ହାଇଦ୍ରାବାଦ୍: ମସ୍ତିଷ୍କ ଅକାମୀ(ବ୍ରେନ୍ ଡେଡ୍) ହେଇ ଯାଇଥିବା ଜଣେ ବ୍ୟକ୍ତିଙ୍କର ଫୁସଫୁସକୁ ସୋମବାର ଦିନ କୋଲକାତାରୁ ବିମାନ ଯୋଗେ ହାଇଦ୍ରାବାଦ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ଦାନ କରାଯାଇଛି। ଫଳରେ ସେ ଏକ ନୂଆ ଜୀବନ ଲାଭ କରିବାରେ ସକ୍ଷମ ହୋଇଛନ୍ତି। ବ୍ରେନଡେଡ୍ ରୋଗୀଙ୍କ ପରିବାର ପକ୍ଷରୁ ଅଙ୍ଗଦାନ ଲାଗି ସ୍ବୀକୃତି ଦିଆଯିବା ପରେ ଏହା ସମ୍ଭବ ହୋଇଛି।
ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାର ପୁଲିସ୍ ବିଭାଗ ସହାୟତାରେ ତେଲେଙ୍ଗାନାର ଜିୱାନ୍ ଫାଉଣ୍ଡେସନ୍ ଏବଂ ଆଞ୍ଚଳିକ ଅର୍ଗାନ ଆଣ୍ଡ୍ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ( ରୋଟୋ)ର ମିଳିତ ଉଦ୍ୟମରେ ସବୁଜ କରିଡର ଗଠନ କରାଯାଇ ଫୁସ୍ଫୁସ୍କୁ ଉଚିତ ସମୟରେ ଡାକ୍ତରଖାନାରେ ପହଞ୍ଚା ଯାଇଥିବା ସୂଚନା ରହିଛି।
ଶନିବାର ଦିନ କୋଲକାତାର ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁରୋ ସାଇନ୍ସରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କର ମସ୍ତିଷ୍କ ଅକାମୀ ହୋଇ ଯାଇଥିବା ଜଣାପଡ଼ିବା ପରେ ତାଙ୍କର ସମ୍ପର୍କୀୟମାନେ ତାଙ୍କ ଅଙ୍ଗଦାନ କରିବା ପାଇଁ ଚିନ୍ତା କରିଥିଲେ।
/sambad/media/post_attachments/wp-content/uploads/2020/08/180248-lungsweb-300x180.jpg)
ବ୍ରେନ୍ ଡେଡ୍ ଏହି ରୋଗୀଙ୍କ ଅଙ୍ଗଦାନ କରିବା ପାଇଁ ସଂପର୍କୀୟମାନେ ଘୋଷଣା କରିବା ପରେ ତେଲେଙ୍ଗାନାର ଜିୱାନ୍ ଫାଉଣ୍ଡେସନ ଇନଚାର୍ଜ ଡକ୍ଟର ସ୍ବର୍ଣ୍ଣଲତା, ରୋଟୋ ନିର୍ଦ୍ଦେଶକ (ପୂର୍ବାଞ୍ଚଳ ଜୋନ୍) ଡକ୍ଟର ମଣିମୟ ବନ୍ଦୋପାଧ୍ୟାୟ ଏବଂ ରୋଟୋ ଯୁଗ୍ମ ନିର୍ଦ୍ଦେଶକ (ପୂର୍ବାଞ୍ଚଳ ଜୋନ୍) ଡକ୍ଟର ଅର୍ପିତା ରାଇଚୌଧୁରୀଙ୍କ ମିଳିତ ଉଦ୍ୟମରେ ହାଇଦ୍ରାବାଦସ୍ଥିତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଖରେ ଫୁସ୍ଫୁସ୍ ପହଞ୍ଚି ପାରିଥିଲା।
ଏ ନେଇ ଡକ୍ଟର ସ୍ବର୍ଣ୍ଣଲତା କହନ୍ତି, ‘ମହାମାରୀ କରୋନା ପାଇଁ ଦେଶରେ ଅଙ୍ଗ ଦାନ କାର୍ଯ୍ୟକ୍ରମ ପ୍ରାୟ କମି ଯାଇଥିବା ବେଳେ ଆମେ ଯେତେବେଳେ ଏବଂ ଯେଉଁଠାରେ ସମ୍ଭାବନା ଦେଖୁ ଅଙ୍ଗ ଯୋଗାଡ଼ କରିବାର ଉଦ୍ୟମ ଜାରି ରଖିଥାଉ। ପୂର୍ବରୁ ବି ଏହି ଭଳି ଭାବେ ଜଣେ ରୋଗୀଙ୍କ ଶରୀରରେ ଫୁସ୍ଫୁସ୍ ପ୍ରତିରୋପଣ ହୋଇସାରିଛି।’
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗତ ୧୦ ଦିନ ମଧ୍ୟରେ ହାଇଦ୍ରାବାଦର କିମସ୍ ହାର୍ଟ ଏବଂ ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ ଇନଷ୍ଟିଚ୍ୟୁଟରେ ଏହା କ୍ରମାଗତ ଦ୍ୱିତୀୟ ଫୁସଫୁସ ପ୍ରତିରୋପଣ ଥିଲା।