ବାଙ୍କା: ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ମହିଳାମାନେ ସାବିତ୍ରୀ ବ୍ରତ କରିଥାନ୍ତି। ହେଲେ ନିଜ ସାଙ୍ଗ ପାଇଁ ମହିଳା ବେଶରେ ସଜେଇ ହୋଇ ସାବିତ୍ରୀ ପୂଜା କରିବାକୁ ଜଣେ ଯୁବକ ଆସିଥିଲେ। ବିହାରର ବାଙ୍କା ଜିଲ୍ଲାରେ ଯୁବକଙ୍କୁ ଏପରି କରୁଥିବାର ଦେଖି ସେହି ଅଞ୍ଚଳର ଅନେକ ଲୋକ ଏକାଠି ହୋଇଥିଲେ। ପରେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଲା।
ସୂଚନାନୁସାରେ, ଗତ ଶୁକ୍ରବାର ସାବିତ୍ରୀ ବ୍ରତ ସବୁଆଡ଼େ ପାଳନ କରାଯାଇଥିଲା। ଏହି ଦିନ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଉପବାସ ରଖନ୍ତି ଏବଂ ବର ଗଛକୁ ପୂଜା କରନ୍ତି। ତେବେ, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବା ଏକ ଘଟଣା ବାଙ୍କା ଜିଲ୍ଲାର ବାନ୍ଧୁଆ କୁରାୱା ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ମାନିଆରପୁର ନିକଟରେ ଘଟିଛି। କପିଳଦେବ ମଣ୍ଡଳ ନାମକ ଜଣେ ୨୬ ବର୍ଷୀୟ ଯୁବକ ଶାଢ଼ି ପିନ୍ଧି ସଜେଇ ହୋଇ ରୀତି ଅନୁଯାୟୀ ନିଜ ବନ୍ଧୁ ନୀତେଶଙ୍କ ପାଇଁ ସାବିତ୍ରୀ ପୂଜା କରୁଥିବା ଦେଖିବାକୁ ମିଳିଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି ମହିଳା ବେଶରେ ସଜେଇ ହୋଇ ସାବିତ୍ରୀ ପୂଜା କରିଥିବା ମଣ୍ଡଳ ୬ ବର୍ଷ ପୂର୍ବେ ଜଣେ ମହିଳାଙ୍କୁ ବିବାହ କରିଥିଲେ ଏବଂ ଯାହା ପାଇଁ ସେ ପୂଜା କରୁଥିଲେ ସେ ଅବିବାହିତ। ଯୁବକ ଜଣକ କହିଛନ୍ତି ଯେ, ସେ ପ୍ରଥମଥର ପାଇଁ ସାବିତ୍ରୀ ପୂଜା କରିଛନ୍ତି। ମହିଳାମାନଙ୍କୁ ଏହି ପୂଜା କରୁଥିବା ଦେଖିବା ପରେ ସେ ମହିଳାଙ୍କ ପରି ପୂଜା କରି ନିଜ ବନ୍ଧୁଙ୍କ ପାଇଁ ପୂଜା କରିବାର ଅନୁଭବ କରିବାକୁ ଚାହୁଁଥିଲେ।