ଭାରତୀୟ ପୁରାଣରେ ବର୍ଣ୍ଣିତ ପଞ୍ଚସରୋବର ମଧ୍ୟରେ ବ୍ରହ୍ମ ସରୋବର ପରିଗଣିତ ନ ହେଲେ ମଧ୍ୟ, ଏହି ସରୋବର ପବିତ୍ର କୁରୁକ୍ଷେତ୍ରର ପରିସୀମା ମଧ୍ୟରେ ଅବସ୍ଥିତ ହୋଇଥିବାରୁ, ଏହା ଏକ ମହାନ ସରୋବରର ମାନ୍ୟତା ଲାଭ କରିଛି। ବିଶେଷକରି ସୂର୍ଯ୍ୟୋପରାଗ ସମୟରେ ପାପମୋଚନ ନିମିତ୍ତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ସରୋବରରେ ସ୍ନାନ କରିଥାଆନ୍ତି। କଥିତ ଅଛି, ବ୍ରହ୍ମା ଯେତେବେଳେ ବ୍ରହ୍ମାଣ୍ଡ ନିର୍ମାଣ କରିବାକୁ ମନସ୍ଥ କଲେ, ଉତ୍ତର ଭାରତର ହରିଆନା ପ୍ରଦେଶରେ ଅବସ୍ଥିତ କୁରୁକ୍ଷେତ୍ରଠାରେ ଏକ ବିଶାଳ ଯଜ୍ଞର ଆୟୋଜନ କଲେ। ହିତେଶଙ୍କ ସାହାଯ୍ୟରେ ଏ ଯଜ୍ଞ ସଂପନ୍ନ କରି, ସେ ସୃଷ୍ଟି ରଚନା କଲେ। ତେଣୁ କୁହାଯାଏ, କୁରୁକ୍ଷେତ୍ର ହେଉଛି ସଭ୍ୟତାର ଆଦିପୀଠ। ପରବର୍ତ୍ତୀକାଳରେ କୁରୁବଂଶର ପ୍ରତିଷ୍ଠାତା ମହାରାଜ କୁରୁ ଏହି ସ୍ଥାନକୁ କର୍ଷଣ କଲେ ଏବଂ ବ୍ରହ୍ମାଙ୍କର ନାମାନୁସାରେ ତାହା ବ୍ରହ୍ମସରୋବର ହେଲା।
‘ମହାଭାରତ’ର ବର୍ଣ୍ଣନା ଅନୁସାରେ, ଏହି ସରୋବର ତୀରରେ ମହାଭାରତ ଯୁଦ୍ଧର ଶେଷପର୍ବ ଅର୍ଥାତ୍ ଭୀମ ଓ ଦୁର୍ଯ୍ୟୋଧନଙ୍କ ମଧ୍ୟରେ ଗଦାଯୁଦ୍ଧ ଅନୁଷ୍ଠିତ ହୋଇଥିଲା। କାରଣ ଏହି ସରୋବରର ଜଳ ମଧ୍ୟରେ ଦୁର୍ଯ୍ୟୋଧନ ଆତ୍ମଗୋପନ କରି ରହିଥିଲା। ମହାଭାରତ ଯୁଦ୍ଧରେ ବିଜୟଲାଭ କଲା ପରେ, ସରୋବର ମଧ୍ୟରେ ଯୁଧିଷ୍ଠିର ଏକ ସ୍ତମ୍ଭ ନିର୍ମାଣ କରିଥିଲେ। ସେହି ସ୍ତମ୍ଭପାଖରେ ଏକ କୁଣ୍ଡ ରହିଛି। ଏହାକୁ ‘ଦ୍ରୌପଦୀ କୂପ’ କୁହାଯାଏ। ଏଠାରେ ଦ୍ରୌପଦୀ ଦୁଃଶାସନର ରକ୍ତରେ ନିଜର କେଶକୁ ଧୋଇଥିଲେ। ସରୋବରର ମଧ୍ୟଭାଗରେ ଏକ ଶିବ ମନ୍ଦିର ରହିଛି। କଥିତ ଅଛି, ଏଠାରେ ବ୍ରହ୍ମା ଶିବଲିଙ୍ଗ ପ୍ରତିଷ୍ଠା କରି ଶିବଙ୍କୁ ପୂଜା କରୁଥିଲେ। କଥିତ ଅଛି, ମହାଭାରତ ଯୁଦ୍ଧ କାଳରେ ଏହି ମନ୍ଦିର ଦିନରେ ନଷ୍ଟ ହୋଇଯାଏ ଏବଂ ରାତ୍ର କାଳରେ ନବନିର୍ମିତ ହୋଇଯାଏ। ସଂପ୍ରତି ସର୍ବେଶ୍ୱରଙ୍କୁ ଦର୍ଶନ କରିବା ନିମିତ୍ତ ଏହି ମନ୍ଦିରକୁ ଏକ ପଥ ନିର୍ମିତ ହୋଇଛି। ଶ୍ରଦ୍ଧାଳୁମାନେ ସେହି ବାଟ ଦେଇ ଦର୍ଶନକୁ ଯାଆନ୍ତି।
ବ୍ରହ୍ମ ସରୋବର ଏସିଆର ସର୍ବବୃହତ୍ ସରୋବର। ଏହାର ଦୈର୍ଘ୍ୟ ୩୬୦୦ ଫୁଟ, ପ୍ରସ୍ଥ ୧୫୦୦ ଫୁଟ ଓ ଗଭୀରତା ୪୫ ଫୁଟ। ପ୍ରତ୍ୟେକ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତରେ ଏଠାରେ ବ୍ରହ୍ମଆଳତି ହୁଏ। ପ୍ରତ୍ୟେକ ବର୍ଷ ଏଠାରେ ଦୀପଦାନ ମହୋତ୍ସବ ଓ ଗୀତାଜୟନ୍ତୀ ଅନୁଷ୍ଠିତ ହୁଏ। ଏହି ସରୋବରର ପ୍ରତ୍ୟେକ ଘାଟ ମହାଭାରତର ଚରିତ୍ରମାନଙ୍କ ନାମରେ ନାମିତ। ଏହାର ଚତୁପାର୍ଶ୍ବରେ ଅନେକ ମନ୍ଦିର ରହିଛି। ଭାରତର ପ୍ରଧାନ ତିରିଶ ତୀର୍ଥ ମଧ୍ୟରେ ବ୍ରହ୍ମ ସରୋବର ଅନ୍ୟତମ।