ବ୍ୟବହାର ହୋଇସାରିଥିବା ପ୍ଲାଷ୍ଟିକ୍ ବୋତଲରୁ କର୍ମଚାରୀଙ୍କ ପାଇଁ ୟୁନିଫର୍ମ ତିଆରି କରୁଛି ପାଣି ବୋତଲ କମ୍ପାନି

ନୂଆଦିଲ୍ଲୀ: ଏବେ ପ୍ଲାଷ୍ଟିକ୍ ପଲିଥିନ୍ ଟେରେଫଥାଲେଟ(ପେଟ୍)କୁ ନେଇ ତିଆରି ହେଉଥିବା ପାଣି ବୋତଲ ପୁନଃ ବ୍ୟବହାର କରାଯାଇ ପାରିବ। ପୂର୍ବରୁ ଲୋକେ ପାଣି ପିଇସାରିବା ପରେ ବୋତଲକୁ ଫିଙ୍ଗି ଦେଉଥିଲେ, ଯାହା ପ୍ରଦୂଷଣର ମୁଖ୍ୟ କାରଣ ପାଲଟୁଥିଲା। କିନ୍ତୁୁ ଏବେ ଏହାକୁ ଏକ ପାଣି ବୋତଲ କମ୍ପାନି ପୁନଃ ବ୍ୟବହାର କରି ନିଜ କର୍ମଚାରୀଙ୍କ ପାଇଁ ୟୁନିଫର୍ମ ତିଆରି କରୁଥିବା ଜଣାପଡ଼ିଛି। ଗ୍ଲୋବାଲ୍ ରିସାଇକ୍ଲିଂ ଦିବସ ଅବସରରେ କମ୍ପାନି ନିଜ କର୍ମଚାରୀଙ୍କ ପାଇଁ ବ୍ୟବହୃତ ହୋଇ ସାରିଥିବା ପେଟ୍ ବୋତଲରୁ ୟୁନିଫର୍ମ ତିଆରି କରିଥିବା ସାମ୍ନାକୁ ଆସିଛି। ଏହି ବୋତଲରୁ ତିଆରି ହେଉଥିବା କପଡ଼ା ସ୍ଥାୟୀ ଏବଂ ସମଗ୍ର ଭାରତରେ କମ୍ପାନିର ପ୍ରାୟ ୫,୦୦୦କର୍ମଚାରୀ  ରିସାଇକିଲ୍ଡ ୟୁନିଫର୍ମ ପିନ୍ଧି ସାରିଛନ୍ତି। ରିସାଇକ୍ଲିଡ୍ ହେବା ପରେ ପଲିଥିନ୍ ଟେରେଫଥାଲେଟର ୯୦ପ୍ରତିଶତ ସୂତା, ଟି-ସାର୍ଟ, ସାର୍ଟ ଇତ୍ୟାଦି ତିଆରିରେ ବ୍ୟବହୃତ ହେଉଛି।

indiatimes.com

ମିଳିିଥିବା ସୂଚନା ମୁତାବକ,ଏ ନେଇ ପ୍ରଥମେ ବୋତଲଗୁଡିକ ସଂଗ୍ରହ କରାଯାଇ ରିସାଇକ୍ଲିଂ କମ୍ପାନିକୁ ପଠାଯାଏ, ଯେଉଁଠି ବୋତଲକୁ ଭାଙ୍ଗି ଚୁନା କରାଯାଏ। ଏହା ପରେ ଏକ ରୂପାନ୍ତର ମେସିନ୍ ବ୍ୟବହାର କରି, ବୋତଲର ଚୁନାକୁ ଫାଇବରରେ ପରିଣତ କରାଯାଏ। ପରେ ସେଥିରେ ବିଭିନ୍ନ ରଙ୍ଗ ଦିଆଯିବା ସହ ସାର୍ଟ ତିଆରି କରିବା ପାଇଁ ସୂତା ସହିତ ମିଶା ଯାଏ। ଟ୍ରାଉଜର ତିଆରି ପାଇଁ ଫାଇବରକୁ ଭିସକସ ସହିତ ମିଶାଯାଏ ବୋଲି ଜଣାପଡ଼ିଛି।  ମିଶ୍ରଣ ପ୍ରକ୍ରିୟା ସମାପ୍ତ ହେବା ପରେ ରିଙ୍ଗ ଫ୍ରେମ୍ ସ୍ପିନିଂ ମେସିନ୍ ବ୍ୟବହାର କରି ଫାଇବରକୁ ସୂତାରେ ପରିଣତ କରାଯାଏ। ସୂତା ପ୍ରସ୍ତୁତ ହେବା ପରେ ତାକୁ କପଡ଼ାରେ ପରିଣତ କରାଯାଏ। ଥରେ ଏହା ହୋଇଯିବା ପରେ କପଡ଼ା ଧୋଇବା ପାଇଁ ପଠାଯିବା ସହ କପଡ଼ାକୁ ଟେଲରିଂ ୟୁନିଟକୁ ପଠାଯାଏ। ଯେଉଁଠି କର୍ମଚାରୀଙ୍କ ପାଇଁ ୟୁନିଫର୍ମ ସିଲେଇ କରାଯ‌ାଏ। ଏକ ସାର୍ଟ ତିଆରି କରିବା ପାଇଁ ପ୍ରାୟ ୪୦ଟି ବୋତଲ ଏବଂ ଗୋଟିଏ ଟ୍ରାଉଜର ତିଆରି କରିବା ପାଇଁ ୪୫ଟି ବୋତଲ ଲାଗେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର