ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ : ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୧୯

ମିଡିୟମ୍‌

ପ୍ଲାଟିନମ୍‌

ଜ୍ୟୋତି ମୋଟର୍ସ

ନିଜେ କିଛି କରିଦେଖାଇବାର ସ୍ବପ୍ନ ଆଜି ଦେବଜ୍ୟୋତି ପଟ୍ଟନାୟକଙ୍କୁ ଓଡ଼ିଶାର ଅଟୋମୋବାଇଲ୍ କାରବାର ଜଗତରେ ଶୀର୍ଷ ସ୍ଥାନରେ ପହଞ୍ଚାଇଛି। ନିଜ ସାଙ୍ଗମାନେ ବାଇକ୍‌ରେ କଲେଜ ଯାଉଥିବା ବେଳେ ଦେବଜ୍ୟୋତିଙ୍କୁ ବାଇକ୍ ଚଲାଇବାର ଅନୁମତି ମିଳୁନଥିଲା। କିନ୍ତୁ ପିଲାଟି ଦିନରୁ ନିଜେ କିଛି କରିବାର ସ୍ବପ୍ନ ଦେଖୁଥିଲେ। ନିଜ ସ୍ବପ୍ନକୁ ସେ ସାକାର କରିପାରିଛନ୍ତି। ଜ୍ୟୋତି ଗ୍ରୁପ୍ ଏବେ ତାଙ୍କ ଅଧୀନରେ ପରିଚାଳିତ ହେଉଛି। ଏହି ଗ୍ରୁପ୍‌ ଅଧୀନରେ ୧୪ଟି ଅଟୋମୋବାଇଲ୍ ଡିଲରସିପ୍ ରହିଛି ଏବଂ ଏହା ୫ଟି ବିଭିନ୍ନ ଅଟୋମୋବାଇଲ୍‌ ବ୍ରାଣ୍ଡ୍‌ର ଗାଡ଼ି ବିକ୍ରି କରୁଛି। ଦେବଜ୍ୟୋତି ନିଜ ପରିବାର ଦ୍ବାରା ପରିଚାଳିତ ହେଉଥିବା ଏକ ଗଣମାଧ୍ୟମ ସଂସ୍ଥାରେ ମାର୍କେଟିଂ ଏକ୍‌ଜିକ୍ୟୁଟିଭ୍ ଭାବେ କାମ ଆରମ୍ଭ କରିଥିଲେ। କଠିନ ପରିଶ୍ରମ କରୁଥିବା ଦେବଜ୍ୟୋତି କିଛି ଦିନ ଭିତରେ କଂପାନିର ବିକ୍ରି ଓ ମାର୍କେଟିଂ ମୁଖ୍ୟ ପଦରେ ଅବସ୍ଥାପିତ ହୋଇଥିଲେ। କିନ୍ତୁ ନିଜ ସ୍ବପ୍ନକୁ ସେ ଭୁଲି ପାରିନଥିଲେ। ୧୯୯୬ ମସିହାରେ ସେ ଟିଭିଏସ୍‌ର ଡିଲରସିପ୍ ଭୁବନେଶ୍ବରକୁ ଆଣି ନିଜ ଉଦ୍ୟୋଗୀ ହେବାର ଯାତ୍ରା ଆରମ୍ଭ କରିଥିଲେ। ଗ୍ରାହକଙ୍କୁ ସନ୍ତୁଷ୍ଟ କରିବାର କଳା ତାଙ୍କୁ ‌ଅଟୋମୋବାଇଲ ଜଗତରେ ଏତେ ପରିଚିତ କରିଥିଲା ଯେ ୧୯୯୯ରେ ତାଙ୍କୁ ଓପେଲ୍‌ର ଡିଲର୍‌ସିପ୍ ମିଳିଥିଲା। ଏହାର ବର୍ଷକ ପରେ ତାଙ୍କୁ ମାରୁତି ସୁଜୁକିର ଅଧିକାରୀମାନେ ସାକ୍ଷାତ କରି ମାରୁତିର ଏକ ଡିଲରସିପ୍ ଖୋଲିବାକୁ ଅନୁରୋଧ କରିଥିଲେ। ଏହା ପରେ ଅନେକ ବର୍ଷ ବିତିଗଲାଣି। ସୁଜୁକି ଏବଂ ହାର୍ଲି ଡାଭିଡ୍‌ସନ୍ ଭଳି ବାଇକ୍‌ ଏବଂ ଅଡି ଭଳି କାରର ଡିଲର୍‌ସିପ୍ ତାଙ୍କ ପାଖରେ ରହିଛି। ମାରୁତିର ନେକ୍ସା ସୋ’ରୁମ୍ ମଧ୍ୟ ତାଙ୍କ ଦ୍ବାରା ପରିଚାଳିତ ହେଉଛି। ନିଜ ଉଦ୍ୟୋଗୀ ଯାତ୍ରାର ୨୨ ବର୍ଷ ଭିତରେ ସେ ଅନେକ ସଫଳତା ହାସଲ କରିଛନ୍ତି। ତାଙ୍କ ଗ୍ରୁପ୍ ଅଧୀନରେ ୧୮୦୦ରୁ ଅଧିକ କର୍ମଚାରୀ କାମ କରୁଛନ୍ତି।

ଗୋଲ୍ଡ

ରାମ୍‌ସ୍ ଆସର୍ଟେଡ୍ କୋଲ୍ଡ ଷ୍ଟୋରେଜ୍ ଲିମିଟେଡ 

ରାମ୍‌ସ୍‌ ଆସର୍ଟେଡ୍ କୋଲ୍ଡ ଷ୍ଟୋରେଜ୍ ଲିମିଟେଡ ହେଉଛି ସୂର୍ଯ୍ୟ ଗ୍ରୁପ୍ ଅଫ୍ କମ୍ପାନିଜ୍‌ର ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ରପ୍ତାନି ଶାଖା। ଏହାର ପରିଚାଳନା ନିର୍ଦେଶକ ଭାବେ ଏବେ ଆଦିତ୍ୟ ଦାଶ କାର୍ଯ୍ୟ କରୁଛନ୍ତି। ତେବେ ସୂର୍ଯ୍ୟ ଗ୍ରୁପ୍‌କୁ ଶ୍ରୀ ଦାଶଙ୍କ ବାପା ହିଁ ଆରମ୍ଭ କରିଥିଲେ। ମା’ଙ୍କ ଗହଣା ବନ୍ଧା ରଖି ଅର୍ଥ ଯୋଗାଡ଼ କରି ୧୯୭୬ ମସିହାରେ ଶ୍ରୀ ଦାଶଙ୍କ ବାପା ଦୁଇଟି ମାଛଧରା ଟ୍ରଲର କିଣିଥିଲେ। ତେବେ ଗତ ୯୦ ଦଶକରେ ଚିଙ୍ଗୁଡ଼ି ବ୍ୟବସାୟ କ୍ଷେତ୍ରରେ ଏହି ଗ୍ରୁପ୍ ଏକ ଅଗ୍ରଣୀ କମ୍ପାନି ଭାବେ ନିଜର ପରିଚୟ ସୃଷ୍ଟି କରିଥିଲା। କିନ୍ତୁ ୧୯୯୯ର ମହାବାତ୍ୟା ଏବଂ ଅନ୍ୟ କେତେକ କାରଣ ଯୋଗୁ କମ୍ପାନିର ଚିଙ୍ଗୁଡ଼ି ବ୍ୟବସାୟରେ ପ୍ରଚୁର କ୍ଷତି ହୋଇଥିଲା। ୨୦୦୬ରେ ୱାସିଂଟନର ଜର୍ଜ ୱାସିଂଟନ୍ ବିଶ୍ବବିଦ୍ୟାଳୟରୁ ଏମବିଏ ଡିଗ୍ରି ହାସଲ କରି ଫେରିବା ପରେ ଶ୍ରୀ ଦାଶ ପାରିବାରିକ ବ୍ୟବସାୟରେ ମନୋ ନିବେଶ କରିଥିଲେ। ପ୍ରଥମେ ସେହିବର୍ଷ ତାଙ୍କ କମ୍ପାନିକୁ ଋଣମୁକ୍ତ କରିଥିଲେ। ଏହାପରେ ତାଙ୍କ ବ୍ୟବସାୟକୁ ସେ ନୂଆ ରୂପ ଦେଇଥିଲେ। ୨୦୦୮ରେ ରାମ୍‌ସ୍ ଆସର୍ଟେଡ୍ କୋଲଡ୍ ଷ୍ଟୋରେଜ ଲିମିଟେଡରେ ସାମୁଦ୍ରିକ ଖାଦ୍ୟର ପ୍ରକ୍ରିୟାକରଣ ଓ ରପ୍ତାନି ଉପରେ ଗୁରୁତ୍ବାରୋପ କରିଥିଲା। ଏହାପରେ କମ୍ପାନିର ବ୍ୟବସାୟରେ ଉନ୍ନତି ଆସିଛି। କମ୍ପାନି ଅଧୀନରେ ୩ ହଜାର ଚିଙ୍ଗୁଡ଼ି ଚାଷୀ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ କମ୍ପାନି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛି। ପ୍ରତ୍ୟକ୍ଷଭାବେ କମ୍ପାନି ଅଧୀନରେ ୫୦୦ ଜଣ କାର୍ଯ୍ୟ କରୁଥିବାବେଳେ ପରୋକ୍ଷଭାବେ ୧୦୦୦ରୁ ଅଧିକ ବ୍ୟକ୍ତି କାର୍ଯ୍ୟ କରୁଛନ୍ତି। କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ମହିଳା ରହିଛନ୍ତି। ରାମ୍‌ସ୍‌ ଆସର୍ଟେଡ କୋଲ୍‌ଡ ଷ୍ଟୋରେଜ ଲିମିଟେଡ ବ୍ୟତୀତ ଗ୍ରୁପ୍‌ର ଅନ୍ୟ କମ୍ପାନି ଯଥା ସୂର୍ଯ୍ୟ ଉଦ୍ୟୋଗ ନିମିଟେଡର ନିର୍ଦେଶକ, ସୂର୍ଯ୍ୟ ଫୁଡ୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଉପ ସଭାପତି, ସୂର୍ଯ୍ୟ ମିଡିଆ ପ୍ରାଇଭେଟ ଲିମିଟେଡ ଏବଂ ଗୋଲଡେନ ଆଙ୍କର ପ୍ରାଇଭେଟ ଲିମିଟେଡର ନିର୍ଦେଶକଭାବେ ଶ୍ରୀ ଦାଶ କାର୍ଯ୍ୟ କରୁଛନ୍ତି।

ସିଲ୍‌ଭର୍‌

ଉତ୍କଳ ଆଜବେଷ୍ଟସ୍ ଲିମିଟେଡ-ଓଡ଼ିଶା 

ଉତ୍କଳ ଆଜବେଷ୍ଟସ୍ ଲିମିଟେଡ ବା ୟୁଏଏଲ୍‌-ଓଡ଼ିଶା ହେଉଛି ୟୁଏଏଲ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ (ପୂର୍ବରୁ ଉତ୍କଳ ଆଜବେଷ୍ଟସ୍ ଲିମିଟେଡ ନାମରେ ପରିଚିତ)ର ଏକ କମ୍ପାନି। କୋଣାର୍କ ବ୍ରାଣ୍ଡ୍‌ରେ ଆଜବେଷ୍ଟସ୍ ଓ ଅନ୍ୟାନ୍ୟ ଗୃ‌ହ ନିର୍ମାଣ ସାମଗ୍ରୀ ଏହି କମ୍ପାନି ପ୍ରସ୍ତୁତ କରିଆସୁଛି। କମ୍ପାନିର ସିଏମଡି ଅରୁଣ କୁମାର ସରାଫଙ୍କ ନେତୃତ୍ବରେ ଏହି କମ୍ପାନି ପରିଚାଳିତ ହୋଇ ଆସୁଛି। କମ୍ପାନି ପାଇଁ ଯୋଜନା ପ୍ରଣୟନଠାରୁ ଆରମ୍ଭ କରି ତାହାକୁ କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ ସବୁଥିରେ ଶ୍ରୀ ସରାଫ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିଥାନ୍ତି। ୧୯୮୦ ମସିହାରେ ଢେଙ୍କାନାଳରେ କାରଖାନା ସ୍ଥାପନ କରିଥିବା ଏହି କମ୍ପାନି ଏହାର ଦ୍ବିତୀୟ ୟୁନିଟକୁ ୨୦୦୩ ମସିହାରେ କାର୍ଯ୍ୟକ୍ଷମ କରିଛି। ଓଡ଼ିଶା ବାହାରେ ମଧ୍ୟ କମ୍ପାନି ଆଉ ୨ଟି ୟୁନିଟ ସ୍ଥାପନ କରିଛି। ସେଥିରୁ ଗୋଟିଏ ପଶ୍ଚିମବଙ୍ଗ ଏବଂ ଅନ୍ୟଟି ଉତ୍ତରପ୍ରଦେଶରେ କରାଯାଇଛି। ଫଳରେ କମ୍ପାନିର ମୋଟ ଫାଇବର ସିମେଣ୍ଟ ସିଟ୍ ଉତ୍ପାଦନ କ୍ଷମତା ୫, ୫୦,୦୦୦ ଏମଟିକୁ ବୃଦ୍ଧି ପାଇବା ସହିତ ବାର୍ଷିକ କାରବାର ୫୦୦ କୋଟି ଟଙ୍କା ଟପିଛି। ଏଥିସହିତ କମ୍ପାନି ୨୦୧୪ରୁ ନେଦରଲାଣ୍ଡର ଏକ କମ୍ପାନିର ବୈଷୟିକ ସହାୟତାରେ କଂକ୍ରିଟ୍ ବ୍ରାଣ୍ଡ୍‌ରେ ଅଟୋକ୍ଲେଭଡ ଏରେଟେଡ କଂକ୍ରିଟ ବ୍ଲକ ଏବଂ ପ୍ୟାନେଲ ଆଦି ନିର୍ମାଣ କରୁଛି। ଏଥିସହିତ କମ୍ପାନି ନିକଟରେ କୋଣାର୍କ ସୂର୍ଯ୍ୟ ଜ୍ୟୋତି ନାମରେ ଅନ୍ୟ ଏକ ଫାଇବର ସିମେଣ୍ଟ ସିଟ୍‌ର ଉତ୍ପାଦନ ଆରମ୍ଭ କରିଛି। ଉତ୍ତମମାନର ଉତ୍ପାଦନ ପ୍ରକ୍ରିୟାକୁ ଆପଣାଇବା ସହିତ ନିରାପଦ ଉତ୍ପାଦନ ପାଇଁ କମ୍ପାନି ଅନେକ ପୁରସ୍କାର ହାସଲ କରିଛି। କମ୍ପାନି ଏହାର ସାମାଜିକ ଦାୟିତ୍ବବୋଧ କାର୍ଯ୍ୟକ୍ରମ ଅଧୀନରେ ଅନେକ କାର୍ଯ୍ୟ ଲୋକଙ୍କ ଉନ୍ନତି ପାଇଁ ସମ୍ପାଦନ କରିଆସୁଛି।

ସ୍ବତନ୍ତ୍ର ଜୁରି ଆୱାର୍ଡ

ସମ୍ବଲପୁରୀ ବସ୍ତ୍ରାଳୟ

୧୯୫୪ ମସିହାରେ ସମ୍ବଲପୁରୀ ବସ୍ତ୍ରାଳୟ ହସ୍ତତନ୍ତ ସମବାୟ ସମିତି ବରଗଡ଼ ଜିଲ୍ଲାରୁ ଆରମ୍ଭ ହୋଇଥିଲା। ଏକ ହସ୍ତତନ୍ତ ସମବାୟ ସମିତି ଭାବରେ ଏହା ପଞ୍ଜୀକୃତ ହୋଇଥିଲା। ସ୍ବର୍ଗତ ପଦ୍ମଶ୍ରୀ ଡ. କୃତାର୍ଥ ଆଚାର୍ଯ୍ୟ ହେଉଛନ୍ତି ଏହାର ପ୍ରତିଷ୍ଠାତା। ବୁଣାକାରମାନଙ୍କ ଅର୍ଥନୈତିକ ବିକାଶରେ ଏହି ସଂସ୍ଥାର ପ୍ରମୁଖ ଭୂମିକା ରହିଛି। ଏବେ ୫୯୧୫ ଜଣ ବୁଣାକାର ସମବାୟ ସମିତି ସହ କାର୍ଯ୍ୟ କରୁଛନ୍ତି। ଗୋଟିଏ ପଟେ ବୁଣାକାର ଓ ହସ୍ତତନ୍ତ କ୍ଷେତ୍ରର ବିକାଶ ଏବଂ ଅନ୍ୟପଟେ ଗ୍ରାହକଙ୍କୁ ଉନ୍ନତମାନର ଉତ୍ପାଦ ଏହି ସଂସ୍ଥା ଦୀର୍ଘ ୬୪ ବର୍ଷ ହେଲା ଯୋଗାଇ ଆସୁଛି। ଏହି ସଂସ୍ଥା ଅଧୀନରେ ୩୫ଟି ଉତ୍ପାଦନ କେନ୍ଦ୍ର ଥିବାବେଳେ ୪୦ଟି ବିକ୍ରୟ କେନ୍ଦ୍ର ରାଜ୍ୟ ଓ ରାଜ୍ୟ ବାହାରେ ରହିଛି। ବର୍ଷକୁ ଏହି ସଂସ୍ଥା ପ୍ରାୟ ୫୦ କୋଟି ଟଙ୍କାର ହସ୍ତତନ୍ତ କପଡ଼ା ଉତ୍ପାଦନ କରୁଛି, ଯେଉଁଥିରେ ରୁମାଲଠାରୁ ଆରମ୍ଭ କରି ଶାଢ଼ି, ଡ୍ରେସ ଆଦି ରହିଛି। ସମ୍ବିତ ଆଚାର୍ଯ୍ୟ ଏହାର ସଭାପତି ଏବେ ରହିଥିବାବେଳେ ଦଶରଥ ନନ୍ଦ ପରିଚାଳନା ନିର୍ଦେଶକ ରହିଛନ୍ତି। କଲିକତା ବିଶ୍ବବିଦ୍ୟାଳୟରୁ ଶ୍ରୀ ନନ୍ଦ ବୟନଶିଳ୍ପ ପ୍ରଯୁକ୍ତିରେ ବିଏସସି(ଟେକ୍) ଡିଗ୍ରି ହାସଲ କରିଛନ୍ତି। ସମ୍ବଲପୁରୀ ବସ୍ତ୍ରାଳୟରେ ଏବେ ୨୭୦ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। କମ୍ପାନି ଗତ କିଛିବର୍ଷ ହେଲା ଲଗାତାର ଲାଭ କରି ଆସୁଛି। ଉତ୍ତମ ପ୍ରଦର୍ଶନ ପାଇଁ କମ୍ପାନି ଅନେକ ପୁରସ୍କାର ମଧ୍ୟ ହାସଲ କରିଛି।

ସମ୍ବନ୍ଧିତ ଖବର