିଯୁକ୍ତିଦାତାଙ୍କ ବିଶ୍ବାସ ଯେ କୃତ୍ରିମ ବୁଦ୍ଧିମତ୍ତା ବିଭିନ୍ନ ସଂସ୍ଥାରେ ନିଯୁକ୍ତି ତଥା ଥଇଥାନ ପ୍ରକ୍ରିୟାକୁ ସୁଗମ କରିଥାଏ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି କି, ଯେଉଁମାନେ ଡିଜିଟାଲ୍ ଟୁଲ୍ ଓ ଭିଜୁଆଲ୍ ମିଡିଅମ୍କୁ ଗୁରୁତ୍ବ ଦିଅନ୍ତି ଏବଂ ଏକ ଦୃଢ଼ ପେସାଦାର ଛାପ ବହନ କରନ୍ତି, ସେମାନେ ନିଯୁକ୍ତିଦାତାଙ୍କ ସମ୍ମୁଖରେ ଅନ୍ୟମାନଙ୍କଠାରୁ ଭିନ୍ନ ଭାବେ ଚିହ୍ନିତ ହେବାର ସମ୍ଭାବନା ଅଧିକ ଥାଏ। ବିଶେଷ କରି ଯେଉଁ ଆବେଦନକାରୀମାନେ ନିଜର ଦକ୍ଷତାଗୁଡ଼ିକୁ ଚିତ୍ତାକର୍ଷକ ଢଙ୍ଗରେ ରିଜ୍ୟୁମ୍ରେ ଉଲ୍ଲେଖ କରିଥାନ୍ତି ସେମାନଙ୍କ ପ୍ରାର୍ଥିତ୍ବ ପ୍ରତି ନିଯୁକ୍ତିଦାତାମାନଙ୍କ ଧ୍ୟାନ ଆକର୍ଷିତ ହୋଇଥାଏ। ରିଜ୍ୟୁମ୍ ଅପଡେଟ୍ କରିବା, ନିଯୁକ୍ତି ପ୍ରକ୍ରିୟାକୁ ସୁଗମ କରିବା ଓ ଶ୍ରେଷ୍ଠ ପ୍ରତିଭା ଚିହ୍ନଟ କରିବା ନିମନ୍ତେ ଏଆଇ ବ୍ୟବହାର ଦ୍ବାରା ଆଜିର ଚାକିରି ବଜାରର ଚେହେରା ବଦଳିବାରେ ଲାଗିଛି। ବିଶେଷ କରି ଭାରତରେ ଅଭିନବ ରିଜ୍ୟୁମ୍ର ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳୁଛି, ଯାହା ଦେଶର ସୃଜନଶୀଳ ବିପ୍ଳବକୁ ସମର୍ଥନ କରୁଛି ବୋଲି କାନ୍ଭା ପକ୍ଷରୁ କୁହାଯାଇଛି। ପ୍ରାୟ ୪୭% ନିଯୁକ୍ତିଦାତା ମଧ୍ୟ ପ୍ରାର୍ଥୀ ଚୟନ ଲାଗି ଏଆଇ ଟୁଲ୍ ବ୍ୟବହାର କରୁଛନ୍ତି।