ସୁଖ ସ୍ବଚ୍ଛନ୍ଦରେ ଜୀବନ ବିତାଇବା ପାଇଁ ଲୋକମାନେ କାଠ ତିଆରି ବେଞ୍ଚ, ଚେୟାର, ଆଲଣା,ଆଲମିରା, ଖଟ ଆଦିର ବ୍ୟବହାର ଘରେ ସାଧାରଣତଃ କରିଥାନ୍ତି। ପରେ ଏ କ୍ଷେତ୍ରରେ ଲୁହା, ଇସ୍ପାତ, ଆଲୁମିନିୟମ ଆଦି ଧାତୁରେ ନିର୍ମିତ ଆସବାବପତ୍ର ବଜାରକୁ ଆସିଛି। ପ୍ଲାଷ୍ଟିକ ଯୁଗ ଆରମ୍ଭ ହେବା ପରେ ପ୍ଲାଷ୍ଟିକ ନିର୍ମିତ ସରଞ୍ଜାମ ବିକ୍ରି ହେଉଛି। ଫଳରେ ଗ୍ରାହକଙ୍କ ପାଇଁ ଏବେ ଫର୍ଣ୍ଣିଚରର ବ୍ୟାପକ ବର୍ଗ ଉପଲବ୍ଧ ହେଉଛି। ଅନ୍ୟପଟେ ଲୋକଙ୍କ ଆୟ ବୃଦ୍ଧି ପାଇଛି। ସିନେମା ଏବଂ ଟିଭି ଦ୍ବାରା ବଡ଼ ସହରର ଆଧୁନିକ ଜୀବନଶୈଳୀର ପ୍ରଭାବ ଲୋକଙ୍କ ଉପରେ ପଡ଼ୁଛି।
ପୂର୍ବରୁ ଲୋକମାନେ ଆବଶ୍ୟକତା ଅନୁସାରେ ଘର ପାଇଁ ଆସବାବପତ୍ର କିଣୁଥିଲେ। ପରିବାରର ଏକାଧିକ ସଦସ୍ୟ ମଳିତଭାବେ ସେଗୁଡ଼ିକୁ ବ୍ୟବହାର କରୁଥିଲେ। କିନ୍ତୁ ସମୟ ବଦଳିବା ସହିତ ଏସବୁ ଏବେ ବ୍ୟକ୍ତିଗତ ବ୍ୟବହାର ବସ୍ତୁ ପାଲଟିଯାଇଛି। ଏବେ ରେଡିମେଡ୍ ଯୁଗରେ ଲୋକମାନେ ବଜାରରୁ ମଧ୍ୟ ସଙ୍ଗେସଙ୍ଗେ ନିଜ ପସନ୍ଦ ମୁତାବକ ସାମଗ୍ରୀ କିଣିବା ସୁବିଧା ପାଇଯାଉଛନ୍ତି। ଏବେ ଫର୍ଣ୍ଣିଚର ବ୍ୟବହାର କେବଳ ଧନୀ ଓ ମଧ୍ୟବିତ୍ତ ପରିବାରରେ ସୀମିତ ନାହିଁ, ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାର ଗୁଡ଼ିକ ମଧ୍ୟ ଫର୍ଣ୍ଣିଚର କିଣୁଛନ୍ତି। ଘରର ସାଜସଜ୍ଜା ସହ ସୌନ୍ଦର୍ଯ୍ୟ ବୃଦ୍ଧିରେ ଆସବାବପତ୍ର ଏବେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶରେ ପରିଣତ ହୋଇଛି। ଏହି ପ୍ରସଙ୍ଗକୁ ନେଇ ଆମର ଏହି ସ୍ବତନ୍ତ୍ର ଉପସ୍ଥାପନା...
ହୋମ ଫର୍ଣ୍ଣିଚର: ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାମ
ଓଡ଼ିଶାରେ ବ୍ରାଣ୍ଡେ୍ଡ କମ୍ପାନି ଗୁଡ଼ିକ ଭିନ୍ନ ଭିନ୍ନ ମୂଲ୍ୟ ଦାମ୍ର ଫର୍ଣ୍ଣିଚରର ବିକ୍ରି କରୁଛନ୍ତି। ଜୋତା ଷ୍ଟାଣ୍ଡ୍ ଠାରୁ ଆରମ୍ଭ କରି ବହି ରୢାକ, ଆଲଣା, ଟେବୁଲ, ଚେୟାର, ଆଲମିରା, ଖଟ, ସୋଫା ସମେତ ଘର ସାଜସଜ୍ଜା ସାମଗ୍ରୀ ବିକ୍ରି କରୁଛନ୍ତି। ବିଭିନ୍ନ ପ୍ରକାର ଫର୍ଣ୍ଣିଚର ଦାମ ଭିନ୍ନ ଭିନ୍ନ ରହିଛି। ଛୋଟ ଛୋଟ ଫର୍ଣ୍ଣିଚର ମୂଲ୍ୟ ୫୦୦ ଟଙ୍କାରୁ ଆରମ୍ଭ ହେଉଛି। ବ୍ରାଣ୍ଡେଡ୍ ବେଡ୍ର ଦାମ୍ ୭ ହଜାର ଟଙ୍କାରୁ ଓ ସେଫାର ଦାମ୍ ୨୨ ହଜାର ଟଙ୍କାରୁ ଆରମ୍ଭ ହୋଇ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।
ଫର୍ଣ୍ଣିଚରର ପ୍ରକାର
ଫଣ୍ଣିଚରଗୁଡ଼ିକୁ ମୋଟାମୋଟି ଭାବେ ତିନିଟି ବର୍ଗରେ ବିଭକ୍ତ କରାଯାଇଥାଏ। ସେଗୁଡ଼ିକ ହେଲା ହୋମ୍, ଅଫିସ୍ ଏବଂ ଆଉଟଡୋର୍। ଘରେ ବ୍ୟବହୃତ ଫର୍ଣ୍ଣିଚର ହୋମ୍ ଫର୍ଣ୍ଣିଚର ବର୍ଗରେ, କାର୍ଯ୍ୟାଳୟର ଫର୍ଣ୍ଣିଚର ଅଫିସ୍ ଫର୍ଣ୍ଣିଚର ଏବଂ ଥିଏଟର, ସ୍ବିମିଂ ପୁଲ, ଷ୍ଟାଡିୟମ, ଛାତ ଉପର ଗାର୍ଡେନ ଆଦିରେ ଲାଗୁଥିବା ଫର୍ଣ୍ଣିଚର ଆଉଟଡୋର ଫର୍ଣ୍ଣିଚର ବର୍ଗରେ ଆସୁଛି।
ଗ୍ରାମାଞ୍ଚଳରେ ବି ବଢ଼ୁଛି ବ୍ୟବହାର
ସୋଫା, ଡାଇନିଂ ସେଟ୍, ଚେୟାର, ଟେବୁଲର ବ୍ୟବହାର କେବଳ ସହରାଞ୍ଚଳ ବା ଅର୍ଦ୍ଧ ସହରାଞ୍ଚଳରେ ସୀମିତ ରହିନାହିଁ। ଗ୍ରାମାଞ୍ଚଳର ଲୋକମାନେ ମଧ୍ୟ ସେମାନଙ୍କ ଘରେ ଏସବୁ ସାମଗ୍ରୀର ବହୁଳ ବ୍ୟବହାର କଲେଣି। ଏଥିସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ହୋଟେଲ ଏବଂ କାର୍ଯ୍ୟାଳୟ ଖୋଲିଛି। ସେସବୁ ସଂସ୍ଥା ଗୁଡ଼ିକ ବହୁମାତ୍ରାରେ ଫର୍ଣ୍ଣିଚର କିଣୁଛନ୍ତି। ବିଶେଷକରି ଚେୟାର, ଟେବୁଲ, ଖଟ, ୱାର୍ଡରୋବ୍, ସୋଫା, ଡାଇନିଂ ଟେବୁଲ, ସୁ ରୢାକ୍ର ବିକ୍ରି ବଢ଼ିଯାଇଛି।
ବାହାଘର ସମୟରେ ଅଧିକ ବିକ୍ରି
କେବଳ ନିଜର ବ୍ୟବହାର ପାଇଁ ଲୋକମାନେ ଫର୍ଣ୍ଣିଚର କିଣୁନାହାନ୍ତି ବାହାଘରରେ ଝିଅକୁ ଗାଡ଼ି, ଟିଭି, ଫ୍ରିଜ ଆଦି ଇଲେକଟ୍ରୋନିକ୍ସ ସାମଗ୍ରୀ ସହିତ ଖଟ, ସୋଫା, ଆଲଣା, ଆଲମିରା, ଡାଇନିଂ ସେଟ୍ ପରି ଭଳିକି ଭଳି ରକମର ଫର୍ଣ୍ଣିଚର ଦେଉଛନ୍ତି। ଏଥିପାଇଁ ବାହାଘର ସିଜନ୍ରେ ସାଧାରଣତଃ ଏହି ବଜାର ଅଧିକ ଚଳଚଞ୍ଚଳ ହୋଇଉଠୁଛି। ଆସବାବପତ୍ରର ଚାହିଦା ବଢ଼ିଯାଇଛି। ଏହାକୁ ଦୃଷ୍ଟିରେ ରଖି ଫର୍ଣ୍ଣିଚର ନିର୍ମାତା ଓ ସୋ’ରୁମ୍ ଗୁଡ଼ିକ ବିଭିନ୍ନ ପ୍ରକାର ଅଫର ଘୋଷଣା କରି ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି।
ସମସ୍ୟା ଓ ଆହ୍ବାନ
ହୋମ୍ ଫର୍ଣ୍ଣିଚର ଏବଂ ଡେକୋର ବ୍ୟବସାୟ ଅନେକ ସମସ୍ୟା ଦେଇ ଗତି କରୁଛି। ମୁଖ୍ୟ କଞ୍ଚାମାଲ କାଠର ଘୋର ଅଭାବ ରହିଛି। ଦ୍ବିତୀୟତଃ ଉନ୍ନତମାନର ମାନବ ସମ୍ବଳର ଅଭାବ ଏବଂ ଉଚ୍ଚ ମୂଲ୍ୟ ମଧ୍ୟ ଏହି ଶିଳ୍ପ ପାଇଁ ଆଉ ଏକ ସମସ୍ୟା । ଏସବୁ ପାଇଁ ରାଜ୍ୟର ସହରଗୁଡ଼ିକରେ ଜାତୀୟ ସ୍ତରର ବ୍ରାଣ୍ଡ୍ ଗୁଡ଼ିକ ସହିତ ରାଜ୍ୟର ବ୍ୟବସାୟୀମାନେ ପ୍ରତିଯୋଗିତା କରିବା ସହଜ ହେଉନାହିଁ। ପାରମ୍ପରିକ ଏବଂ କୁଶଳୀ ଶ୍ରମିକଙ୍କୁ ନେଇ ଯଦି ରାଜ୍ୟର ବିଭିନ୍ନ ସ୍ଥାନରେ ବଡ଼ବଡ଼ କାରଖାନା ସ୍ଥାପନ କରାଯାଇ ପାରନ୍ତା ଗ୍ରାହକଙ୍କୁ କମ୍ ମୂଲ୍ୟରେ ବିଜ୍ଞାନସମ୍ମତ ଫର୍ଣ୍ଣିଚର ମିଳିପାରନ୍ତା ବୋଲି ଅନେକ ବଜାର ବିଶ୍ଳେଷକ କୁହନ୍ତି।