କୋର୍ଟ, ପ୍ୟାଣ୍ଟ, ଜୋତା ଓ ଟାଇ ପିନ୍ଧି ଗୁପଚୁପ ବିକ୍ରି କରୁଥିବା ଯୁବକଙ୍କୁ ଦେଖି ଲୋକେ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: କୋର୍ଟ, ପ୍ୟାଣ୍ଟ, ଜୋତା ଓ ଟାଇ ପିନ୍ଧି ଠେଲାରେ ଗୁପଚୁପ ବିକୁଥିବା ଜଣେ ଯୁବକଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇ ଗୁପଚୁପ ବିକ୍ରି କରୁଥିବା ଯୁବକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ୟୁଟ୍ୟୁବର ହେରି ଉପ୍ପଲ ଏହି ଗୁପଚୁପ ବିକ୍ରେତାଙ୍କ ଭିଡିଓ ସେୟାର କରିଛନ୍ତି।

ଯେଉଁଥିରେ ପଞ୍ଜାବର ମୋହାଲିର ଜଣେ ଯୁବକ ଠେଲାରେ ଚାଟ, ଗୁପଚୁପ ଓ ପାମ୍ପଡ଼ଚାଟ ଆଦି ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ତେବେ ଉକ୍ତ ଯୁବକଙ୍କ ପୋଷାକ ପରିଧାନ ଚର୍ଚ୍ଚାରେ ରହିଛି। ତାଙ୍କ ପୋଷାକ ପରିଧାନକୁ ଦେଖି ଲାଗୁଛି ଯେମିତି ସେ କୌଣସି କମ୍ପାନିରେ କାର୍ଯ୍ୟରତ ଅଛନ୍ତି। ଧଳାରଙ୍ଗର ସାର୍ଟ ସହିତ କୋର୍ଟ ପ୍ୟାଣ୍ଟ ପିନ୍ଧିଥିବା ବେଳେ ବେକରେ ଏକ ଟାଇ ବି ବାନ୍ଧିଛନ୍ତି ଯୁବକ। ଯୁବକଙ୍କ ଏହି ଠେଲାରେ ଚାରି/ପାଞ୍ଚ ଜଣ ଅନ୍ୟ ଲୋକ ବି କାମ କରୁଛନ୍ତି।

ୟୁଟ୍ୟୁବର ହେରି ଉପ୍ପଲଙ୍କ ସହିତ ଆଲୋଚନା ବେଳେ ଯୁବକ ଜଣକ କହିଥିଲେ କି ସେ ହୋଟେଲ ମ୍ୟାନେଜମେଣ୍ଟ ପାଠପଢ଼ିଛନ୍ତି। ଡେଲିଭରି ବଏ ଭାବେ ବି କାମ କରିଛନ୍ତି। ସଞ୍ଚୟ କରିଥିବା କିଛି ଟଙ୍କା ବ୍ୟୟ କରି ସେ ଏହି ଗୁପଚୁପ ଠେଲା ଆରମ୍ଭ କରିଛନ୍ତି। ଏହି ଠେଲାକୁ ସେମାନେ ଦୁଇଭାଇ ମିଶି ଚଲାଇ ଥାଆନ୍ତି।

ଆଉ ପୋଷାକ ପରିଧାନକୁ ନେଇ କହନ୍ତି, ‘ପ୍ରଥମେ ଯେତେବେଳେ ମୁଁ ଏହି ବ୍ୟବସାୟ ଆରମ୍ଭ କରିଥିଲି ପରିବାର ଠାରୁ ଲୁଚି କି କରିଥିଲି। ତେଣୁ ଘରୁ ମୁଁ ବାହାରିବା ସମୟରେ ଏମିତି କୋର୍ଟ, ପ୍ୟାଣ୍ଟ ପିନ୍ଧି କମ୍ପାନିକୁ କାମ କରିବାକୁ ଯାଉଛି ବୋଲି କହି ବାହାରି ଯାଇଥାଏ। ପରେ ପରିବାରଲୋକ ମୋ କାମ ବିଷୟରେ ଜାଣିଥିଲେ। ଭଲ ରୋଜଗାର ହେଉଥିବା ଜାଣି ସେମାନେ ବି ସମର୍ଥନ କରିଥିଲେ। ସେବେଠାରୁ ଏଭଳି ପୋଷାକ ପରିଧାନ କରି ଗୁପଚୁପ ବିକ୍ରି କରିବା ଏକ ଅଭ୍ୟାସ ହୋଇଯାଇଛି। ଆଉ ସାଧାରଣ ପୋଷାକ ପିନ୍ଧିବାକୁ ଇଚ୍ଛା ହେଉନାହିଁ।’

ଏହି ଯୁବକଙ୍କ ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି, ଏହି ଯୁବକ କୋଟିପତି ହେବାକୁ ଯାଉଛନ୍ତି। ଏଥିସହିତ ଅନ୍ୟ ଜଣେ ଯୁବକଙ୍କ କାମକୁ ଭୁରଭୁରି ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର