ମାଲେସିଆର ଏରିକା ବୈଦୁରି ନାମ୍ନୀ ଜଣେ ମହିଳା ଉଦ୍ୟୋଗୀ ତଥା ସୋସିଆଲ ମିଡିଆ ଇନ୍ଫ୍ଳୁଏନ୍ସର ନିକଟରେ ଏକ ଫାଙ୍କା ସିନେମା ହଲ୍ର ଭିଡିଓ ଛାଡ଼ି ଚହଳ ସୃଷ୍ଟି କରିଛନ୍ତି। ଏକ ବ୍ୟକ୍ତିଗତ ସିନେମା ଅନୁଭୂତି ହାସଲ କରିବା ପାଇଁ ସେ ଉକ୍ତ ସିନେମା ହଲ୍ର ସମସ୍ତ ଟିକେଟ ଖରିଦ କରିଦେଇଥିବାର ଦାବି କରିଛନ୍ତି। ଗତ ୩ ତାରିଖରେ ସାମାଜିକ ଗଣମାଧ୍ୟମରେ ସେ ଛାଡ଼ିଥିବା ସେହି ଭିଡିଓ ଖୁବ୍ ଶୀଘ୍ର ବ୍ୟାପକ ପ୍ରସାର ଲାଭ କରିବା ସହ ଏକ ବିତର୍କ ଛିଡ଼ା କରାଇଛି। ବିବାଦ ସତ୍ତ୍ବେ ବୈଦୁରି ଉକ୍ତ ଭିଡିଓକୁ ମଜାରେ ତିଆରି କରିଛନ୍ତି ବୋଲି ଏକ ସାକ୍ଷାତକାରରେ ସଫେଇ ଦେଇଛନ୍ତି।
ଉଲ୍ଲେଖନୀୟ ଆକର୍ଷଣ ହାସଲ କରିଥିବା ବୈଦୁରିଙ୍କର ଏହି ଭିଡିଓରେ ସେ ଏକ ଫାଙ୍କା ସିନେମା ହଲ୍ରେ ଏକୁଟିଆ ବସି ଚଳଚ୍ଚିତ୍ରର ଆରମ୍ଭ ଅପେକ୍ଷାରେ ପପ୍କର୍ଣ୍ଣ ଖାଉଥିବା ଦେଖାଯାଇଛି। ସେ ‘ଇଣ୍ଟ୍ରୋଭର୍ଟ’ ବା ଅନ୍ତର୍ମୁଖୀ ହୋଇଥିବାରୁ ଭିଡ଼ ପସନ୍ଦ କରନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସାକ୍ଷାତକାରରେ ସେ ଆହୁରି କହିଛନ୍ତି ଯେ ଅନ୍ଲାଇନ୍ ବିତର୍କ ତାଙ୍କୁ ମନୋରଞ୍ଜନ ଯୋଗାଇଥାଏ ଏବଂ କମେଣ୍ଟ ବକ୍ସରେ ଲୋକଙ୍କ ଲଢ଼େଇ ଦେଖିବା ତାଙ୍କୁ ଆନନ୍ଦ ଦେଇଥାଏ, ତେଣୁ ସେ ଏପରି କରିଛନ୍ତି। ତାଙ୍କ ଭିଡିଓକୁ ନେଇ ଶହ ଶହ ମିଶ୍ର ଟିପ୍ପଣୀ ଆସିବାରେ ଲାଗିଛି। ହଲ୍ର ସମୁଦାୟ ଟିକେଟ୍ କିଣିବାରେ ତାଙ୍କୁ ହାରାହାରି ଲକ୍ଷେ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥିଲା। ତେବେ ତାଙ୍କର ଏଭଳି ପଦକ୍ଷେପକୁ ଅପବ୍ୟୟ ଓ ଦେଖେଇହେବା ପ୍ରକୃତି କହି ଅନେକ ଲୋକ ସମାଲୋଚନା କରୁଛନ୍ତି।