ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ : ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୧୯

ଲାର୍ଜ

ପ୍ଲାଟିନମ୍‌

କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍‌ ସୋସିଆଲ ସାଇନ୍‌ସେସ୍‌ (କିସ୍‌) 

ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ନେତୃତ୍ବରେ ପରିଚାଳିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍ ସୋସିଆଲ୍ ସାଇନ୍‌ସେସ୍‌ (କିସ୍‌) ବିଶ୍ବ ଶିକ୍ଷା ଦରବାରରେ ଓଡ଼ିଶାକୁ ଏକ ସ୍ବତନ୍ତ୍ର ସ୍ଥାନ ପ୍ରଦାନ କରିଛି। ଏକ ଆବାସିକ ଆଦିବାସୀ ସ୍କୁଲ ଭାବେ ୧୯୯୩ ମସିହାରେ କିସ୍ ପ୍ରତିଷ୍ଠା କରାଯାଇଥିଲା। ୧୯୯୯ ବେଳକୁ ସେଠାରେ ମାତ୍ର ୨୫୦ ଜଣ ପିଲା ପାଠପଢ଼ୁଥିଲେ। ଧୀରେ ଧୀରେ ପିଲାଙ୍କ ସଂଖ୍ୟା ବଢ଼ିଥିଲା ଓ ୨୦୦୫ ବେଳକୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୫୦୦ରେ ପହଞ୍ଚିଯାଇଥିଲା। ବର୍ତ୍ତମାନ କିସ୍‌ରେ ୨୭ ହଜାର ପିଲା ପାଠ ପଢ଼ୁଛନ୍ତି। କେବଳ ଶିକ୍ଷା ନୁହେଁ ପିଲାମାନଙ୍କ ସାମଗ୍ରିକ ବିକାଶ ଦିଗରେ କିସ୍‌ କାମ କରୁଛି। ଶିକ୍ଷା ଠାରୁ ଆରମ୍ଭ କରି ଖେଳକୁଦ, ସ୍ବାସ୍ଥ୍ୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପିଲାମାନଙ୍କୁ ପାରଙ୍ଗମ କରାଯାଉଛି। ୨୦୦୭ରେ କିସ୍‌ର ରଗ୍‌ବି ଟିମ୍ ଅଣ୍ଡର୧୩ ବିଶ୍ବ ରଗ୍‌ବି ଚାମ୍ପିଅନ୍ ହୋଇଥିଲା। ୨୦୦୮ରେ ଏହା ହ୍ୟୁମାନିଟାରିଆନ୍ ପୁରସ୍କାର ସ୍ଥାପନ କରିଥିଲା। କିସ୍‌ ନିଜର ଯାତ୍ରା ଭିତରେ ଅନେକ ସଫଳତା ହାସଲ କରିଛି। ୨୦୧୩ରେ ଜାତିସଂଘର ସେକ୍ରେଟାରି ଜେନେରାଲ୍ ବାନ୍‌ କି ମୁନ୍‌ଙ୍କ ସହ ସିଧାସଳଖ ଆଲୋଚନା କରିବାର ସୌଭାଗ୍ୟ କିସ୍‌ ହାସଲ କରିଥିଲା। ୨୦୧୫ରେ ୟୁଏନ୍ ଇସିଓଏସ୍‌ଓସି ଗ୍ରାଣ୍ଟସ୍‌ ପକ୍ଷରୁ କିସ୍‌କୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରାଯାଇଥିଲା। ୟୁଏନ୍‌ଡିପି ଭଳି ଆନ୍ତର୍ଜାତିକ ଅନୁଷ୍ଠାନ ସହ କିସ୍‌ ଏମ୍‌ଓୟୁ ସ୍ବାକ୍ଷର କରିଛି।

ଗୋଲ୍ଡ

ଓମ୍ ଅଏଲ୍‌ ଆଣ୍ଡ୍ ଫ୍ଲୋର୍‌ ମିଲ୍ସ ଲିମିଟେଡ୍ (ରୁଚି) 

ସାରା ଦେଶରେ ପରିଚିତ ବ୍ରାଣ୍ଡ୍‌ ‘ରୁଚି’ର ମୂଳ କଂପାନି ହେଉଛି ଓମ୍ ଅଏଲ୍ ଆଣ୍ଡ୍ ଫ୍ଲୋର ମିଲ୍ସ ଲିମିଟେଡ୍। ଏହା ଗୁଣାତ୍ମକ ମାନର ମସଲା, ପାସ୍ତା, ନୁଡୁଲସ୍, ରେଡି ଟୁ ଇଟ୍ ଖାଦ୍ୟ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଉତ୍ପାଦନ ଏବଂ ରପ୍ତାନି କରୁଛି। କଟକ ମଧୁପାଟଣାରେ ଥିବା ଏହି କଂପାନି ଏହାର ଦୀର୍ଘ ୪୨ ବର୍ଷର ଯାତ୍ରାରେ ଏବେ ସାରା ଦେଶରେ ଘରେ ଘରେ ଏକ ପରିଚିତ ବ୍ରାଣ୍ଡ୍‌ ହୋଇପାରିଛି। ଏକ ଗୁଣାତ୍ମକ ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥା ଭାବେ ଭାରତୀୟ ଶିଳ୍ପ ଜଗତରେ ରୁଚି ଇତିହାସ ସୃଷ୍ଟି କରିଛି। ଡକ୍ଟର ଶରତ କୁମାର ସାହୁଙ୍କ ଦୂରଦୃଷ୍ଟି ଦ୍ବାରା ପରିଚାଳିତ ହେଉଥିବା ଏହି କଂପାନିର ଉତ୍ପାଦ ଦେଶର ପ୍ରତିଟି ରୋଷେଇ ‌ଘରେ ଦେଖିବାକୁ ମିଳୁଛି। ଉଭୟ ଜାତୀୟ ଏବଂ ଆନ୍ତର୍ଜାତିକ ବଜାରରେ ରୁଚିର ବହୁତ ଭଲ ଉପସ୍ଥିତି ରହିଛି। ଭବିଷ୍ୟତରେ ଉତ୍ପାଦନ ପ୍ରକ୍ରିୟାରେ ସମୃଦ୍ଧ ମେସିନ ଓ କାରଖାନା ଯୋଡ଼ିବାକୁ କଂପାନି ଲକ୍ଷ୍ୟ ରଖିଛି। ପରିମଳ ଓ ଗୁଣାତ୍ମକ ମାନ ଉପରେ ଏହା ସର୍ବାଧିକ ଗୁରୁତ୍ବ ଦେଉଛି। ଓଡ଼ିଶାରେ କଂପାନିର ୨୦୦ ଡିଲର ଏବଂ ସାରା ଦେଶରେ ୪୦ରୁ ଅଧିକ ସୁପର ଷ୍ଟକିଷ୍ଟ ରହିଛନ୍ତି। କଂପାନି ଅନେକ ପୁରସ୍କାର ଏବଂ ମାନ୍ୟତା ହାସଲ କରିଛି। ୧୯୮୬ ପରଠାରୁ ଏହାର ପୁରସ୍କାର ଓ ମାନ୍ୟତା ପାଇବା ଧାରା ଜାରି ରହିଛି। ସାମାଜିକ କଲ୍ୟାଣମୂଳକ କ୍ଷେତ୍ରରେ ମଧ୍ୟ କଂପାନି ଭଲ କାମ କରୁଛି। ରୁଚି ପ୍ରତିଭା ଫାଉଣ୍ଡେସନ ଶିକ୍ଷା, କ୍ରୀଡ଼ା, ସାହିତ୍ୟ ଓ ସାମାଜିକ କଲ୍ୟାଣ ଦିଗରେ କାମ କରୁଛି।

ସିଲ୍‌ଭର୍‌

ବାଲେଶ୍ବର ଆଲଏଜ୍ ଲିମିଟେଡ୍

ବାଲେଶ୍ବର ଆଲଏଜ୍ ଲିମିଟେଡ୍ ହେଉଛି ପ୍ରସିଦ୍ଧ ବ୍ୟବସାୟ ଉଦ୍ୟୋଗ ଇସ୍ପାତ ଗ୍ରୁପ୍ ଅଫ୍‌ କଂପାନିଜ୍‌ର ଏକ ଅଂଶ। କଂପାନିର କାରବାର ଦେଶବିଦେଶରେ ପରିବ୍ୟାପ୍ତ। ୧୯୮୪ ମସିହାରେ ଓଡ଼ିଶାର ବାଲେଶ୍ବର ଜିଲ୍ଲାରେ ବାଲେଶ୍ବର ଆଲଏଜ୍ ସ୍ଥାପନ କରାଯାଇଥିଲା। ଏହାର ବର୍ତମାନ ଦୁଇଟି କାରଖାନା ରହିଛି ଯାହାର ମୋଟ ଉତ୍ପାଦନ କ୍ଷମତା ହେଉଛି ବାର୍ଷିକ ୧୬୦,୦୦୦ ଟନ୍। କଂପାନି ପାଖରେ ବିଭିନ୍ନ ପ୍ରକାରର ଫର୍ଣ୍ଣାସ୍‌ ରହିଛି ଏବଂ ବଜାରର ଚାହିଦା ଅନୁସାରେ ଏହା ବିଭିନ୍ନ ‌ମାନର ଫେରୋ କ୍ରୋମ୍ ଉତ୍ପାଦନ କରିପାରୁଛି। କଂପାନି ବିଭିନ୍ନ ପ୍ରକାର ଉତ୍ପାଦ ଉତ୍ପାଦନ କରୁଛି। ଯାଜପୁର ରୋଡ୍‌ର ସୁକିନ୍ଦା ଭାଲିରେ କଂପାନିର ଖଣି ରହିଛି। ସେହି ଖଣିରୁ ବାଲେଶ୍ବର ଆଲଏଜ୍ ଏହାର କ୍ରୋମାଇଟ ଆବଶ୍ୟକତା ପୂରଣ କରୁଛି। ବାଲେଶ୍ବର ଠାରେ ଥିବା କଂପାନିର କାରଖାନାକୁ ଇଣ୍ଟିଗ୍ରେଟେଡ୍ ମ୍ୟାନେଜମେଣ୍ଟ୍ ସିଷ୍ଟମ୍ (ଆଇଏମ୍ଏସ୍‌) ସାର୍ଟିଫିକେସନ୍ ମିଳିଛି। ଅନିଲ ସୁରେକା କଂପାନିର ପରିଚାଳନା ନିର୍ଦେଶକ ଦାୟିତ୍ବ ନିର୍ବାହ କରୁଛନ୍ତି। କଂପାନି ସାମାଜିକ କଲ୍ୟାଣ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ କାମ କରୁଛି। ଏହା ନିରନ୍ତର ବିକାଶ, ଜଳ, ଶିକ୍ଷା, ଦକ୍ଷତା ଏବଂ ସଶକ୍ତୀକରଣ, ସଡ଼କ ଏବଂ ଭିତ୍ତିଭୂମି, ସଂସ୍କୃତି ଏବଂ ପରିବେଶ ଆଦି କ୍ଷେତ୍ରରେ କାମ କରୁଛି।

ସମ୍ବନ୍ଧିତ ଖବର